ସମ୍ବଲପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାର ୧୦ ଦିନ ମଧ୍ୟରେ ଏକ ବିଶେଷଜ୍ଞ ଦଳ ସମ୍ବଲପୁର ଆସି ମା’ ସମଲେଶ୍ୱରୀ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଉନ୍ନୟନ ପାଇଁ ସମ୍ଭାବନା ଖୋଜିଛନ୍ତି। ପୂର୍ତ୍ତ ବିଭାଗ ଅନ୍ତର୍ଗତ ଓଡ଼ିଶା ପୋଲ ଓ ନିର୍ମାଣ ନିଗମ ଲିମିଟେଡ୍ (ଓବିସିସି)ର ପରିଚାଳନା ନିର୍ଦ୍ଦେଶକ ଜୟକୃଷ୍ଣ ଦାସଙ୍କ ନେତତ୍ୱରେ ଆସିଥିବା ଏହି ୩ ଜଣିଆ ବିଶେଷଜ୍ଞ ଦଳ ଗୁରୁବାର ମୁଖ୍ୟ ମନ୍ଦିର, ଏହାର ପରିସର, ଚାରିପାର୍ଶ୍ବରେ ଥିବା ଜନବସତି ଆଦି ବୁଲି ଦେଖିଥିଲେ। ସେମାନେ ମୁଖ୍ୟ ମନ୍ଦିର, ମନ୍ଦିର ବେଢ଼ା, ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର, ମନ୍ଦିର ପରିସରରେ ଥିବା ପୂଜକ ଓ ସେବାୟତଙ୍କ ବସତି, ଭୋଗ ମଣ୍ଡପ, ପାର୍କିଂ ଅଞ୍ଚଳ, ଫ୍ଲୋଟିଂ ଫାଉଣ୍ଟାନ ଆଦି ଦେଖିବା ପରେ ୱାଚ୍ଟାୱାର୍କୁ ଚଢ଼ିଥିଲେ। ଏହା ବ୍ୟତୀତ କମଲିବଜାର ଫିସ୍ରି ଅଫିସ୍, ଗୋପାଲଜୀ ମଠ, ଗୋଶାଳା, ରାୟପଡ଼ା, ଅମରିପଡ଼ା, ବଡ଼ବଜାର ଭିତର କୁଷ୍ଠାପଡ଼ା, କେଉଟପଡ଼ା ଆଦି ବୁଲି ରିଂରୋଡ୍ରେ ବାହାରିଥିଲେ।
‘ସମ୍ବାଦ’କୁ ନିଜ ପ୍ରତିକ୍ରିୟାରେ ଶ୍ରୀ ଦାସ କହିଲେ, ସରକାର ମା’ଙ୍କ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ବିକାଶ ଚାହୁଁଛନ୍ତି। କିଛି ତ ହେବ ନିଶ୍ଚୟ। କିନ୍ତୁ ଏଥି ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା। ଆମର ଏହା ପ୍ରାଥମିକ ଗସ୍ତ ଓ ଆମେ କେବଳ ବୁଲି ଦେଖିବାକୁ ଆସିଛୁ। ଏହାପରେ ମନ୍ଦିର ଉନ୍ନୟନର ବିଭିନ୍ନ ସମ୍ଭାବନା ସଂପର୍କରେ ସହରର ବୁଦ୍ଧିଜୀବୀ ଓ ସ୍ଥାନୀୟ ଅଧିବାସୀଙ୍କ ମତାମତ ନିଆଯିବ। ଏହାକୁ ନେଇ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା, ପର୍ଯ୍ୟାଲୋଚନା ପରେ ସରକାରଙ୍କୁ ଯୋଜନା ଗୁଡ଼ିକ ସଂପର୍କରେ ପ୍ରସ୍ତାବ ଦିଆଯିବ ବୋଲି ଶ୍ରୀ ଦାସ କହିଥିଲେ। ଶ୍ରୀ ଦାସଙ୍କ ସହ ୩ ଜଣିଆ ଟିମ୍ରେ ପୂର୍ତ୍ତ ବିଭାଗ ଆର୍ଡିକ୍ୟୁପିର ମୁଖ୍ୟଯନ୍ତ୍ରୀ (କ୍ବାଲିଟି କଣ୍ଟ୍ରୋଲ) ଜ୍ଞାନରଂଜନ ବେହୁରା ଏବଂ ଆର୍କିଟେକ୍ଟ ଅକ୍ଷୟ ବେଉରିଆ ସାମିଲ ଥିଲେ। ସେହିପରି ମାଁଙ୍କ ମନ୍ଦିର ପରିଦର୍ଶନ ବେଳେ ଉପଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ତହସିଲଦାର ଲକ୍ଷ୍ମଣ ଅମାତ, ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହାଛଡ଼ା ମନ୍ଦିର କମିଟି ସଭାପତି ସଂଜୟ ବାବୁ, ପଞ୍ଚାନନ ତ୍ରିପାଠୀ, ପ୍ରଫୁଲ୍ଲ ହୋତା, ସୁବ୍ରତ ପଣ୍ଡାଙ୍କ ସମେତ ବହୁ ସ୍ଥାନୀୟ ଲୋକ ବିଶେଷଜ୍ଞଙ୍କୁ ବିଭିନ୍ନ ଅଞ୍ଚଳ ବୁଲାଇ ଥିଲେ। ମନ୍ଦିର ପରିଦର୍ଶନ ପରେ ବିଶେଷଜ୍ଞ ଦଳ ଜିଲ୍ଲାପାଳ ଶୁଭମ ସକ୍ସେନାଙ୍କ ସହ ଏକ ସଂକ୍ଷିପ୍ତ ବୈଠକ କରିବା ପରେ ଭୁବନେଶ୍ବର ଫେରି ଯାଇଛନ୍ତି। ଏ ସଂପର୍କରେ ଜିଲ୍ଲାପାଳ ଶ୍ରୀ ସକ୍ସେନା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବିଶେଷଜ୍ଞ ଦଳର ଏହା ଏକ ପ୍ରାରମ୍ଭିକ ଗସ୍ତ ଥିଲା। ସେମାନେ କେତେ ଜାଗା ଅଛି ଓ ତା’ ମଧ୍ୟରେ କଣ ସବୁ କରାଯାଇ ପାରିବ ସେ ସଂପର୍କରେ ଅନୁଧ୍ୟାନ କରିଛନ୍ତି।
ସୂଚନାଯୋଗ୍ୟ, ଗତ ୨୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଗସ୍ତରେ ଆସି ମାଁ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ। ମାଁଙ୍କ ମନ୍ଦିର ଓ ହୀରାକୁଦର ବିକାଶ କରାଯାଇ ଏହାକୁ ଅନ୍ତର୍ଜାତୀୟସ୍ତରର ପର୍ଯ୍ୟଟନସ୍ଥଳ ଭାବେ ବିକାଶିତ କରାଯିବ ବୋଲି ସେହି ପ୍ରାଙ୍ଗଣରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ବର୍ତ୍ତମାନ ସରକାର ପୁରୀ ଶ୍ରୀମନ୍ଦିର, କୋଣାର୍କ ଓ ଲିଙ୍ଗରାଜ ମନ୍ଦିରର ବିକାଶ କାମ ହାତକୁ ନେଇଥିବାରୁ ମା ସମ୍ବଲେଶ୍ୱରୀ ମନ୍ଦିର ଚତୁଃପାର୍ଶ୍ବରେ ବି ସେହି ଢାଞ୍ଚାରେ ଉନ୍ନୟନ କାର୍ଯ୍ୟ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ଆଲୋଚନା ହେଉଛି।