ମହଙ୍ଗା ମାଡ଼: ଗ୍ୟାସ ଭରୁନାହାନ୍ତି ଉଜ୍ଜ୍ବଳା ହିତାଧିକାରୀ

ବ୍ୟାସନଗର: ସର୍ବକାଳୀନ ରେକର୍ଡ ଛୁଇଁଛି ଗ୍ୟାସ ଦରବୃଦ୍ଧି। ବ୍ୟାସନଗର ସହରରେ ପ୍ରାୟ ୧୦୪୫ ଟଙ୍କା ରହିଛି। କେଉଁଦିନ ଦର ବଢ଼ିଯାଉଛି ତାହା ବି ଉପଭୋକ୍ତା ଜାଣିପାରୁ ନାହାନ୍ତି। ଏଭଳି ପରିସ୍ଥିତିରେ ଉଜ୍ଜ୍ବଳା ଯୋଜନାରେ ଗ୍ୟାସ୍‌ ପାଇଥିବା ବହୁ ଉପଭୋକ୍ତା ଆଉ ନିଜ ଖାଲି ସିଲିଣ୍ଡର ଭରିପାରୁ ନାହାନ୍ତି। ସହରରେ ଭାରତ ଗ୍ୟାସ୍‌ର ମୋଟ ୪୫ହଜାର ୫୫୦ ଉପଭୋକ୍ତା ଅଛନ୍ତି। ତନ୍ମଧ୍ୟରୁ ଉଜ୍ଜ୍ବଳା ଯୋଜନାରେ ୯ ହଜାର ଉପଭୋକ୍ତା ଥିବାବେଳେ ପାଖାପାଖି ୩ ହଜାର ରିଫିଲିଂ କରୁଛନ୍ତି। ସାଧାରଣବର୍ଗର ୩୬ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ପ୍ରତିମାସ ୫୦ ପ୍ରତିଶତରୁ ଅଧିକ ରିଫିଲିଂ ହେଉଛି। ସ୍କୁଲ, କଲେଜରେ ୩ ଶହରୁ ଅଧିକ ସଂଯୋଗ ଥିବାବେଳେ ୨୫ ପ୍ରତିଶତ ଭରୁଛନ୍ତି। କମର୍ସିଆଲ ଉପଭୋକ୍ତା ୨ଶହ ଥିବାବେଳେ ଅଧାରୁ କମ ଉପଭୋକ୍ତା ରିଫିଲିଂ କରୁଥିବା ଜଣାପଡ଼ିଛି। ପୂର୍ବରୁ ପ୍ରତିଦିନ ୫ ଶହରୁ ଅଧିକ ଉପଭୋକ୍ତା ବୁକିଂ କରୁଥିବାବେଳେ ଗ୍ୟାସ ଦରବୃଦ୍ଧି ଫଳରେ ଅଧାରୁ କମ ଉପଭୋକ୍ତା ବୁକିଂ କରୁଛନ୍ତି। ବସ୍ତି ଅଞ୍ଚଳରେ ୧୦ ପ୍ରତିଶତ ରିଫିଲିଂ କରୁଥିବା ଜଣାପଡ଼ିଛି।

ଜନୈକ ଗ୍ୟାସ ଏଜେନ୍ସି କର୍ମଚାରୀଙ୍କ ସୂଚନା ଅନୁସାରେ ପୂର୍ବରୁ ଉପଭୋକ୍ତାମାନେ ବୁକିଂ କରିବାର ଦୁଇ/ତିନିଦିନ ପରେ ଗ୍ୟାସ ମିଳୁଥିଲା। ବର୍ତ୍ତମାନ ବୁକିଂ କରିବାର ଘଣ୍ଟାଏ ମଧ୍ୟରେ ଗ୍ୟାସ ଯୋଗାଇ ଦିଆଯାଉଛି। ଯଦି ସରକାରଙ୍କ ପକ୍ଷରୁ ଉଜ୍ଜ୍ବଳା ଗ୍ରାହକଙ୍କୁ ସବସିଡି ଦିଆ ନଯାଏ ତେବେ ଆଗାମୀ ଦିନରେ ଏହି ଯୋଜନାରେ ରିଫିଲିଂ ପ୍ରତିଶତ ଆହୁରି କମିଯିବ ବୋଲି ସେ ସୂଚନା ଦେଇଛନ୍ତି।

ଉଜ୍ଜ୍ବଳା ଯୋଜନାରେ କେନ୍ଦ୍ର ସରକାର ଦେଶର ବିପିଏଲ ଓ ରାସନକାର୍ଡଧାରୀଙ୍କୁ ମାଗଣାରେ ୮ କୋଟିରୁ ଅଧିକ ପରିବାରକୁ ଉଜ୍ଜ୍ବଳା ଗ୍ୟାସ ଯୋଗାଇଦେଇଥିବା ନେଇ ବ୍ୟାପକ ପ୍ରଚାର କରି ବାହାବା ନେଉଛନ୍ତି। ହେଲେ ବର୍ଷକୁ ଏହି ଉପଭୋକ୍ତାମାନେ କେତେଥର ଗ୍ୟାସ ରିଫିଲ୍ କରୁଛନ୍ତି ତାହା ଅନୁଧ୍ୟାନ କରି ନାହାନ୍ତି। ସହରାଞ୍ଚଳରେ ଏହି ଯୋଜନା ଅର୍ଦ୍ଧାଧିକ ବିଫଳ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଏହାର ସ୍ଥିତି ଅତି ଦୟନୀୟ ବୋଲି ଅଭିଯୋଗ ହେଉଛି। ସହରରେ ଥିବା ଦେବୀ ଗ୍ୟାସ ଉଜ୍ଜ୍ବଳା ଯୋଜନାରେ ମୋଟ ୯ ହଜାର ଉପଭୋକ୍ତାଙ୍କୁ ସଂଯୋଗ ଦେଇଥିବା ବେଳେ ଅର୍ଦ୍ଧାଧିକ ଉପଭୋକ୍ତା ଗ୍ୟାସ ରିଫିଲ୍ କରୁ ନାହାନ୍ତି। ପ୍ରତି ୱାର୍ଡରେ ୨ ଶହରୁ ଅଧିକ ଲୋକ ଏହି ଯୋଜନାର ହିତାଧିକାରୀ। ୪ ହଜାର ଉପଭୋକ୍ତା ବର୍ଷରେ ଗୋଟିଏରୁ ଦୁଇଟି ଗ୍ୟାସ ନେଇଥିବା ସୂଚନା ମିଳିଛି। ଉଦାହରଣ ସ୍ବରୂପ ପ୍ରତୀକ ପୂର୍ଣ୍ଣିମା ସାହୁ ୨୦୨୦ ମେ ମାସ ୬ ତାରିଖରେ ଗୋଟିଏଥର ସିଲିଣ୍ଡର ଭରିଥିଲେ। ଏହା ଭିତରେ ଦୁଇବର୍ଷ ପୂରିଗଲାଣି ହେଲେ ସେ ଆଉ ଗ୍ୟାସ ନେଇ ନାହାନ୍ତି। ସେହିପରି  ଉଜ୍ଜ୍ବଳା ଉପଭୋକ୍ତା ଜାନକୀ ଦାସ, ଯଶୋଦା ମଲ୍ଲିକ ଦୁଇବର୍ଷ ମଧ୍ୟରେ ଗୋଟିଏଥର ବି ଗ୍ୟାସ ଭରି ନାହାନ୍ତି। ସେମାନଙ୍କୁ ଫୋନ କଲେ ଗ୍ୟାସ ଆବଶ୍ୟକ ନାହିଁ ବୋଲି ଉତ୍ତର ମିଳୁଛି। ବହୁ ଉଜ୍ଜ୍ବଳା ଉପଭୋକ୍ତା ୧୦୪୫ ଟଙ୍କା ଦେଇ ଗ୍ୟାସ ନେବାକୁ ଅକ୍ଷମତା ପ୍ରକାଶ କରୁଛନ୍ତି। ‌ପୂର୍ବରୁ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ସବ୍‌ସିଡି ଆକାରରେ ମିଳୁଥିଲା। ଏବେ ତାହା ଗାଏବ ହୋଇଯାଇଛି।

ଅପେକ୍ଷାକୃତ ଅଧିକ ରୋଜଗାର କରୁଥିବା ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କ ଏପରି ହାଲ୍‌ ହୋଇଥିବାବେଳେ ଗ୍ରାମୀଣ ଗରିବ ଲୋକମାନେ ଗ୍ୟାସ ଭରିବା ଦୁରୂହ ବ୍ୟାପାର ହୋଇଛି। ମହଙ୍ଗା ମାଡ଼ରେ ଲୋକଙ୍କ କ୍ରୟଶକ୍ତି ହ୍ରାସ ପାଇଥିବାରୁ ଏବେ ଗ୍ୟାସ ରିଫିଲ୍ କରି ନପାରି ପୁଣି ଜାଳେଣି କାଠ ବ୍ୟବହାର କରିବା ଆରମ୍ଭ କଲେଣି। ସେହିପରି କମର୍ସିଆଲ ଗ୍ୟାସ ୨୫୧୧ ଟଙ୍କାରେ ପହଞ୍ଚିଛି। ଫଳରେ ଏହି ଦୋକାନୀମାନେ କୋଇଲା ଚୁଲା ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର