ଯାଞ୍ଚ ହେଲା ନୀଳଚକ୍ର, ମାସେ ଭିତରେ ମରାମତି

୨ଟି ଅର ହୁଗୁଳା
୧୨ଟି ଆର୍ଥିଂ ଆଣ୍ଟିନାରୁ ୮ଟି ନାହିଁ
୧୫ ଦିନ ମଧ୍ୟରେ ହସ୍ତାନ୍ତର ହେବ ଜଗମୋହନ

ପୁରୀ : ଆଜି ନୀଳଚକ୍ରକୁ ଯାଞ୍ଚ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ଯାଞ୍ଚ କରାଯାଇଛି। ପ୍ରଶାସନିକ ଅଧିକାରୀଙ୍କ ସମେତ ଏଏସ୍‌ଆଇର ଅଧିକାରୀ, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ସହ ଏକ ବିଶେଷଜ୍ଞ ଟିମ୍‌ ଶ୍ରୀମନ୍ଦିର ଚଢ଼ି ନୀଳଚକ୍ର ଯାଞ୍ଚ କରିଛନ୍ତି। ଏଥିରେ ଥିବା ୮ଟି ଅରରୁ ଦୁଇଟି ଦୁର୍ବଳ ଥିବା ଜଣାପଡ଼ିଛି। ଏଥିରେ ଗୋଟିଏ ଅରର କିଛି ଅଂଶରେ କଳଙ୍କି ଲାଗି ଯାଇଛି। ସେହିଭଳି ଅଁଳା ବେଢ଼ାରେ ଲାଗିଥିବା ୧୨ଟି ଆର୍ଥିଂ(ଲାଇଟିନିଂ ଆରେଷ୍ଟର) ଆଣ୍ଟିନାରୁ ୮ଟି ଭାଙ୍ଗି ଯାଇଛି। ମାଙ୍କଡ଼ ଏହାକୁ ଭାଙ୍ଗି ଦେଇଥିବା ଅନୁମାନ କରାଯାଉଛି। ୨୦୧୨ ମସିହାରେ ଏସିଆ ବ୍ରାଉନ୍‌ ବୋଭରୀ (ଏବିବି) ନାମକ ସଂସ୍ଥା ଦ୍ୱାରା ଜଗମୋହନରେ ଏଭଳି ଲାଇଟିନିଂ ଆରେଷ୍ଟ ବ୍ୟବସ୍ଥା ହୋଇଥିଲା। ଏହିି ସଂସ୍ଥା ଏବେ ମୁଖ୍ୟ ମନ୍ଦିରରେ ମଧ୍ୟ ଏହି ବ୍ୟବସ୍ଥା କରିବ ବୋଲି ନିଷ୍ପତ୍ତି ହୋଇଛି।

ଶ୍ରୀମନ୍ଦିର କୋର୍‌ କମିଟିର ଅଧ୍ୟକ୍ଷ ଆନନ୍ଦପ୍ରାଣ ଗୁପ୍ତାଙ୍କ ଅଧ୍ୟକ୍ଷତାରେ କୋର୍‌ କମିଟି ଆଜି ନାଟମଣ୍ଡପ ଯାଞ୍ଚ କରିଛି। ଜଗମୋହନକୁ ୧୫ ଦିନ ମଧ୍ୟରେ ହସ୍ତାନ୍ତର କରାଯିବା ପରେ ନାଟମଣ୍ଡପ କାମ ଆରମ୍ଭ ହେବ ବୋଲି ଶ୍ରୀ ଗୁପ୍ତା ସ୍ପଷ୍ଟ କରିଛନ୍ତି। ଜଗମୋହନରେ ଦର୍ଶନ ଆରମ୍ଭ ହେଲେ ନାଟମଣ୍ଡପରେ ଭାରା ବନ୍ଧା ଯାଇ ସମ୍ପୂର୍ଣ୍ଣ ଯାଞ୍ଚ କରାଯିବ। ଯାଞ୍ଚ କରାଯିବା ପରେ ହିଁ ଏହାର ମରାମତି ପାଇଁ ରୂପରେଖ ନିର୍ଣ୍ଣୟ କରାଯାଇ ପାରିବ। ତା ଛଡ଼ା ନାଟମଣ୍ଡପ ଓ ଜଗମୋହନର ମିଳନସ୍ଥଳରେ କିଛି ସମସ୍ୟା ରହିଛି। ତାହାକୁ ସମାଧାନ ପାଇଁ ଏଏସ୍‌ଆଇକୁ ଡିଜାଇନ୍‌ ଦିଆଯାଇଥିବା ଶ୍ରୀ ଗୁପ୍ତା କହିଛନ୍ତି। ସେହିଭଳି ବେହରଣ ଦ୍ଵାର ନିକଟରେ ହେଉଥିବା ମରାମତି ପାଇଁ ସ୍ୱତନ୍ତ୍ର ଡିଜାଇନ୍‌ ପ୍ରସ୍ତୁତ କରାଯାଇଛି।

ଏ.ପି. ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଆସିଥିବା ଟିମ୍‌ରେ ସଦସ୍ୟ ପଦ୍ମଲୋଚନ ମହାପାତ୍ର, ଧର୍ମପ୍ରସାଦ ମିଶ୍ର, ଏଏସ୍‌ଆଇର ସୁପରିଟେଣ୍ଡିଂ ଇଞ୍ଜିନିୟର ପି. କୁଲକର୍ଣ୍ଣି ପ୍ରତ୍ନତାତ୍ତ୍ୱିକ ଅଧିକ୍ଷକ ହେମସାଗର ଅଭୟ କୁମାର ନାୟକ, ଶ୍ରୀମନ୍ଦିର ଅଧିକ୍ଷଣ ଯନ୍ତ୍ରୀ ବିନ୍ଧେଶ୍ୱର ପାତ୍ର, ଏଏସ୍‌ଆଇର ଚିତ୍ତରଞ୍ଜନ ଦାଶ, ଡ. ଏନ୍‌ସି ପାଲ ପ୍ରମୁଖ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ। ପ୍ରଥମ ଥର ପାଇଁ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ନୀଳଚକ୍ର ପର୍ଯ୍ୟନ୍ତ ଯାଇ ସ୍ଥିତି ପରଖିଥିଲେ।

ସମ୍ବନ୍ଧିତ ଖବର