ଯାଜପୁର/କୁହିକା : ସୁକିନ୍ଦାରେ ଆରମ୍ଭ ହୋଇଥିବା ରାଜ୍ୟର ସର୍ବବୃହତ ପିଜୁଳି ଫାର୍ମ ବିବାଦରୁ ମୁକୁଳି ପାରୁନାହିଁ। ୫ବର୍ଷିଆ ଯୋଜନାରେ ୧୫କୋଟି ୯୦ଲକ୍ଷ ଟଙ୍କାର ପ୍ରକଳ୍ପ କିଛି ଲୋକଙ୍କ ସଂକୀର୍ଣ୍ଣ ମନୋଭାବ ପାଇଁ ଦିଗହରା ହେବାକୁ ବସିଛି। ଏପରିକି ଦଳୀୟ କର୍ମୀ ହୋଇନଥିବା ଗରିବ ଶ୍ରମିକମାନଙ୍କୁ ୩ମାସ ହେଲା ମଜୁରି ପୈଠ କରାଯାଇ ନାହିଁ। ଏପରିକି ଜନୈକ ଠିକା କର୍ମଚାରୀକୁ ବିରୋଧୀ ଦଳର କର୍ମୀ ଦର୍ଶାଇ କାର୍ଯ୍ୟରୁ ବାହାର କରିଦିଆଯାଇଛି। ଏହି ମହତ ଯୋଜନା ଆରମ୍ଭ ବେଳେ ଜନସାଧାରଣ ସ୍ବାଗତ କରିଥିବା ବେଳେ ଏବେ ଏହା ରାଜନୈତିକ ଗୋଷ୍ଠୀ ବିବାଦର ଶିକାର ହେବାକୁ ବସିଛି। ଶନିବାର ଦିନ ପ୍ରଥମାଷ୍ଟମୀରେ ଘରେ ଘରେ ପିଠାପଣାର ଆସର ଓ ପିଲାମାନଙ୍କୁ ନୂଆ ବସ୍ତ୍ର ପିନ୍ଧାଇ ପଢୁଆଁ କରିବାର ପରମ୍ପରା ଥିଲା। ଅଥଚ ଏହି ଶ୍ରମିକମାନେ ପିଲାମାନଙ୍କ ପାଇଁ ଖଣ୍ଡେ ନୂଆ ପୋଷାକ କିଣି ପାରିଲେନାହିଁ ବୋଲି ଆମ ପ୍ରତିନିଧିଙ୍କ ନିକଟରେ ଅତି ଦୁଃଖର ସହିତ ପ୍ରକାଶ କରିଛନ୍ତି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି।
ସୂଚନା ଯୋଗ୍ୟ ସୁକିନ୍ଦା ବ୍ଲକ୍ ଦାମୋଦରପୁର ଠାରେ ଆରମ୍ଭ ହୋଇଥିବା ରାଜ୍ୟର ସର୍ବ ବୃହତ ପିଜୁଳି ପ୍ରକଳ୍ପରେ ଗତ ଅଗଷ୍ଟ ମାସରୁ ଶ୍ରମିକମାନେ କାମ କରିଆସୁଛନ୍ତି। ଆଜି ପର୍ଯ୍ୟନ୍ତ ସେମାନଙ୍କର ମଜୁରି ମିଳିପାରିଲା ନାହିଁ। ମଜୁରି ନମିଳିବାରୁ ଶ୍ରମିକମାନଙ୍କ ପ୍ରଥମାଷ୍ଟମୀ ଫିକା ପଡ଼ିଯାଇଛି। ହେଲେ ପିଜୁଳି ଫାର୍ମରେ କାମରେ ଲାଗିଥିବା ଟ୍ରାକ୍ଟର ଓ ପାଣି ଟାଙ୍କି ଗୁଡିକର ପ୍ରାପ୍ୟ ସମ୍ପୃକ୍ତ ଠିକାଦାରମାନଙ୍କୁ ପୈଠ କରାଯାଇଛି। ବୋତଲଣ୍ଡା ଗ୍ରାମର ଜନୈକ ନେତାଙ୍କୁ ସାକ୍ଷାତ ନକଲେ ମଜୁରି ମିଳିବ ନାହିଁ ବୋଲି ଧମକ ଦିଆଯାଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି l ଶ୍ରମିକମାନେ ସମ୍ପୃକ୍ତ ନେତାଙ୍କୁ ସାକ୍ଷାତ କରିବା ପରେ ମଧ୍ୟ ଶ୍ରମିକମାନଙ୍କୁ ପାଉଣା ମିଳିପାରି ନାହିଁ। ଶ୍ରମିକମାନଙ୍କର ଝାଳବୁହା ମଜୁରି ପ୍ରଦାନରେ ହୀନ ରାଜନୀତିକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି। ଏ ସମ୍ପର୍କରେ ଉଦ୍ୟାନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସୂର୍ଯ୍ୟମଣୀ ମହାରଣାଙ୍କ ଦୃଷ୍ଟିକୁ ନେବା ପରେ ସେ କହିଛନ୍ତି ସୋମବାର ସୁଦ୍ଧା ଯାହାର ମଜୁରି ବାକି ଅଛି ପ୍ରଦାନ କରାଯିବ। ମଜୁରି ପୈଠ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କେତେକ କାଗଜପତ୍ରରେ ତ୍ରୁଟି ପାଇଁ ବିଳମ୍ବ ହୋଇଯାଇଥିଲା ବୋଲି ଶ୍ରୀ ମହାରଣା କହିଛନ୍ତି।