ଦଶପଲ୍ଲା: ଗାଁକୁ ଗାଁ ବୁଲି ନକଲି ଡାକ୍ତର ବା କ୍ବାକ୍ ବ୍ୟବସାୟୀମାନେ ରୋଗୀଙ୍କୁ ଡାକ୍ତରଙ୍କ ଭଳି ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି। ଥଣ୍ତାକାଶଠାରୁ ଆରମ୍ଭ କରି ଝାଡ଼ା, ମ୍ୟାଲେରିଆ ହେଉ କିମ୍ବା କୌଣସି ବଡ଼ ଧରଣର ରୋଗ ହେଉ। ସ୍ବାସ୍ଥ୍ୟକେନ୍ଦ୍ର ଯାଇ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବାକୁ ପରାମର୍ଶ ଦେବା ପରିବର୍ତ୍ତେ ନିଜେ ଚିକିତ୍ସା କରୁଛନ୍ତି। ରୋଗୀଙ୍କୁ ସାଲାଇନ୍, ଇଞେକ୍ସନଠାରୁ ଆରମ୍ଭ କରି ସତମିଛ କହି ବିଭିନ୍ନ ପ୍ରକାରର ଔଷଧ ଦେଇ ଶୋଷଣ କରିବାରେ ଲାଗି ପଡ଼ିଛନ୍ତି ଏହି କ୍ବାକ୍ ଡାକ୍ତର। କୌଣସି ରୋଗୀ ଗୁରୁତର ହେବା ଜାଣିଲେ ନିଜ ଉପରୁ ଦୋଷ ଖସାଇ ଚାଲି ଯାଉଛନ୍ତି। ଫଳରେ ରୋଗୀମାନେ ଭୁଲ ଚିକିତ୍ସା ପାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି।
ଦଶପଲ୍ଲା ଅଞ୍ଚଳରେ ଏଭଳି ଅନେକ କ୍ବାକ୍ଙ୍କ ପ୍ରାଦୁର୍ଭାବ ପାଇଁ ରୋଗୀ ଶୋଷିତ ହେବା ସହ ମୃତ୍ୟୁମୁଖରେ ପଡ଼ୁଥିବା ବେଳେ ସବୁ ଜାଣି ବି ସ୍ବାସ୍ଥ୍ୟ ବିଭାଗ କିମ୍ବା ଡ୍ରଗ୍ସ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହେଉଛି। ବିଶେଷକରି ଦଶପଲ୍ଲା ବ୍ଲକ୍ ଏକ ଆଦିବାସୀପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଏହି ନକଲି ଡାକ୍ତରମାନେ। ବଡ଼କଥା ହେଉଛି ଏହି ବ୍ୟବସାୟରେ କିଛି ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ମଧ୍ୟ ସଂପୃକ୍ତ ଥିବା ଅଭିଯୋଗ ହେଉଛି। ଦଶପଲ୍ଲା ବ୍ଲକ୍ର ଚଢ଼େୟାପଲ୍ଲୀ, କଳସାଖମଣ, ଦୁଡ଼ା, ପୋଖରୀଗୋଛା, ନୂଆଗାଁ, କୁଜାମେଣ୍ଢି, କୁଲୁରୁକୁମ୍ପା, ଘୁଗୁଡ଼ିପଡ଼ା, ଘୋଳାହାଣ୍ତି ଏବଂ ନଛିପୁର ପ୍ରଭୃତି ପଞ୍ଚାୟତରେ ବ୍ୟବସାୟୀମାନେ ଲୋକଙ୍କୁ ମାତ୍ରାଧିକ ଶୋଷଣ କରୁଥିବା ଜଣାପଡ଼ିଛି। ବଣ ଜଙ୍ଗଲ ଘେରା ଅଞ୍ଚଳ ମଧ୍ୟରେ ବସବାସ କରୁଥିବା ନିରୀହ ଜନସାଧାରଣଙ୍କ ପାଇଁ ସ୍ବାସ୍ଥ୍ୟସେବାର ସେଭଳି କୌଣସି ସୁବିଧା ନଥିବା ହେତୁ ଏହାର ଫାଇଦା ଉଠାଇ ଚାଲିଛନ୍ତି ଏହି ବ୍ୟବସାୟୀମାନେ। ଗାଁ ଗହଳିରେ କିଛି କ୍ବାକ୍ ବ୍ୟବସାୟୀ ଔଷଧ ବ୍ୟବସାୟ ବାହାନାରେ ନିଶା ଭାବେ ବ୍ୟବହାର କରାଯାଉଥିବା ବିଭିନ୍ନ କମ୍ପାନିର କଫ୍ସିରପ୍ ଓ ନାଇଟ୍ରୋଜେନ୍ ଟାବଲେଟ୍ ପ୍ରଭୃତି ଯୋଗାଉଥିବାର ଅଭିଯୋଗ ହେଉଛି। ଏ ଦିଗରେ ଜିଲ୍ଲା ପ୍ରଶାସନ ବିଶେଷ ଭାବେ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/doctor.jpg)