ଚାଷୀକୁ ମହଙ୍ଗା ମାଡ଼: ସମବାୟ ସମିତିରେ ମିଳୁନି କୀଟନାଶକ, ଲଗାମଛଡ଼ା ଦର

ଯାଞ୍ଚ ପାଇଁ ପରୀକ୍ଷାଗାର ଅଭାବ

ଭୁବନେଶ୍ବର: ସମବାୟ ସମିତିରେ ବିକ୍ରି ହେଉନି କୀଟନାଶକ। ଏହାର ଲାଭ ଉଠାଇ ଲଗାମଛ଼ଡ଼ା ହେଲାଣି ଦର। ରୁଷ୍‌-ୟୁକ୍ରେନ ଯୁଦ୍ଧ, ପେଟ୍ରୋଲିୟମ ଉତ୍ପାଦର ଦରବୃଦ୍ଧି ସମେତ ବିଭିନ୍ନ ପ୍ରକାର ଜାତୀୟ ଅନ୍ତର୍ଜାତୀୟ କାରଣ ବାହାନାରେ କମ୍ପାନି ଦର ବଢାଉଛନ୍ତି। ସେଥିରେ ପୁଣି ନିର୍ଦେଶ ଅନୁଯାୟୀ ଦୋକାନରେ କୀଟନାଶକ ଯାଞ୍ଚ ହେଉନଥିବାରୁ ଅଧିକ ଟଙ୍କା ଦେଇ ଚାଷୀ କ୍ରୟ କରୁଥିବା କୀଟନାଶକ ନିମ୍ନମାନର ବୋଲି ଅଭିଯୋଗ ହେଉଛି। ଫଳରେ ବିଭିନ୍ନ ସମୟରେ ରୋଗ ପୋକ ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି।

ଲଟାମରା, ଚକଡ଼ା କିମ୍ବା ପତ୍ରପୋଡ଼ା, ତଣ୍ଟିକଟା ଆଦି ରୋଗ ଚାଷକୁ କ୍ଷତିଗ୍ରସ୍ତ କରିଥାଏ। ଯାହାର ନିୟନ୍ତ୍ରଣ ପାଇଁ ପ୍ରତି ମାସ ୧୫ରୁ ୨୦ ଦିନ ମଧ୍ୟରେ ଚାଷୀକୁ ନିଶ୍ଚିତ ଭାବରେ ବିଭିନ୍ନ ପ୍ରକାର କୀଟନାଶକ ସିଞ୍ଚନ କରିବାକୁ ପଡ଼ିଥାଏ। ଲଟାମରା ପାଇଁ ବ୍ୟବହୃତ ପାରାକ୍ବେଟ ଲିଟର ପିଛା ୩୫୦ରୁ ୫୫୦ ଟଙ୍କା, ଗଣ୍ଠିପୋକ ନିୟନ୍ତ୍ରଣ ପାଇଁ ବ୍ୟବହୃତ ୫ କେଜିକୁ ୪୫୦ରୁ ୬୫୦, ଚକଡ଼ା ପୋକ ନିୟନ୍ତ୍ରଣ ପାଇଁ ଟେକ୍ସ ସାଲନ ଲିଟର ପିଛା ୧୦ ହଜାରରୁ ୧୩ ହଜାର ଟଙ୍କା ଏବଂ ବିଭିନ୍ନ ପ୍ରକାର ରୋଗ ପାଇଁ ବ୍ୟବହୃତ ଟ୍ରାଇସାଇକ୍ଲୋଜର ଏକ ପ୍ୟାକେଟକୁ ୧୯୦ ଟଙ୍କାରୁ ୨୫୦ ଟଙ୍କାକୁ ବୃଦ୍ଧି ପାଇଛି। ଗତ ଖରିଫରେ ଏହି ଦର ବଢ଼ିଥିଲେ ମଧ୍ୟ ପୁରୁଣା ଷ୍ଟକ ପୁରୁଣା ମୂଲ୍ୟରେ ବିକ୍ରି ହେଉଥିବାରୁ ଚାଷୀ ଅନୁଭବ କରିପାରିନଥିଲେ। ରବିରେ ବର୍ଦ୍ଧିତ ଦରରେ ନୂତନ ଷ୍ଟକର ଏହି କୀଟନାଶକ ବ୍ୟବହାର ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି।

ଚାଷୀ ବ୍ୟୋମକେଶ ଠାକୁରଙ୍କ କହିବା ଅନୁସାରେ, ଦରବୃଦ୍ଧି ଯୋଗୁଁ ଏକର ପିଛା ଚାଷ ଖର୍ଚ ୪ରୁ୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ସମବାୟ ସମିତିରେ ସାର, ବିହନ ଯେମିତି ମିଳେ କୀଟନାଶକ ମିଳେ ନାହିଁ। ଯାହାବି ମିଳେ ତାହା ନାମକୁମାତ୍ର। ତେଣୁ ଖୋଲା ବଜାରରେ ଚାଷୀ ଏହାକୁ କ୍ରୟ କରିବାକୁ ବାଧ୍ୟ। ଅଧିକାଂଶ ସ୍ଥାନରେ ଚାଷୀ ଋଣ କରି କୀଟନାଶକ ଆଣୁଥିବାରୁ ପରବର୍ତ୍ତୀ ସମୟରେ ପ୍ରକୃତ ଦର ଠାରୁ ୨୦୦ରୁ ୨୫୦ ଟଙ୍କା ଅଧିକରେ କିଣେ। ପଶ୍ଚିମବଙ୍ଗ, ଗୁଜରାଟ, ମହାରାଷ୍ଟ୍ର ସମେତ ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରକାର ମଲିକୁଲାର କୀଟନାଶକ ବର୍ତ୍ତମାନ ବଜାରକୁ ଆସିଲାଣି। ପ୍ରତି ବର୍ଷ ନୂଆ ବ୍ରାଣ୍ଡର କୀଟନାଶକ ବିକ୍ରି ହେଉଛି। ତେଣୁ ଗୋଟିଏ ବ୍ରାଣ୍ଡର କୀଟନାଶକ ନିମ୍ନମାନର ଜାଣିବା ପରେ ପରବର୍ତ୍ତୀ ବର୍ଷ ଦେଖିବାବେଳକୁ ତାହା ମାର୍କେଟରୁ ଗାୟବ ହୋଇଯାଉଛି। କୌଣସି ନୂତନ ପ୍ରକାର କୀଟନାଶକ ଆସି ଯାଉଛି। ତା’ର ଗୁଣବତ୍ତାକୁ ଚିହ୍ନଟ କରିବା ଚାଷୀ ପାଇଁ ସହଜ ହେଉ ନାହିଁ। ବାହାର ରାଜ୍ୟର ସ୍ଥାନୀୟ ପ୍ରଶାସନରୁ ବିକ୍ରି ପାଇଁ ଅନୁମତି ପତ୍ର ଆଣି ଏହି କୀଟନାଶକ ଓଡ଼ିଶାର ଗାଁ-ଗାଁରେ ବିକ୍ରି ହେଉଛି। ସ୍ଥାନୀୟ ଏଜେଣ୍ଟ ମାନଙ୍କୁ ବେତନ ସହିତ ପ୍ଲେଜର ଟ୍ରିପ, ଦାମୀ ଉପହାରର ଲୋଭ ଦେଖାଇ ଟାର୍ଗେଟ ଦିଆଯାଉଛି। ଟାର୍ଗେଟ ପୂରଣ ଆଳରେ ଏଜେଣ୍ଟ ଚାଷୀଙ୍କୁ ଠକୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ସେଥିରେ ପୁଣି ଜିଲ୍ଲାରେ ସ୍ଥିତ ପ୍ଲାଣ୍ଟ ପ୍ରୋଟେକ୍ସନ ଅଧିକାରୀ କୀଟନାଶକର ଉପଯୁକ୍ତ ଯାଞ୍ଚ କରୁନଥିବା ସମସ୍ତଙ୍କୁ ସୁବିଧା ହେଉଛି। ତା ଛଡ଼ା ଯେତେ ମଲିକୁଲାର ବିଶିଷ୍ଟ କୀଟନାଶକ ଆସିଲାଣି ଏହାର ଉପଯୁକ୍ତ ଯାଞ୍ଚ ବ୍ୟବସ୍ଥା ମଧ୍ୟ ଓଡ଼ିଶାରେ ନାହିଁ।

କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ପ୍ରାୟ ୪୦୦ ମଲିକୁଲାର କୀଟନାଶକ ରହିଛି। ରାଜ୍ୟର ଭୁବନେଶ୍ବରସ୍ଥିତ କୀଟନାଶକ ପରୀକ୍ଷାଗାରରେ କେବଳ ୨୩ ପ୍ରକାର ମଲିକୁଲାର କୀଟନାଶକ ଯାଞ୍ଚ ହୋଇ ପାରୁଛି। ବାକି ମଲିକୁଲାର କୀଟନାଶକ ହରିଆଣାର ଫରିଦାବାଦକୁ ପଠାଯାଉଛି। ଏହାର ରିପୋର୍ଟ ଆସିବାକୁ ୧୫ରୁ ୨୦ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ରାଜ୍ୟରେ ବାର୍ଷିକ ପ୍ରାୟ ୧୨୦୦ ନମୁନା ଯାଞ୍ଚ ହେଉଛି। ତାହା ଯଥେଷ୍ଟ ନଥିବା ଚାଷୀ ସଙ୍ଗଠନ ଗୁଡ଼ିକ ଅଭିଯୋଗ କରୁଛନ୍ତି। ନିୟମିତ ଭାବରେ କୀଟନାଶକ ଯାଞ୍ଚ କରାଗଲେ ନିମ୍ନମାନର କୀଟନାଶକ କ୍ରୟରୁ ଚାଷୀକୁ ରକ୍ଷା ମିଳନ୍ତା। ନକଲି କୀଟନାଶକର ପ୍ରାଦୁର୍ଭାବରୁ ରକ୍ଷା ପାଇଁ ଚଳିତ ବର୍ଷ ସମ୍ବଲପୁରରେ ଖୁବ ଶୀଘ୍ର କୀଟନାଶକ ପରୀକ୍ଷାଗାର ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ହେଲେ ଆଉ କିଛି କୀଟନାଶକ ନମୁନା ଯାଞ୍ଚ ହୋଇ ପାରିବ। ମାତ୍ରାଧିକ କୀଟନାଶକ ବ୍ୟବହାର ହ୍ରାସ ପାଇଁ ପରାମର୍ଶ ଦେଉଛନ୍ତି ସରକାର। ମାତ୍ର ମାତ୍ରାଧିକ ସାର ବ୍ୟବହାର, ନିମ୍ନମାନର ବିହନ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ରୋଗ-ପୋକ ବଢିବାରେ ଲାଗିଛି। ଏହା ଉପରେ ଲଗାମ ନଲାଗିଲେ କୀଟନାଶକ ହ୍ରାସ ହୋଇ ପାରିବ ନାହିଁ। ଏହାର ଦର ସରକାରଙ୍କ ପକ୍ଷରୁ ନିୟନ୍ତ୍ରଣ ହେଉନଥିବାରୁ ଚାଷୀ ଅଣ୍ଟା ଭାଙ୍ଗିବାରେ ଲାଗିଛି।

ସମ୍ବନ୍ଧିତ ଖବର