ତୃତୀୟ ଲହରକୁ ନେଇ ସତର୍କ କରାଇଲେ ବିଶେଷଜ୍ଞ: କୋଭିଡ୍‌ ନିୟମ ନମାନିଲେ ବିପଦ

ଆବଶ୍ୟକ ପଡ଼ିପାରେ ବୁଷ୍ଟର ଡୋଜ୍

ଭୁବନେଶ୍ବର : କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି। କିଏ ଅଗଷ୍ଟ ମାସରେ ଆସିବ କହୁଛନ୍ତି ତ ଆଉ କିଏ ସେପ୍ଟେମ୍ବର-ଅକ୍ଟୋବରରେ। ଏକାଧିକ ୟୁରୋପୀୟ ଦେଶରେ ତୃତୀୟ ଲହର ଆସି ସାରିଲାଣି। ତେଣୁ ଭାରତରେ ମଧ୍ୟ ତୃତୀୟ ଲହର ଆଶଙ୍କାକୁ ଦୂରେଇ ଦେଇହେବ ନାହିଁ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ତେଣୁ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ସହିତ ବ୍ୟାପକ ଟିକାକରଣକୁ ବ୍ୟାପକ କରିବା ଉପରେ ଗୁରୁତ୍ବ ଦିଆଯାଉଛି।

ଗତବର୍ଷ ସେପ୍ଟେମ୍ବର ମାସରେ ପ୍ରଥମ ଲହର ଶୀର୍ଷ ସଂକ୍ରମଣ ଆସିଥିବା ବେଳେ ଚଳିତବର୍ଷ ମେ’ମାସ ଶେଷ ସପ୍ତାହ ଆଡ଼କୁ ରାଜ୍ୟରେ ଦ୍ବିତୀୟ ଲହର ଶୀର୍ଷକୁ ଛୁଇଁଥିଲା। କିଛି ଜିଲ୍ଲାରେ କରୋନା କଟକଣା ହଟିବା ପରେ ଜନସାଧାରଣ ଏବେ ଢିଲା ହୋଇଗଲେଣି। କୋଭିଡ୍‌ ନିୟମକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ବଜାରଘାଟରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଲାଣି। ସାମାଜିକ ଦୂରତାକୁ‌ ଲୋକମାନେ ଭୁଲି ଗଲେଣି। ଯଦି ଏଭଳି ପରିସ୍ଥିତି ଲାଗି ରୁହେ ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ରାଜ୍ୟରେ କରୋନାର ତୃତୀୟ ଲହର ଆସିପାରେ ବୋଲି ଜନସାଧାରଣଙ୍କୁ ସତର୍କ କରାଇଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ଡା. ବିଜୟ ମହାପାତ୍ର। ଡା. ମହାପାତ୍ରଙ୍କ କହିଛନ୍ତି, କଟକଣା ଢିଲା ହୋଇଥିବା ସ୍ଥାନଗୁଡ଼ିକରେ ଲୋକମାନେ ରିସର୍ଟ ଯିବା ଆରମ୍ଭ କଲେଣି। ଯଦି ଅଯଥା ଭିଡ଼ ହେବ ତାହେଲେ ସଂକ୍ରମଣ ବଢିବ। ତୃତୀୟ ଲହରି ସେପ୍ଟେମ୍ବର ଆଡ଼କୁ ହେବ ବୋଲି ଅନୁମାନ କରାଯାଉଥିଲା ହେଲେ ଯଦି ଏଭଳି ଅବସ୍ଥା ରହେ ତେବେ ତା ଆଗରୁ ମଧ୍ୟ ତୃତୀୟ ଲହର ଆସିପାରେ। ଗତ ୫/୬ ଦିନ ଭିତରେ ଅନେକ ଦୋକାନ, ହାଟ ବନ୍ଦ କରାଯାଇଛି। ରାଜ୍ୟର ଅନେକ ସ୍ଥାନରେ ସଂକ୍ରମଣ କମିଛି, ଖୁବ ଶୀଘ୍ର ଏହା ନିୟନ୍ତ୍ରଣକୁ ଆସିବ। ମାତ୍ର ଲୋକମାନେ ଅମାନିଆ ହେଲେ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ତୃତୀୟ ଲହର ପାଇଁ ସାଧାରଣ ଭାବେ ୩ଟି ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କୁ ଟିକାକାରଣ, ତୃତୀୟ ଲହର ପାଇଁ ୩ ମାସିଆ ସର୍ଭେଲାନ୍ସ ଓ ଭିତ୍ତିଭୂମି ପ୍ରସ୍ତୁତ କରାଯିବା ଉପରେ ଗୁରୁତ୍ବ ଦିଆଯାଉଥିବା ସେ କହିଛନ୍ତି।

ବରିଷ୍ଠ ଚିକିତ୍ସକ ଡା. ନିରୋଜ ମିଶ୍ର କହିଛନ୍ତି, କେରଳରୁ ସବୁଠୁ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଲାଣି। ରାଜ୍ୟରେ ଏତେ ଶିକ୍ଷିତ ଲୋକ ଥାଇ ମଧ୍ୟ ସେଠାରେ ସଂକ୍ରମଣ ୧୪ ହଜାର ଟପି ଗଲାଣି। ତେଣୁ ଲୋକମାନଙ୍କୁ କୋଭିଡ୍‌ ନିୟମ ପାଳନ କରିବାକୁ ହେବ। ଟିକା ନେଇଥିଲେ ମଧ୍ୟ ନିୟମ ମାନିବାକୁ ପଡ଼ିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ‘ହୁ’ ପୂର୍ବରୁ କହି ସାରିଛି। ବ୍ରିଟେନ୍‌ରେ ଟିକା ନେବା ପରେ ବି ତୃତୀୟ ଲହର ଆସିଲା। ଇସ୍ରାଏଲରେ ମଧ୍ୟ ସଂକ୍ରମଣ ବଢ଼ୁଥିବା ବେଳେ ଇଣ୍ଡୋନେସିଆରେ ଦିଲ୍ଲୀ ଭଳି ସ୍ଥିତି ଉପୁଜିଲାଣି। ଦ୍ବିତୀୟ ଲହରର ଯେଉଁ କଷ୍ଟରୁ ଭାରତୀୟମାନେ ମୁକୁଳିଛନ୍ତି ସେଥିରୁ କିଛି ଶିକ୍ଷାଲାଭ କଲେ ନାହିଁ। ଦ୍ବିତୀୟ ଲହର ସରିନାହିଁ, ସେଲିବ୍ରେସନ୍ ଆରମ୍ଭ ହୋଇ ଗଲାଣି। ତେଣୁ ଦ୍ବିତୀୟ ଲହର ଲାଗି ରହିବ। ଯେଉଁଭଳି ଭାବେ ସଂକ୍ରମଣ କମିବା କଥା ଆଉ କମୁନାହିଁ। ବରଂ ବଢିବାକୁ ଲାଗିଲାଣି। ଓଡ଼ିଶାରେ ମଧ୍ୟ ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ରହିଛି। ଏ ଦୃଷ୍ଟିରୁ କୌଣସି ଗହଳିକୁ ଅନୁମତି ଦେବା ଉଚିତ୍ ନୁହେଁ।

ଟିକା ନେଇଥିବା ଲୋକଙ୍କୁ ସଂକ୍ରମଣ କମ୍ ହେଉଛି। ପୂର୍ବରୁ ଯେଉଁ ଷ୍ଟଡି କରାଯାଇଛି ତାହା ଅଲଗା ଥିଲା,ଏବେ ଯେଉଁ ଡେଲ୍‌ଟା ଭାରିଏଣ୍ଟ ଆସିଛି ଏଥିରେ ଅଧିକ ସଂକ୍ରମଣ ନଜରକୁ ଆସିଲାଣି। ତେଣୁ ଟିକାର ବୁଷ୍ଟର୍ ଡୋଜ୍‌ର ଆବଶ୍ୟକତା ଅଛି। ନିକଟରେ ହୋଇଥିବା ଏକ ଗବେଷଣାରେ ‘କୋଭିସିଲ୍‌ଡ’ରେ ଦେଶରେ ୧୬ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଆଣ୍ଟିବଡି ସୃଷ୍ଟି ହୋଇନାହିଁ। ତେଣୁ ଲୋକଙ୍କୁ ବୁଷ୍ଟର୍ ଡୋଜ୍ ନ ଦେଲେ ଟିକା ନେଇ କିଛି ଲାଭ ନାହିଁ ବୋଲି ଡା. ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର