ଭୁବନେଶ୍ବର: ପ୍ରିୟଙ୍କା ବୋଷ। ସ୍ବାମୀ ଏବଂ ପିଲାଙ୍କ ସହିତ ଆଜି ଭୁବନେଶ୍ବରରୁ କୋଲକାତା ଫେରିଯିବାର ଥିଲା। ପୂର୍ବରୁ ଟ୍ରେନ୍ ଟିକେଟ୍ କରିଥିଲେ। ମାତ୍ର ବାଲେଶ୍ବରରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ଟ୍ରେନ୍ ବାତିଲ ହୋଇଯିବା ପରେ ସେ ବରମୁଣ୍ଡା ବସ୍ଷ୍ଟାଣ୍ଡ ଆସିଥିଲେ। ଯେଉଁ ନନ୍-ଏସି ଟିକେଟ୍ର ମୂଲ୍ୟ ୪୦୦ ଟଙ୍କା ଥିଲା, ଆଜି ଅଚାନକ ତାହା ୭୦୦ ଟଙ୍କାକୁ ବୃଦ୍ଧି ପାଇଥିଲା। ପ୍ରିୟଙ୍କା ତାଜୁବ ହୋଇଯାଇଥିଲେ। ଏହାକୁ ନେଇ କିଛି ଯାତ୍ରୀ ବିରୋଧ କରିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ବାଧ୍ୟ ହୋଇ ବସ୍ କାଉଣ୍ଟରରେ ନାମକୁ ମାତ୍ର କିଛି ଟଙ୍କା କମ କରାଯାଇଥିଲା। ଏତିକିରେ ଯିବାର ଅଛି ତ ଯାଆନ୍ତୁ, ନଚେତ ଟିକେଟ୍ ଫେରାଇ ଦିଅନ୍ତୁ ବୋଲି କୁହାଯାଇଥିଲା। ପ୍ରିୟଙ୍କା ରାଗରେ ଟିକେଟ୍ ଫେରାଇଦେଲେ ସିନା ଅର୍ପିତା ବାନାର୍ଜୀ କିନ୍ତୁ ଦୁଇ ଗୁଣ ଦରରେ ଟିକେଟ୍ କିଣିବାକୁ ବାଧ୍ୟ ହୋଇଥିଲେ। ଆଜି କୋଲକାତା, ବାଲେଶ୍ବର, ଭଦ୍ରକ ଯାଉଥିବା ଯାତ୍ରୀଙ୍କ ଦୁର୍ଦ୍ଦଶା ଏମିତି କହିଲେ ନ ସରେ।
ସୂଚନାନୁଯାୟୀ, ବାଲେଶ୍ବର ରୁଟ୍ରେ ଟ୍ରେନ୍ ବାତିଲ ହେବାରୁ ସର୍ବାଧିକ ଦୁର୍ଦ୍ଦଶାର ଶିକାର ହୋଇଛନ୍ତି ପଶ୍ଚିମବଙ୍ଗ, ବାଲେଶ୍ବର ଏବଂ ଭଦ୍ରକର ଯାତ୍ରୀମାନେ। ବିପର୍ଯ୍ୟୟକୁ ସୁଯୋଗ ଭାବେ ନେଇ ଅନେକ ବସ୍ ମାଲିକ ଟିକେଟ୍ ଦର ଦୁଇ ଗୁଣ କରି ଦେଇଥିଲେ। ଉଦାହରଣ ସ୍ବରୂପ କୋଲକାତା ଯାଉଥିବା ନନ୍ଏସି ବସ୍ର ଟିକେଟ୍ ମୂଲ୍ୟ ୪୦୦ରୁ ୭୦୦ ଟଙ୍କା ଏବଂ ଏସି ବସ୍ର ଟିକେଟ୍ ମୂଲ୍ୟ ୧୨୦୦ରୁ ୨୫୦୦ ଟଙ୍କାକୁ ବୃଦ୍ଧି ପାଇଛି। ଅନ୍ୟରୁଟ୍ରେ ମଧ୍ୟ ମୂଲ୍ୟ ବୃଦ୍ଧି ପାଇଛି। ଯାତ୍ରୀ ଅନୁସାରେ ବସ୍ ସଂଖ୍ୟା କମ ଥିବାରୁ ଅଚାନକ ଦର କାହିଁରେ କେତେ ବଢ଼ିଯାଇଥିଲା। ଆଜି ବରମୁଣ୍ଡା ବସ୍ଷ୍ଟାଣ୍ଡରେ ପ୍ରବଳ ଗରମରେ ଲୋକେ ହନ୍ତସନ୍ତ ହୋଇଥିଲେ। ସଂକୀର୍ଣ୍ଣ ରାସ୍ତାରେ ପ୍ରବଳ ଗହଳି ଥିଲା। ସ୍ଥିତି ଏଭଳି ଥିଲା ଯେ ଗୋଡ଼ ବୁଲାଇବା ପାଇଁ ମଧ୍ୟ ସ୍ଥାନ ନଥିଲା।
ଛୋଟପିଲାଙ୍କୁ ନେଇ ଆସିଥିବା ଯାତ୍ରୀଙ୍କ ଅବସ୍ଥା ଆହୁରି ଦୁର୍ବିସହ ହୋଇପଡ଼ିଥିଲା। ଏଣେ ହୋଟେଲ ଭଡ଼ା ନେଇ ଟ୍ରେନ୍କୁ ଅପେକ୍ଷା କରି ଖର୍ଚାନ୍ତ ହେବା ଭଳି ଅବସ୍ଥା ନଥିଲା। ତେଣୁ ଅନେକ ଯାତ୍ରୀ ବସ୍ଷ୍ଟାଣ୍ଡରେ ଅପେକ୍ଷା କରି ରହିଥିଲେ। ଏଣେ ପ୍ରଶାସନ ପକ୍ଷରୁ ଟ୍ରେନ୍ ବାତିଲ କରିଦିଆଗଲା ସିନା ଯାତ୍ରୀଙ୍କ ପାଇଁ କୌଣସି ବ୍ୟବସ୍ଥା କରାଗଲା ନାହିଁ। ଘରୋଇ ବସ୍ ମାଲିକ ସଂଘ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଭୁବନେଶ୍ବରରୁ କୋଲକାତାକୁ ପ୍ରତିଦିନ ୨୦ଟି ବସ୍ ଯାତାୟାତ କରେ। ଯାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବସ୍ ସଂଖ୍ୟା ୨୫କୁ ବୃଦ୍ଧି କରାଯାଇଛି। ଏହା ସତ୍ତ୍ବେ ସିଟ୍ ତୁଳନାରେ ଯାତ୍ରୀ ଅଧିକ ଅଛନ୍ତି। ରାୟପୁର, ଟାଟା, ଜାମସେଦପୁର, ରାଞ୍ଚି ଏବଂ ଭାଇଜାକ୍ ଯାଉଥିବା ୨୫ ବସ୍ରେ ମଧ୍ୟ ଅନେକ ଯାତ୍ରୀ ରହିଛନ୍ତି। ଟିକେଟ୍ ମୂଲ୍ୟ ବୃଦ୍ଧି ନେଇ ବସ୍ ମାଲିକ ସଂଘ ଆବାହକ ଦେବାଶିଷ ନାଏକ କହିଛନ୍ତି, ଘରୋଇ ବସ୍ ମଧ୍ୟ ଦୁଇ ପ୍ରକାର ଥାଏ। ଗୋଟିଏ ସରକାରଙ୍କ ପରମିଟ୍ ନେଇ ଚାଲେ। ଯେଉଁମାନେ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ନେବାକୁ ବାଧ୍ୟ। ଆଉ କିଛି ବସ୍ ଠିକାରେ ଯାତାୟାତ କରେ। ସେମାନେ ନିଜ ଇଚ୍ଛାରେ ମୂଲ୍ୟ ନିର୍ଧାରଣ କରନ୍ତି। ତେବେ ଟିକେଟ୍ ମୂଲ୍ୟ ଏତେ ବଢ଼ିବା ଠିକ୍ ନୁହେଁ ବୋଲି କୁହାଯାଇଥିଲା।