ଓପନ୍‌ହାର୍ଟ ସର୍ଜରି ପାଇଁ ମିଳିବେନି ବିଶେଷଜ୍ଞ

ଏସ୍‌ସିବିର କାର୍ଡିଓଥୋରୋସିସ୍‌ ବିଭାଗରେ ପିଜି ନାମଲେଖା ବନ୍ଦ, ବିଶେଷଜ୍ଞ ଅଭାବରୁ ବ୍ରହ୍ମପୁରରେ ତାଲା

କଟକ : ଆଗକୁ ଓପନ୍‌ହାର୍ଟ ସର୍ଜରି ପାଇଁ ବିଶେଷଜ୍ଞ ମିଳିବେନି। ସରକାରୀ ବ୍ୟବସ୍ଥାରେ ରାଜ୍ୟରେ ତିନି ବର୍ଷ ହେଲା ବାହାରି ପାରୁନାହାନ୍ତି କାର୍ଡିଓଥୋରୋସିସ୍‌ ବିଶେଷଜ୍ଞ। ଉଭୟ ଏସ୍‌ସିବି ଓ ମେଡିକାଲ କଲେଜର କାର୍ଡିଓଥୋରୋସିସ୍‌ ବିଭାଗରେ ଅଚଳାବସ୍ଥା ସୃଷ୍ଟି ହୋଇଥିବାରୁ ଏହି ଆଶଙ୍କା ଦେଖାଦେଇଛି। ଗୋଟିଏ ପଟେ ଏସ୍‌ସିବି ମେଡିକାଲ କଲେଜରେ ନାମଲେଖା ବନ୍ଦ ହୋଇଥିବାବେଳେ ଅନ୍ୟପଟେ ବ୍ରହ୍ମପୁର ମେଡିକାଲ କଲେଜରେ ବିଶେଷଜ୍ଞ ଅଭାବରୁ ଏହି ବିଭାଗରେ ତାଲା ପଡ଼ିଛି।

ଏସ୍‌ସିବିର ଏହି ବିଭାଗରେ ୩ ବର୍ଷ ଧରି ବନ୍ଦ ହୋଇଯାଇଛି ପିଜି ନାମଲେଖା। ଆବଶ୍ୟକତା ଅନୁସାରେ ତଥା ଏନ୍‌ଏମ୍‌ସି ଗାଇଡ୍‌ ଲାଇନ୍‌ ଅନୁସାରେ ପାଠପଢାଇବା ପାଇଁ ପ୍ରଫେସର ନଥିବାରୁ ଏସ୍‌ସିବି ହୃଦ୍‌ବକ୍ଷଶଲ୍ୟ (କାର୍ଡିଓଥୋ‌ରାସିସ୍‌) ବିଭାଗରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ସରକାରୀ ବ୍ୟବସ୍ଥାରେ କେବଳ ଏହି ପାଠ୍ୟକ୍ରମ ପାଇଁ ଏସ୍‌ସିବିରେ ଗୋଟିଏ ପିଜି ସିଟ୍ ଖୋଲାଯାଇଛି। ୨୦୧୯ରୁ ସେଥିରେ ନାମଲେଖା ବନ୍ଦ ହୋଇ ଯାଇଥିବାରୁ ଗଲା ୬ ବର୍ଷ ଭିତରେ ରାଜ୍ୟରେ ୬ ଜଣ ବିଶେଷଜ୍ଞ ବାହାରିବାକୁ ଥିବା ବେଳେ ବାହାରିଛନ୍ତି ମାତ୍ର ୩ ଜଣ। ଏଭଳି କାରଣରୁ ବିଶେଷଜ୍ଞ ଡାକ୍ତର ଅଭାବ ସମସ୍ୟା ସୁଧୁରିବା ବଦଳରେ ଜଟିଳ ହେବାରେ ଲାଗିଛି। ଏହି କାରଣରୁ ବ୍ରହ୍ମପୁର ମେଡିକାଲ କଲେଜରେ କାର୍ଡିଓଥୋରାସିସ୍‌ ବିଭାଗ ରହିଥିଲେ ବି ବିଶେଷଜ୍ଞ ନଥିବାରୁ ବିଭାଗ ବନ୍ଦ ପଡ଼ିଛି।

ସୂଚନା ଅନୁସାରେ, କଟକ ବଡ ଡାକ୍ତରଖାନାରେ ହୃଦ୍‌ବକ୍ଷଶଲ୍ୟ ବିଭାଗ ୧୯୬୬ ମସିହାରୁ ଆରମ୍ଭ ହୋଇଛି। ଅତି ଗୁରୁତ୍ବପୂର୍ଣ୍ଣ ବିଭାଗ ଓପନ୍‌ହାର୍ଟ ସର୍ଜରିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ‌ଅସ୍ତ୍ରୋପଚାର କରାଯାଏ ବିଭାଗରେ। ସରକାରଙ୍କ ମାଗଣା ବ୍ୟବସ୍ଥା ପରେ ଏହି ବିଭାଗ ମାଧ୍ୟମରେ ଅନେକ ଗରିବ ରୋଗୀ ଉପକୃତ ହେଉଛନ୍ତି। ତେବେ ବିଭାଗରେ ୨୦୧୩ରୁ ପିଜି ପାଠ୍ୟକ୍ରମ ଆରମ୍ଭ ହୋଇଛି। ଗୋଟିଏ ପିଜି ସିଟ୍‌ ପାଇଁ ନ୍ୟାସନାଲ ମେଡିକାଲ କାଉନସିଲ ମଧ୍ୟ ଅନୁମତି ଦେଇଛନ୍ତି। ଫଳରେ ୨୦୧୩ରୁ ଆରମ୍ଭ ହୋଇଥିବା ପିଜି ପାଠ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୩ଜଣ କାର୍ଡିଓଥୋରୋସିସ୍‌ ବିଶେଷଜ୍ଞ ବାହାରିଥିବାବେଳେ ତା’ପରଠାରୁ ଅର୍ଥାତ୍‌ ୨୦୧୯ରୁ ପିଜି ନାମଲେଖା ବନ୍ଦ ରହିଛି। ବିଭାଗରେ ୨ଜଣ ପ୍ରଫେସର, ୨ ଜଣ ଆସୋସିଏଟ୍‌ ପ୍ରଫେସର ଓ ୩ଜଣ ଆସିଷ୍ଟାଣ୍ଟ ପ୍ରଫେସର ରହିବା କଥା। ହେଲେ ଏବେ ଜଣେ ପ୍ରଫେସର ଓ ଦୁଇ ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନେଇ ଚାଲିଛି ବିଭାଗ। ବିଶେଷଜ୍ଞ ଅଭାବ ଯୋଗୁଁ ପିଜି ନାମଲେଖା ବନ୍ଦ ସହିତ ସେପଟେ ଅସ୍ତ୍ରୋପଚାର ପାଇଁ ପ୍ରତି ମାସରେ ଶହେରୁ ଅଧିକ ରୋଗୀ ଅପେକ୍ଷାରେ ରହୁଛନ୍ତି। ସରକାର ଏ ସଂପର୍କରେ ଅବଗତ ଅଛନ୍ତି ବୋଲି ଏସସିବି କର୍ତ୍ତୃପକ୍ଷ କହୁଥିବା ବେଳେ ଏହି ଗୁରୁତ୍ବପୂର୍ଣ୍ଣ ବିଭାଗ ପ୍ରତି କେବେ ସରକାରଙ୍କ ଦୃଷ୍ଟି ପଡିବ, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର