ମହଙ୍ଗା ପଡ଼ିଲା ଲୁପ୍‌ ରୋଡ୍‌ରୁ ଟୋଲ୍ ଆଦାୟ

ସମ୍ବଲପୁର: ବରଗଡ଼ ସହର ସଂଲଗ୍ନ ବର୍‌ହାଗୁଡ଼ା ଟୋଲ୍‌ ଗେଟ୍‌ ପାର୍ଶ୍ବ ଦେଇ ଯାଇଥିବା ଲୁପ୍‌ ରୋଡ୍ (ବିକଳ୍ପ ରାସ୍ତା)ରୁ ଟୋଲ୍ ସଂଗ୍ରହ କରିବା, ନିର୍ଦ୍ଧାରିତ ଦରଠାରୁ ଅଧିକ ଟୋଲ୍‌ ଆଦାୟ କରିବା, ବରଗଡ଼ ପୌରାଞ୍ଚଳର ୧୦ କିଲୋମିଟର୍‌ ପରିଧି ମଧ୍ୟରେ ଟୋଲ୍‌ ପ୍ଲାଜା ସ୍ଥାପନ କରିବା ଟୋଲ୍‌ଗେଟ୍‌ କର୍ତ୍ତୃପକ୍ଷ (ସମ୍ବଲପୁର-ବରଗଡ଼ ଟୋଲ୍‌ ୱେଜ୍ ଲିମିଟେଡ୍‌) ଓ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କୁ ମହଙ୍ଗା ପଡ଼ିଛି। ଏଭଳି ଏକ ମାମଲାର ବିଚାର କରି ସମ୍ବଲପୁର ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ଉଭୟ ବର୍‌ହାଗୁଡ଼ା ଟୋଲ୍ ଗେଟ୍ କର୍ତ୍ତୃପକ୍ଷ ଏବଂ ଏନ୍‌ଏଚ୍‌ଏଆଇକୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଏଥି ସହିତ ଅଭିଯୋଗକାରୀଙ୍କଠାରୁ ବେଆଇନ୍‌ଭାବେ ଆଦାୟ କରିଥିବା ଟୋଲ୍ ସୁଧ ସମେତ ଫେରସ୍ତ କରିବାକୁ ଆଦେଶ ଦେଇଛନ୍ତି।

ସମ୍ବଲପୁରର ପ୍ରୀତିଶ ଦେବତା ଗତ ବର୍ଷ ଏପ୍ରିଲ୍ ୪ ତାରିଖରେ ସମ୍ବଲପୁରରୁ ବରଗଡ଼ ଯାଇଥିଲେ। ତାଙ୍କ ଫାଷ୍ଟଟ୍ୟାଗ୍ ଆକାଉଣ୍ଟରୁ ଯିବାବେଳେ ୧୪୫ ଓ ଫେରିବାବେଳେ ୭୫ ଟଙ୍କା କଟିଥିଲା। କିନ୍ତୁ ତାଙ୍କ ବାପାଙ୍କ ଗାଡ଼ି ସମ୍ବଲପୁରରେ ଘରେ ଥିବାବେଳେ ସେହିଦିନ ତାଙ୍କ ଆକାଉଣ୍ଟରୁ ବି ୧୪୫ ଟଙ୍କା କଟିଥିଲା, କିନ୍ତୁ ଫେରିବା ବାବଦ ଟଙ୍କା କଟି ନଥିଲା। ଏହାପରେ ଶ୍ରୀ ଦେବତା ଗତ ବର୍ଷ ଜୁନ୍ ୨୫ ତାରିଖରେ ସମ୍ବଲପୁରରୁ ବରଗଡ଼ ନିକଟସ୍ଥ ତୋରା ଗାଁକୁ ଯାଇଥିଲେ। ତେଣୁ ସେ ଟୋଲ୍ ପ୍ଲାଜା ଅତିକ୍ରମ ନକରି ପାର୍ଶ୍ବରେ ଥିବା ଲୁପ୍‌ ରାସ୍ତା ଦେଇ ଯାଇଥିଲେ ଓ ସେହି ବାଟୁ ଫେରିଥିଲେ। କିନ୍ତୁ ଉଭୟ ଯିବା ଓ ଆସିବା ବେଳେ ତାଙ୍କ ଫାଷ୍ଟଟ୍ୟାଗ୍ ଆକାଉଣ୍ଟରୁ ୧୪୫ ଟଙ୍କା ଲେଖାଏଁ କଟି ଯାଇଥିଲା।

ଖାଉଟି ଅଦାଲତରେ କରିଥିବା ଅଭିଯୋଗରେ ଶ୍ରୀ ଦେବତା ଦର୍ଶାଇଥିଲେ ଯେ ଏପ୍ରିଲ୍ ୨୯ରେ ସେ ଟୋଲ୍ ପ୍ଲାଜା ଦେଇ ଥରେ ଯାଇଥିଲେ ଓ ଫେରିଥିଲେ। ସେ ବାବଦରେ ତାଙ୍କଠାରୁ ୨୨୦ ଟଙ୍କା ଆଦାୟ ହୋଇଥିଲା। ଏହାବାଦ ଅନ୍ୟାୟପୂର୍ଣ୍ଣ ଓ ବେଆଇନ୍‌ଭାବେ ଉଭୟଥର ତାଙ୍କ ବାପାଙ୍କ ଆକାଉଣ୍ଟରୁ ୧୪୫ ଓ ତାଙ୍କ ଆକାଉଣ୍ଟରୁ ୨୯୦କୁ ମିଶାଇ ମୋଟ ୪୩୫ ଟଙ୍କା ବେଆଇନ୍‌ଭାବେ ନିଆଯାଇଛି। ବର୍‌ହାଗୁଡ଼ା ଟୋଲ୍‌ପ୍ଲାଜାରେ ୪ ଚକିଆ ଗାଡ଼ିରୁ ଆଦାୟ କରା ଯାଉଥିବା ୧୪୫ ଟଙ୍କା ସରକାରୀ ନିର୍ଦ୍ଧାରିତ ଦରଠାରୁ ଅଧିକ। ଏହାଛଡ଼ା ବରଗଡ଼ ମୁନ୍‌ସିପାଲ୍‌ଟିର ୧୦ କିଲୋମିଟର୍‌ ମଧ୍ୟରେ ଟୋଲ୍ ପ୍ଲାଜା ସ୍ଥାପନ ମଧ୍ୟ ବେଆଇନ୍। ତେଣୁ ସେ ଆଇନ୍‌ଜୀବୀ ଏସ୍‌ଏସ୍ ପଣ୍ଡା ଆଣ୍ଡ ଆସୋସିଏଟ୍‌ସଙ୍କ ଜରିଆରେ ଆୟୋ‌ଗଙ୍କ ଦ୍ବାରସ୍ଥ ହୋଇଥିଲେ ଓ ସବୁ ପ୍ରମାଣ ଏବଂ କାଗଜପତ୍ର ଦାଖଲ କରିଥିଲେ। ଜବାବରେ ଉଭୟ ଅଭିଯୁକ୍ତ ପକ୍ଷ ସନ୍ତୋଷଜନକ ଉତ୍ତର ଓ ତଥ୍ୟ ପ୍ରମାଣ ଦେଇପାରି ନଥିଲେ। ଫଳରେ ସମସ୍ତ ୩ଟି ଯାକ ଅଭିଯୋଗରେ ସେମାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ମାମଲାର ବିଚାର କରି ସମ୍ବଲପୁର ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗର ସଭାପତି ଡ. ରମାକାନ୍ତ ଶତପଥୀ ଏବଂ ସଦସ୍ୟ ସଦାନନ୍ଦ ତ୍ରିପାଠୀ ଉଭୟ ଅଭିଯୁକ୍ତ ପକ୍ଷଙ୍କୁ ମିଳିତଭାବେ ବେଆଇନ୍‌ ଭାବେ ଆଦାୟ କରିଥିବା ୪୩୫ ଟଙ୍କା ୯% ସୁଧ ସହିତ ଫେରାଇବା, ଅଭିଯୋଗକାରୀଙ୍କୁ ହଇରାଣ ହରକତ କରିଥିବାରୁ ଉଭୟ ପକ୍ଷ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ତଥା ମୋକଦମା ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କା ଲେଖାଏଁ ଏକ ମାସ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥ ଅନାଦେୟ ୧୨% ହାରରେ ସୁଧ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ବର୍‌ହାଗୁଡ଼ା ଟୋଲ୍‌ ପ୍ଲାଜାକୁ ବରଗଡ଼ ପୌରାଞ୍ଚଳ ୧୦ କିଲୋମିଟର୍ ପରିଧି ବାହାରକୁ ଘୁଞ୍ଚାଇବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର