ରବି ଫସଲ ବୁଣାବୁଣି ସ୍ଥଗିତ ରଖିବାକୁ ବିଶେଷଜ୍ଞଙ୍କ ପରାମର୍ଶ

ଭୁବନେଶ୍ବର : ଚାଷୀଙ୍କ ପାଇଁ ପୁଣି ଚିନ୍ତା ବଢ଼ାଇଛି ଅଦିନିଆ ବର୍ଷା। ପରିବା ଓ ରବି ଫସଲ ପାଇଁ ଏହି ବର୍ଷା ସମସ୍ୟା ସୃଷ୍ଟି କରିଛି। ତେଣୁ ରବି ଫସଲ ବୁଣାବୁଣି କରିବାକୁ ବାହାରୁଥିବା ଚାଷୀଙ୍କୁ କିଛି ଦିନ ଅପେକ୍ଷା କରିବାକୁ କୃଷି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଚିନାବାଦାମ, ସୋରିଷ, ମୁଗ, ବିରି ଆଦି ଏବେ ବୁଣାବୁଣି ନକରିବାକୁ ଓୟୁଏଟି ପକ୍ଷରୁ ପରାମର୍ଶ ଦିଆଯାଇଛି। ଯେଉଁ ସ୍ଥାନରେ ଏହି ସବୁ ଫସଲର ବିହନ ବୁଣାବୁଣି ସରିଯାଇଛି, ସେଠାରେ ଜମିରେ ନାଳି କରି ପାଣି ନିଷ୍କାସନ କରିବାକୁ କୁହାଯାଇଛି। ଟମାଟ, ବାଇଗଣ, ଲଙ୍କା ତଳି ପଡ଼ିଥିବା ସ୍ଥାନକୁ ପଲିଥିନ ଘୋଡ଼ାଇ ରଖିବାକୁ କୁହାଯାଇଛି। ବର୍ଷା ପରେ ପରିବା ଗଛରେ ଝାଉଁଳା ରୋଗ ଦେଖାଯାଇଥାଏ। ତେଣୁ ଏଥିପ୍ରତି ସତର୍କ ରହିବାକୁ ଓୟୁଏଟି ପାଣିପାଗ ବିଶେଷଜ୍ଞ ତୁଷାର ରଞ୍ଜନ ମହାନ୍ତି କହିଛନ୍ତି।

ଗତବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଖରିଫ ଚାଷରେ ୨୦ ପ୍ରତିଶତ ଉତ୍ପାଦନ ହ୍ରାସ ପାଇଥିଲା। ଏହାପରେ ଅକ୍ଟୋବର ମାସର ଅଦିନିଆ ବର୍ଷା ଓ ରୋଗପୋକ ଯୋଗୁଁ ୨୪ ଜିଲ୍ଲାର ୨୮ ହଜାରରୁ ଊର୍ଧ୍ବ ହେକ୍ଟର ଫସଲ ବରବାଦ ହେଲା। ଡିସେମ୍ବର ମାସରେ ବାତ୍ୟା ଜୱାଦ ଯୋଗୁଁ ୧୨ ଜିଲ୍ଲାର ୩ ଲକ୍ଷ ୯୪ ହଜାର ୯୧୬ ହେକ୍ଟର ଫସଲ ନଷ୍ଟ ହୋଇଗଲା। ବର୍ତ୍ତମାନ ଜାନୁଆରିର ଏହି ଅଦିନିଆ ବର୍ଷାର କୋପଦୃଷ୍ଟି ଡାଲି ଓ ତୈଳବୀଜ ଜାତୀୟ ଫସଲ ଉପରେ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି କୃଷି ବିଭାଗ ନିର୍ଦେଶରେ ଜିଲ୍ଲା କୃଷି ଅଧିକାରୀମାନେ କ୍ରପ୍‌ କଟିଂ ରିପୋର୍ଟ ଦାଖଲ କରିଛନ୍ତି। ବିଶେଷଜ୍ଞ କହିଛନ୍ତି ଏହି ଅଦିନିଆ ବର୍ଷା ସବୁ ଫସଲର କ୍ଷତି କରିବ ନାହିଁ। ଜମି କିସମ ଅନୁସାରେ କିଛି ସ୍ଥାନରେ ଏହି ବର୍ଷା ଷ୍ଟାଣ୍ଡିଂ କ୍ରପ୍‌କୁ ସୁହାଇବ। ବର୍ଷା ଜଳ ଜମୁଥିବା ଜମିରେ ସୋରିଷ, ଚଣା, ବାଦାମ ଚାଷ ହୋଇଥିଲେ, ପାଣି କାଟିବା ବ୍ୟବସ୍ଥା କରାଗଲେ, ଫସଲ ଭଲ ହେବ। ପାଣି ଜମି ରହିଲେ ଅସୁବିଧା। ସେହିଭଳି ବର୍ଷା ସରିବା ପରେ ପୁଣି ବୁଣାବୁଣି କରିପାରିବେ। ଜମିର ପ୍ରସ୍ତୁତି ଏବଂ ବୁଣାବୁଣି ପାଇଁ ଏହି ଆର୍ଦ୍ରତା ମଧ୍ୟ ସହାୟକ ହୋଇ ପାରିବ। ଆହୁରି ମଧ୍ୟ ରାଜ୍ୟର କିଛି ଜିଲ୍ଲାର ଚାଷୀ ଧାନ କାଟି ନାହାନ୍ତି। ସେମାନଙ୍କ ପାଇଁ ଏହି ବର୍ଷା ଅସୁବିଧା ସୃଷ୍ଟି କରିବ। ଧାନ ଗଜା ହୋଇଯିବ। କାଲିଠାରୁ ପଶ୍ଚିମଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଜୱାଦ ଏବଂ ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ପରିବା ଉତ୍ପାଦନ ବିଳମ୍ବିତ ହୋଇଥିଲା। ଏହି ବର୍ଷା ପରିବା ଉତ୍ପାଦନକୁ ଆହୁରି କ୍ଷତିଗ୍ରସ୍ତ କରିବା ନେଇ ଆଶଙ୍କା ରହିଛି। ବିଶେଷକରି ଓଡ଼ିଶାର ଆଳୁ ଓ ପିଆଜ ବଜାରକୁ ଆସିବା ନେଇ ଅନିଶ୍ଚିତତା ରହିଛି। ପରିବା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ବିଶେଷ କ୍ଷତିପୂରଣ ବ୍ୟବସ୍ଥା ନଥିବାରୁ ସେମାନଙ୍କ କ୍ଷତି ଦୁଇଗୁଣ ହେବ।

ସମ୍ବନ୍ଧିତ ଖବର