ଭୁବନେଶ୍ବର: କାହାଣୀ କେବଳ ତଥ୍ୟ ନୁହେଁ। ତଥ୍ୟରୁ କାହାଣୀ ସୃଷ୍ଟି କରିବାକୁ ହୋଇଥାଏ। କାହାଣୀରେ ଘଟଣାକ୍ରମ ଥାଏ। ଚରିତ୍ର ସଂପର୍କରେ ସୂଚନା ଦିଆଯାଇଥାଏ। ଡାଇଲଗ୍ ବା ସମ୍ଭାଷଣ ରହିଥାଏ। କିଛି ଅପ୍ରତ୍ୟାଶିତ ଘଟଣା ମଧ୍ୟ ରହିଥାଏ। କିଛି ନିର୍ଯାସ ମଧ୍ୟ ରହିଥାଏ। ଏସବୁକୁ ନେଇ କାହାଣୀ ସୃଷ୍ଟି କରାଯାଇପାରେ ବୋଲି ବିଶିଷ୍ଟ କାହାଣୀକାର ତଥା କନେକ୍ଟିଂ ଦି ଡଟ୍‌ସ କନସଲଟାନ୍ସି, ମାଲେସିଆର ପ୍ରତି‌ଷ୍ଠାତା ତଥା ସିଇଓ ଭରତ ଆଭଲାନି ମତବ୍ୟକ୍ତ କରିଛନ୍ତି।

Advertisment

ସମ୍ବାଦ ସିଇଓ କନକ୍ଲେଭରେ ‘ବିଜ୍‌ନେସ୍‌ ଲିଡର୍ସ ଆଜ୍‌ ଷ୍ଟୋରିଟେଲର୍ସ’ ଶୀର୍ଷକରେ ଶ୍ରୀ ଆଭଲାନି କାହାଣୀ କିଭଳି କହିବାକୁ ହୋଇଥାଏ, କେଉଁ କାହାଣୀକୁ ଲୋକମାନେ ପସନ୍ଦ କରିଥାନ୍ତି ତାହା ଉପରେ ଆଲୋକପାତ କରିଥିଲେ। କାହାଣୀ ଯିଏ କହିବାକୁ ଯାଏ ତାହା ନିକଟରେ ଅନେକ କାହାଣୀ ମଧ୍ୟ ମହଜୁଦ ଥିବା ଆବଶ୍ୟକ। ଏହି ଅବସରରେ ସେ ବିଜୁ ପଟ୍ଟନାୟକଙ୍କ ଉପରେ ଏକ କାହାଣୀ କହିଥିଲେ। ସେ କହିଲେ ବିଜୁ ପଟ୍ଟନାୟକ ଜଣେ ଶିଳ୍ପପତି ଥିଲେ। ଶିଳ୍ପରୁ ଯେଉଁ ଅର୍ଥ ଉପାର୍ଜନ କରିଥିଲେ ତାହାକୁ ବିଦେଶୀ ମୁଦ୍ରାରେ ପରିବର୍ତ୍ତନ କରିଥିଲେ। ତାହାକୁ ଉପଯୋଗ କରି ବିଜ୍ଞାନର ପ୍ରଚାର ପ୍ରସାର ପାଇଁ ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରତିଷ୍ଠା କରିଥିଲେ। ସେହି ସମୟରେ ଟଙ୍କାକୁ ବିଦେଶୀ ମୁଦ୍ରାରେ ପରିଣତ ପାଇଁ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଅନୁମତି ନେବାକୁ ପଡ଼ିଥିଲା। ଏଥିସହିତ ସେ ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମ ବେଳେ ସେ ଦେଶର ନେତାଙ୍କୁ ତାଙ୍କ ଡାକୋଟା ବିମାନରେ ଉଦ୍ଧାର କରିଥିଲେ। ନବୀନ ପଟ୍ଟନାୟକଙ୍କୁ ବର୍ଷେ ହୋଇଥିବାବେଳେ ସେ ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କୁ ନେଇ ଇଣ୍ଡୋନେସିଆ ଯାତ୍ରା କରିଥିଲେ। ଏଥିସହିତ ଇଣ୍ଡୋନେସିଆରେ ପାଇଲଟ ତାଲିମ ପାଇଁ ନିଜ ଡାକୋଟା ବିମାନକୁ ମଧ୍ୟ ଦେଇଥିଲେ ବୋଲି ଶ୍ରୀ ଆଭଲାନି କହିଥିଲେ।