ରୋଗୀଙ୍କୁ ଦିଆଗଲା ଏକ୍ସପାରୀ ସାଲାଇନ୍‌, ଘଟଣାକୁ ଚାପିଦେବାକୁ କର୍ମଚାରୀଙ୍କ ଉଦ୍ୟମ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବିଗିଡ଼ିଯାଇଛି ସ୍ବାସ୍ଥ୍ୟସେବା। ବାରିପଦା ଜିଲ୍ଲା ଚିକିତ୍ସାଳୟକୁ ମେଡିକାଲ କଲେଜ ଏବ˚ ହସ୍ପିଟାଲ୍‌ରେ ପରିଣତ କଲାପରେ ସତେଯେପରି ରୋଗୀଙ୍କ ଉତ୍ତରଦାୟିତ୍ବ ନେବାକୁ କେହି ପ୍ରସ୍ତୁତ ନୁହନ୍ତି। ଆଜି ଏଠାରେ ରୋଗୀସେବାର ଏମିତି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି। ଜଣେ ରୋଗୀଙ୍କୁ ଏକ୍ସପାରୀ ସାଲାଇନ୍‌ ଦିଅଯାଇଥିବା ଜଣାପଡ଼ିଛି। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁସାରେ, ବାଙ୍ଗିରିପୋଷି ବ୍ଲକ୍‌ ଅନ୍ତର୍ଗତ କାଶିବେଡ଼ା ଗାଁର ଜଗନ୍ନାଥ ଗିରି(୬୦) ହଠାତ୍‌ ଅସୁସ୍ଥ ‌େହାଇ ପଡ଼ିଥିଲେ। ସେ ବ୍ରେନ୍‌ ହେମାରେଜ୍‌ କାରଣରୁ ପାରାଲିସିସ୍‌ ଆଡ଼କୁ ଗତି କରିଥିଲେ। ତାଙ୍କୁ ପ୍ରଥମେ ବାଙ୍ଗିରିପୋଷି ଏବ˚ ପରେ ପିଆର୍‌ଏମ୍‌ ମେଡିକାଲକୁ ଅଣାଯାଇଥିଲା। ମେଡିସିନ୍‌ ଵାର୍ଡ଼ରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ ପରେ ରୋଗୀଙ୍କୁ ସାଲାଇନ୍‌ ଦିଆଯାଇଥିଲା। ମାତ୍ର ସାଲାଇନ୍‌ ସରିବା ପରେ ତାହା ଗତମାସରୁ ଏକ୍ସପାରି ହୋଇଥିବା ପରିବାରବର୍ଗ ଦେଖିବାକୁ ପାଇଥିଲେ। ଏ ନେଇ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଓଲଟି ଏହି ଘଟଣାକୁ ଚାପିଦେବାକୁ ଦାୟିତ୍ବରେ ଥିବା ହସ୍ପିଟାଲ୍‌ କର୍ମଚାରୀମାନେ ଉଦ୍ୟମ କରିଥିବା ରୋଗୀଙ୍କ ପୁଅ ରଜତ ଗିରି ଅଭିଯୋଗ କରିଛନ୍ତି। ହସ୍ପିଟାଲରେ ଉତ୍ତେଜନା

ଏନେଇ ବାରିପଦା ଜିଲ୍ଲା ଚିକିତ୍ସାଳୟର ଏଡିଏମ୍‌ଓ ଡ. ପି କେ ମହାପାତ୍ରଙ୍କୁ ଯୋଗଯୋଗ କରାଯିବାରୁ ଏହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଥିଲେ। ଭୁଲ୍‌ରେ ଏପରି ହୋଇଯାଇଛି। ହସ୍ପିଟାଲ୍‌ କର୍ମଚାରୀମାନେ ସବୁବେଳେ ଏକ୍ସପାରି ତାରିଖ ଦେଖି ରୋଗୀଙ୍କୁ ସାଲାଇନ୍‌ ଆଦି ଦେଇଥାଆନ୍ତି। ମାତ୍ର ଏହି ଘଟଣା ଭୁଲବଶତଃ ଘଟିଥିବା ଡ. ମହାପାତ୍ର ପ୍ରକାଶ କରିଥିଲେ। ହସ୍ପିଟାଲ୍‌ ଅଧୀକ୍ଷକଙ୍କ ସହିତ ପରାମର୍ଶ କରି ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡ. ମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ, ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର