ଗ୍ରାହକ ଉପରେ ମହଙ୍ଗା ମାଡ଼: ବନ୍ଦ ପଡ଼ିଛି ୪ ଚିନି କଳ

ଭୁବନେଶ୍ବର: ବନ୍ଦ ପଡ଼ିଛି ୬ରୁ ୪ ଚିନି କଳ। ଆବଶ୍ୟକତା ପୂରଣ କରୁନି ରାଜ୍ୟ। ଏଥିଯୋଗୁଁ ଆମଦାନି ଚିନି ଉପରେ ପଡ଼ିଛି ପେଟ୍ରୋଲିୟମ ଦରବୃଦ୍ଧିର ମାଡ଼।
୨୦୧୯ ମସିହାରେ ବିଧାନସଭାରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ ରାଜ୍ୟରେ ୨.୨୧ ଲକ୍ଷ ମେଟ୍ରିକ ଟନ୍‌ ଚିନିର ଚାହିଦା ରହିଛି। ଢେଙ୍କାନାଳ, ଆସ୍କା ବ୍ୟତୀତ ବରଗଡ଼, ବଲାଙ୍ଗୀର, ନୟାଗଡ଼, ବଡ଼ମ୍ବା ସମବାୟ ଚିନି କଳ ବନ୍ଦ ହୋଇଯାଇଥିବାରୁ ଚିନି ପାଇଁ ଓଡ଼ିଶାକୁ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି। ଯାହାର ଦୂରତା ଏକ ହଜାର କିଲୋମିଟରରୁ ଅଧିକ ଅଟେ। ତେଣୁ ଡିଜେଲ ଦର ବୃଦ୍ଧି ମାଡ଼ ଗ୍ରାହକଙ୍କ ଉପରେ ପଡ଼ୁଛି।

୨୦୧୩, ୨୦୧୪ ମସିହାରୁ ଚିନି କଳ ବନ୍ଦ ହେବା ଯୋଗୁଁ ସେହି ସମୟରୁ ହିଁ ଆଖୁ ଉତ୍ପାଦନ ହ୍ରାସ ପାଇଛି। ୧୯୯୧ ମସିହାରେ ୫୦୫୫ ହଜାର ହେକ୍ଟର ଆଖୁ ଚାଷ ହେଉଥିଲା ବେଳେ ୨୦୨୧ ମସିହାରେ ୨୧୦୦ ହଜାର ହେକ୍ଟରକୁ ପହଞ୍ଚିଛି। ଆଖୁ ଚାଷ ୨୦୧୩ ମସିହାରୁ ହ୍ରାସ ପାଇଛି। ଅର୍ଥାତ ୨୦୧୩ ମସିହାରେ ୩୫୩୪ ହଜାର ହେକ୍ଟର ଚାଷ ହୋଇ ୨୫୪୩ ହଜାର ମେଟ୍ରିକ ଟନ୍‌ ଆଖୁ ଉତ୍ପାଦିତ ହୁଏ। ୨୦୧୪ ମସିହାରେ ୩୪୦୮ ହଜାର ହେକ୍ଟରରୁ ୨୪୬୯ ହଜାର ମେଟ୍ରିକ ଟନ୍‌, ୨୦୧୫ ମସିହାରେ ୨୮୯୮ ହଜାର ହେକ୍ଟରରୁ ୨୨୦୦ ହଜାର ମେଟ୍ରିକ ଟନ୍‌, ୨୦୧୬ ମସିହାରେ ୨୭୪୪ ହେକ୍ଟରରୁ ୨୦୧୩ ହଜାର ମେଟ୍ରିକ ଟନ୍‌, ୨୦୧୭ ମସିହାରେ ୨୭୦୦ ହେକ୍ଟରରୁ ୧୯୮୬ ହଜାର ମେଟ୍ରିକ ଟନ୍‌, ୨୦୧୯ ମସିହାରେ ୧୮୭୬ ହଜାର ହେକ୍ଟର ଚାଷରୁ ୧୩୬୫ ହଜାର ମେଟ୍ରିକ ଟନ୍‌, ୨୦୨୦ ମସିହାରେ ୨୧୦୦ ହଜାର ହେକ୍ଟରରୁ ୧୫୧୩.୬୩ ହଜାର ମେଟ୍ରିକ ଟନ୍‌ ଆଖୁ ଉତ୍ପାଦିତ ହୋଇଛି। ୨୦୨୧ ମସିହାରେ ୨୧୦୦ହଜାର ହେକ୍ଟର ଜମିରେ ଆଖୁ ଚାଷ କରାଯାଇଛି।

ମୁଖ୍ୟତଃ କଟକ, ଢେଙ୍କାନାଳ, ଜଗତସିଂହପୁର, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଧା, ନବରଙ୍ଗପୁର ଓ କୋରାପୁଟରେ ଆଖୁ ଚାଷ ହୁଏ। ଅଣ ଚିନି କଳ ଅଞ୍ଚଳ ନବରଙ୍ଗପୁର ଏବଂ କୋରାପୁଟରେ ଗୁଡ଼ ପ୍ରୋସେସିଂ ୟୁନିଟ୍‌ କରାଯାଇଛି। କୋରାପୁଟରେ ଆଖୁ ଜୁସ୍‌ ପ୍ରୋସେସିଂ ୟୁନିଟ୍‌ କରାଯାଇଛି। ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଚିନି କଳ ପୁନଃ ଖୋଲିବା ନେଇ କୌଣସି ଆଗ୍ରହ ନାହିଁ। ଆଖି ଚାଷୀଙ୍କ ଲାଭ ପାଇଁ ଗୁଡ଼ ଏବଂ ଜୁସ୍‌ ପ୍ରୋସେସିଂ ୟୁନିଟ୍‌କୁ ଗୁରୁତ୍ବ ଦିଆଯାଉଛି। ତେବେ ବାସ୍ତବରେ ଏହାର କାର୍ଯ୍ୟକ୍ଷମକୁ ନେଇ ପ୍ରଶ୍ନବାଚୀ ରହିଛି।

ସମ୍ବନ୍ଧିତ ଖବର