ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଧାନ ଓ ମାଣ୍ଡିଆ ସଂଗ୍ରହ କରାଯାଉଛି। ୨୦୨୨ ମସିହା ଖରିଫରେ ୬ କୋଟି ୫୩ ଲକ୍ଷ ୩୨ ହଜାରରୁ ଉର୍ଧ୍ବ କ୍ବିଣ୍ଟାଲ୍ ଧାନ ଏବଂ ୬ ଲକ୍ଷ ୩ ହଜାର କ୍ବିଣ୍ଟାଲ୍ ମାଣ୍ଡିଆ ସଂଗ୍ରହ କରାଯାଇଛି। କିନ୍ତୁ ଏଠାରେ ଚାଷୀମାନେ ଦଲାଲଙ୍କ ଯୋଗୁଁ ଯେଉଁଭଳି ଭାବରେ ଶୋଷଣର ଶିକାର ହେଉଛନ୍ତି ଏହା ଧୀରେଧୀରେ ଜଟିଳ ରୂପ ଧାରଣ କଲାଣି। ଏଣୁ ଚାଷୀମାନଙ୍କୁ ଆହୁରି ପ୍ରଶିକ୍ଷିତ କରିବା ସହିତ ଡିଜିଟାଇଜେସନ୍କୁ ବିକଶିତ କରାଯିବାର ଆବଶ୍ୟକତା ରହିଛି। କେନ୍ଦ୍ର ସରକାରଙ୍କ କୃଷି ଖର୍ଚ୍ଚ ଏବଂ ପ୍ରାପ୍ୟ (କଷ୍ଟ ଆଣ୍ଡ ପ୍ରାଇସ୍) କମିସନଙ୍କ ଉଦେଶ୍ୟରେ ସମବାୟ ବିଭାଗର ଅତିରିକ୍ତ ସଚିବଙ୍କୁ ଏଭଳି ସୁପାରିସ କରିଛନ୍ତି ସମବାୟ ଉପନିବନ୍ଧକ।
ବର୍ଷାଧିକ ସମୟ ଧରି ନିଜ ଉତ୍ପାଦନ ବିକ୍ରି ବେଳେ ଚାଷୀ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାକୁ ସ୍ମରଣରେ ରଖି ଏହି ରିପୋର୍ଟରେ ସମବାୟ ଉପନିବନ୍ଧକ ଉଲ୍ଲେଖ କରିଛନ୍ତି ଯେ ପରିବହନ ଏବଂ ସଂରକ୍ଷଣ ଅନ୍ୟତମ ସମସ୍ୟା ଭାବେ ଉଭା ହୋଇଛି। ଏ କ୍ଷେତ୍ରରେ ଚାଷୀ ସବୁଠୁ ବେଶି ସମସ୍ୟା ସାମ୍ନା କରୁଛନ୍ତି। କାରଣ ଏଠାରେ ଯେତିକି ସଂରକ୍ଷଣ ସୁବିଧା ରହିଛି, ତାହା ପର୍ଯ୍ୟାପ୍ତ ନୁହେଁ। ଏଥିଯୋଗୁଁ ଉତ୍ପାଦନ ସଂଗ୍ରହ ପ୍ରକ୍ରିୟା ବିଳମ୍ବିତ ହେଉଛି। ଏଣୁ ଭିତ୍ତିଭୂମିରେ ଆହୁରି ବିକାଶ କରାଯିବା ଦରକାର। କେବଳ ସେତିକି ନୁହେଁ, ଶସ୍ୟ ସଂଗ୍ରହ ଏବଂ କୃଷି ଉତ୍ପାଦନର ମାର୍କେଟିଂ ପାଇଁ ପ୍ରଯୁକ୍ତିର ବ୍ୟବହାର ଉପରେ ମଧ୍ୟ ଗୁରୁତ୍ବ ଦିଆଯିବା ଉଚିତ୍। ସେହିଭଳି ପ୍ରାପ୍ୟ ପ୍ରଦାନ ପ୍ରକ୍ରିୟାକୁ ତ୍ବିରାନ୍ବିତ କରିବା ଲାଗି କୁହାଯାଇଛି।
ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ ସମସ୍ତଙ୍କ ଅବଗତି ନିମନ୍ତେ ଉତ୍ପାଦନ ସଂଗ୍ରହ ପ୍ରକ୍ରିୟାର ମାର୍ଗଦର୍ଶିକା ଜାରି ହେଉ। କାରଣ ଅନେକ ସମୟରେ ଧାନ ସଂଗ୍ରହ ସହିତ ଡାଲି ଏବଂ ତୈଳବୀଜର ଅମଳ ଏକାସହିତ ଚାଲିଥାଏ। ତେଣୁ ଚାଷୀ ଆଗୁଆ ଅବଗତ ହେଲେ ଯାଇ ସେହି ଅନୁସାରେ ସେମାନଙ୍କୁ ଉତ୍ପାଦନ ବିକ୍ରି ସୁବିଧାଜନକ ହେବ। ଏହାବ୍ୟତୀତ ଧାନ ଆଦି ସଂଗ୍ରହ ସମୟରେ ପ୍ୟାକ୍ସ, ଲ୍ୟାମ୍ପ୍ସ ଏବଂ କୃଷି ଉତ୍ପାଦନ ସଂଘଙ୍କ କାର୍ଯ୍ୟର ଅନୁଧ୍ୟାନ କରାଯିବା ଦରକାର। ଚାଷୀଙ୍କ ବିଶ୍ବାସ ଜିତିବା ପାଇଁ ବୀମା ସମସ୍ୟାର ତତ୍କାଳ ସମାଧାନ ସଂପର୍କରେ ଏହି ରିପୋର୍ଟରେ କୁହାଯାଇଛି। ଏହାସହିତ ଚାଷୀଙ୍କ ଉତ୍ପାଦନର ମୂଲ୍ୟ ବଢାଇବା ପାଇଁ ଅଧିକରୁ ଅଧିକ ପ୍ରୋସେସିଂ ୟୁନିଟ୍ ସ୍ଥାପନ ଏବଂ କୃଷି ବଜାର ଓ ଏହାର ଭିତ୍ତିଭୂମିର ବିକାଶ ପାଇଁ ଡିଜିଟାଇଜେସନ୍ ପାଇଁ ପରାମର୍ଶ ଦିଆଯାଇଛି। ଧାନ, ମାଣ୍ଡିଆ କିମ୍ବା ଯେକୌଣସି ଉତ୍ପାଦନ କାର୍ଯ୍ୟରେ ଜଡ଼ିତ ମାନବ ସମ୍ବଳ, ପ୍ରଯୁକ୍ତି, କ୍ଷେତ୍ର ସ୍ତରରେ ଦକ୍ଷତାର ନିୟମିତ ସମୀକ୍ଷା କରାଯିବା ଉଚିତ ବୋଲି ଏଥିରେ କୁହାଯାଇଛି।
ସୂଚନା ଅନୁଯାୟୀ, ଚାଷୀଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ କୃଷିଜାତ ଉତ୍ପାଦନ ସଂଗ୍ରହର ଦାୟିତ୍ବ କେନ୍ଦ୍ର ସରକାରଙ୍କ ଅଟେ। ରାଜ୍ୟ ସରକାର କେବଳ ଏଜେନ୍ସି ଭାବରେ ଧାନ ଏବଂ ମାଣ୍ଡିଆ ସଂଗ୍ରହ କରୁଛନ୍ତି। ଏହି ସମୟରେ ସେମାନେ ଯେଉଁଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାକୁ ନେଇ ଏହି ରିପୋର୍ଟ ସମବାୟ ବିଭାଗ ପକ୍ଷରୁ କଷ୍ଟ୍ ଆଣ୍ଡ ପ୍ରାଇସ୍ କମିସନକୁ ଦିଆଯାଇଛି।