ନୟାଗଡ଼ : ବର୍ତ୍ତମାନ ଗାଁଠାରୁ ସହର ଯାଏଁ, ସବୁଠି ଲୋକମା‌ନେ ରୋଷେଇ କରିବା ପାଇଁ ଚୁଲି ଛାଡ଼ି ଗ୍ୟାସ ସିଲିଣ୍ଡର୍‌ ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। କିନ୍ତୁ ଟିକିଏ ଅବହେଳା ଓ ଠକାମିର ଶିକାର ‌‌‌‌ହେ‌ଲେ, ଏହି ସିଲିଣ୍ଡର୍‌ ପ୍ରାଣଘ‌ାତକ ହେଉଛି। ଗତ ୨୫ ତାରିଖରେ ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ବାହାଡ଼‌ାଝୋଲା ଅନ୍ତର୍ଗତ ଢିପିସାହିରେ ଗ୍ୟାସ୍ ସିଲିଣ୍ଡର ଦୁର୍ଘଟଣା ଘଟି ଚାରି ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଛି। ସେହିଭଳି ପ୍ରାୟ ଦୁଇ ବର୍ଷ ପୂର୍ବେ ନୟାଗଡ଼ ସଦର ବ୍ଲକ୍‌ ଖୁଣ୍ଟୁବନ୍ଧ ଅଞ୍ଚଳରେ ମଧ୍ୟ ଗ୍ୟାସ୍ ଟାଙ୍କି ଫାଟି ଦୁର୍ଘଟଣା ଘଟିଥିଲା। ସେତେବେଳେ ନିମ୍ନ ମାନର ସିଲିଣ୍ଡର୍‌ କାରଣରୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ମଧ୍ୟ ଆସିଥିଲା। ସଂପୃକ୍ତ ଗ୍ୟାସ ବିତରକ ସଂସ୍ଥାଠାରୁ କ୍ଷତିପୂରଣ ଦାବି କରି ପରିବାର ଲୋକ ନିରାଶ ହୋଇଥିଲେ। ନୟାଗଡ଼ ସହରଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବଧି ଶେଷ ପରେ ମଧ୍ୟ ଚଞ୍ଚକତା କର‌ଯାଇ ସିଲିଣ୍ଡର୍‌ଗୁଡ଼ିକୁ ଗ୍ରାହକଙ୍କୁ ଦିଆଯାଉଥିବା ଅଭିଯୋଗ ଆସିଛି। ଏଥି ସହିତ ରାସ୍ତାକଡ଼ଠାରୁ ଆରମ୍ଭ କରି କ୍ୟାବିନ୍‌ ଏବଂ ଅନ୍ୟାନ୍ୟ ସ୍ଥାନରେ ବ୍ୟବସାୟୀମାନେ ଘରୋଇ ସିଲିଣ୍ଡର୍‌ ବ୍ୟବହାର କରୁଥିବା ଦେଖା‌ଯାଇଛି।

Advertisment

ଅବଧି ଶେଷ ହୋଇଯାଇଥିବା ସିଲିଣ୍ଡର୍‌କୁ ଚଞ୍ଚକତା କରି ଗ୍ୟାସ ବିତରକ ଏଜେନ୍ସିଗୁଡ଼ିକ ଗ୍ରାହକଙ୍କୁ ପୁନର୍ବାର ଦେଉଥିବା ଅଭିଯୋଗ ଆସିଛି। ଯେଉଁଥିପାଇଁ ରୋଷେଇ ସମୟରେ ଉପଭୋକ୍ତାଙ୍କ ଜୀବନ ଚାଲିଯାଉଛି। ପ୍ରତ୍ୟେକ ଗ୍ୟା‌ସ୍ ସିଲିଣ୍ଡରର ବ୍ୟବହାର କରିବାର ଏକ ନିର୍ଦ୍ଦିଷ୍ଟ ଅବଧି ରହିଛି। ଯାହାକି ସାଧାରଣ ଲୋକ ଖୁବ୍ କମ୍ ଜାଣନ୍ତି।

publive-image

ଗ୍ୟାସ୍‌ ସିଲିଣ୍ଡର୍‌ର ବ୍ୟବହାର ଅବଧି ଜାଣିବା ପାଇଁ ଏହା ଉପରେ ଏକ କୋଡ୍‌ ବ୍ୟବହାର କରାଯାଇଥାଏ। ଇଂରାଜୀ ବର୍ଣ୍ଣମାଳାର ଏ, ବି, ସି, ଡି ରୁ ଯେ କୌଣସି ଗୋଟିଏ ଅକ୍ଷର ସହିତ ଯେଉଁବର୍ଷ ଏହି ସିଲିଣ୍ଡିରର ବ୍ୟବହାର ଅବଧି ଶେଷ ହେବ, ସେହିବର୍ଷର ଶେଷ ଦୁଇଟି ସଂଖ୍ୟା ଲେଖାଥାଏ। ଗୋଟିଏ ବର୍ଷ ଅର୍ଥାତ୍ ୧୨ ମାସକୁ ୪ଟି ଭାଗରେ ବିଭକ୍ତ କରାଯାଇ କୋଡ୍‌ଗୁଡ଼ିକ ଦିଆଯାଇଥାଏ। ଇଂରାଜୀ ଅକ୍ଷର ‘ଏ’ ବର୍ଷର ପ୍ରଥମ ଭାଗ ଅର୍ଥାତ୍ ଜାନୁଆରିରୁ ମାର୍ଚ୍ଚ ପର୍ଯ୍ୟନ୍ତ ସୂଚିତ କରୁଥିବା ବେଳେ ‘ବି’, ଏପ୍ରିଲ୍‌ରୁ ଜୁନ୍‌ ପର୍ଯ୍ୟନ୍ତ ସୂଚିତ କରୁଛି। ‘ସି’ ଜୁଲାଇରୁ ସେପ୍ଟମ୍ବର ଓ ‘ଡି’ ଅକ୍ଟ‌ୋବରରୁ ଡିସେମ୍ବରକୁ ସୂଚିତ କରୁଛି। ଯଦି ଗୋଟିଏ ଗ୍ୟାସ୍‌ ସିଲିଣ୍ଡର୍‌ ଉପରେ ‘ବି-୧୯’ ଲେଖାଯାଇଛି। ଏହାର ଅର୍ଥ ୨୦୧୯ ମସିହା ଜୁନ୍‌ ମାସରେ ଉକ୍ତ ସିଲିଣ୍ଡର୍‌ର ବ୍ୟବହାର ତାରିଖ ଶେଷ ହେଉଛି। ପରବର୍ତ୍ତୀ ସମୟରେ ଏହାକୁ ଆ‌ଉ ବ୍ୟବହାର କରିବା ନିରାପଦ ନୁହେଁ। କୌଣସି ବି ସମୟରେ ଏହା ବି‌‌ଷ୍ଫ‌ୋରଣ କରିପାରେ। କିନ୍ତୁ ଜିଲ୍ଲାର ଅନେକ ସ୍ଥାନରେ ଗ୍ୟାସ ବିତରକ ସଂସ୍ଥାଗୁଡ଼ିକ ନିଜର ଲାଭ ପାଇଁ ଗ୍ୟାସ ସିଲିଣ୍ଡର ଉପରେ ଲେଖାଯାଉଥିବା ଏହି କୋଡ୍‌କୁ ଚତୁରତାର ସହିତ ବଦଳାଇ ଦେଉଛନ୍ତି। ଏବଂ ପୁନର୍ବାର ଏହାକୁ ବଜାରକୁ ଛାଡ଼ୁଛନ୍ତି, ଯାହା ଅନେକ ସମୟରେ ଦୁର୍ଘଟଣାର କାରଣ ପାଲଟୁଛି। କେବଳ ଏତିକି ନୁହେଁ ଘରୋଇ ସିଲିଣ୍ଡର୍‌ଗୁଡ଼ିକ ଖୁଲୁମଖୁଲା ବ୍ୟବସାୟିକ ପ୍ରତିଷ୍ଠାନରେ ବ୍ୟବହାର ହେଉଥିବା ଓ ବ୍ୟବସାୟୀମାନେ ଜଣପିଛା ଏକାଧିକ ଘରୋଇ ସିଲିଣ୍ଡର ହାତେଇଥିବା ଦେଖାଯାଇଛି। ‌ଦିନ ଦ୍ବିପ୍ରହରେ ରାସ୍ତା ଉପରେ ଘରୋଇ ସିଲିଣ୍ଡର ରଖି ବିଭିନ୍ନ ଫାଷ୍ଟ ଫୁଡ୍ ଷ୍ଟଲ୍‌, ହୋଟେଲ୍‌ଠାରୁ ଆରମ୍ଭ କରି ବରା, ପିଆଜି ଦୋକାନୀ ଓ ହୋଟେଲ ନିଜ କାରବାର ଚଳାଇଛନ୍ତି। ଧର୍ମକୁ ଆଖିଠାର ମାରି ଗ୍ୟାସ ବିତରକ ଏଜେନ୍ସିଗୁଡ଼ିକ ଅର୍ଥ ଲୋଭରେ ଏଭଳି ‌ଅନେକ ବେଆଇନ କାମ କରୁଛନ୍ତି। ଫଳରେ ନୟାଗଡ଼ ଜିଲ୍ଲାରେ ଗ୍ୟାସ୍ ଟାଙ୍କି ଦୁର୍ଘଟଣାରେ ଅତୀତରେ ‌ଅନେକ ଜୀବନ ଯାଇଥିବା ‌ବଳେ ଭବିଷ୍ୟତ ପାଇଁ ମଧ୍ୟ ବିପଦ ସୃଷ୍ଟି ହୋଇଛି। ବିଭାଗୀୟ କର୍ତ୍ତୃପକ୍ଷ ଏସବୁକୁ ଦେଖି ନଦେଖିବା ପରି ହେଉଛନ୍ତି। ଏସବୁ କ୍ଷେତ୍ରରେ ଜନସାଧାରଣ ସଚେତନ ହେବା ସହ ଏଜେନ୍ସିଗୁଡ଼ିକୁ ପ୍ରଶ୍ନ କରିବାର ଆବଶ୍ୟକତା ମଧ୍ୟ ରହିଛି।