କେଏମ୍‌ବିବିରେ ‘ଅଭିଜ୍ଞ ପରାମର୍ଶ’ ୱେବିନାର

ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ଦଳେଇପୁଟଠାରେ ଥିବା କନକ ମଂଜରୀ ବ୍ରଜବନ୍ଧୁ ବୈଷୟିକ ମହାବିଦ୍ୟାଳୟ (କେଏମ୍‌ବିବି)ରେ ଅଭିଜ୍ଞ ପରାମର୍ଶ (ଏକ୍ସପର୍ଟ ଟକ୍) କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

କେଏମ୍‌ବିବି ବୈଷୟିକ ମହାବିଦ୍ୟାଳୟର ଇଂଜିନିୟରିଂ ଆଣ୍ତ୍‌ ଟେକ୍ନଲୋଜି ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି ୱେବିନାର କାର୍ଯ୍ୟକ୍ରମରେ ବେଙ୍ଗାଲୁରୁର ଏକାଗା ଟେକ୍ନୋଲୋଜି ଓ କନ୍‌ସଲଟିଂର ପ୍ରବୀଣ କୁମାର ଆଲୋଚକ ଭାବେ ଯୋଗ ଦେଇଥିଲେ। ସଫ୍ଟୱେୟାର୍ ବିକାଶ ଓ କୌଶଳ ବିକାଶ କ୍ଷେତ୍ରରେ ସେ ରଖିଥିବା ୧୨ ବର୍ଷର ଅଭିଜ୍ଞତାକୁ ଏହି ଅବସରରେ ବାଣ୍ଟିଥିଲେ। ଆଇଓଟି-ଏଲିମେଂଟ୍ ସମ୍ପର୍କରେ ବିଷଦ ତଥ୍ୟ ଦେବା ସହ ବର୍ତ୍ତମାନ କମ୍ପାନିଗୁଡ଼ିକରେ ନିଯୁକ୍ତି ପାଇଁ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ସମ୍ପର୍କରେ ଜ୍ଞାନ ସହ ବ୍ୟକ୍ତିତ୍ବର ଆବଶ୍ୟକତାକୁ କିଭଳି ଗୁରୁତ୍ବ ଦିଆଯାଉଛି, ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। କର୍ମକ୍ଷେତ୍ରରେ ନିଜର ଦକ୍ଷତାକୁ ନିରନ୍ତର କିଭଳି ବୃଦ୍ଧି କରାଯାଇପାରିବ ସେନେଇ ବିଭିନ୍ନ ନିୟମ ସମ୍ପର୍କରେ ମଧ୍ୟ ବୁଝାଇଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ସୌମ୍ୟ ଦର୍ଶନ ମହାନ୍ତି ନିଜ ବକ୍ତବ୍ୟରେ ଏଭଳି ପ୍ରଶିକ୍ଷଣ ଓ ଆଲୋଚନାଚକ୍ର ଦ୍ବାରା ଛାତ୍ରଛାତ୍ରୀଙ୍କ ମନସ୍ତାତ୍ବିକ ଓ ବୌଦ୍ଧିକ କ୍ଷେତ୍ର ପରିମାର୍ଜିତ ହେବ ବୋଲି ମତ ଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ରଫେସର ରବୀନ୍ଦ୍ର କୁମାର ପ୍ରଧାନ, ପ୍ରଫେସର ମନମୋହନ ସାହୁ, ପ୍ରଫେସର ସଂଗ୍ରାମ ତ୍ରିପାଠୀ ପ୍ରମୁଖ ସଂଯୋଜନା କରିଥିଲେ। ଏଭଳି କାର୍ଯ୍ୟକ୍ରମ ମହାବିଦ୍ୟାଳୟରେ ଆୟୋଜିତ ହୋଇଥିବାରୁ କେଏମ୍‌ବିବି ଅନୁଷ୍ଠାନ ସମୂହର ଅଧ୍ୟକ୍ଷ ତଥା ଖଣ୍ତପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ମହାବିଦ୍ୟାଳୟର ନିର୍ଦ୍ଦେଶକ (ପ୍ରଶାସନ) ସରୋଜ ପଣ୍ତା ମହାବିଦ୍ୟାଳୟ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର