ଭଦ୍ରକ: ଭଦ୍ରକ ସହର ହଳଦୀଡ଼ିହ ଛକର ଏକ ଘରେ ମଙ୍ଗଳବାର ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣ ଘଟି ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ହଳଦୀଡ଼ିହ ଅଞ୍ଚଳର ଏସ୍‌କେ ମୁସାରଫ (୧୨) ଓ ରାଇତୋନ ବିବି (୪୫)। ସେହିପରି ହଳଦୀଡ଼ିହର ଅସିଫା ଖାତୁନ (୨୦), ସୁଲତାନା (୪୫) ଓ ପୁରୁଣାବଜାର ଅଞ୍ଚଳର ରଶ୍ମିତା ଜେନା (୨୪) ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଜୀବନ ସହ ସଂଘର୍ଷ କରୁଛନ୍ତି। 

Advertisment

ଆଜି ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ହଳଦୀଡ଼ିହ ଛକର ଏକ ଘରେ ବେଆଇନ ବାଣ ତିଆରି ଚାଲିଥିଲା। ଏହି ସମୟରେ ସେଠାରେ କୌଣସି କାରଣରୁ ବିସ୍ଫୋରଣ ଘଟିଥିଲା। ବାଣ ତିଆରି କରୁଥିବା ପାଖାପାଖି ୧୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳରେ ଥିବା ଘରଗୁଡ଼ିକର କାଚ ଭାଙ୍ଗିଯାଇଥିଲା ଏବଂ ଗଛପତ୍ର ଜଳିଯାଇଥିଲା। ସ୍ଥାନୀୟ ଲୋକେ କାର୍‌ ଓ ବାଇକ୍‌ ଯୋଗେ ସମସ୍ତ ଗୁରୁତରଙ୍କୁ ଭଦ୍ରକ ଡାକ୍ତରଖାନା ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସଂକଟାପନ୍ନ ଅବସ୍ଥାରେ ଏସ୍‌କେ ମୁସାରଫ, ରାଇତୋନ ବିବି, ଅସିଫା ଖାତୁନ, ସୁଲତାନା ଓ ରଶ୍ମିତା ଜେନାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

ଗୋଦାମ ଲାଇସେନ୍‌ସ ନେଇ ବାଣ ତିଆରି କରୁଥିଲେ
ତଦନ୍ତ ପାଇଁ ଗଠନ ହେଲା ଟିମ୍‌ 
ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଚିକିତ୍ସାଧୀନ ଅବସ୍ଥାରେ ଏସ୍‌କେ ମୁସାରଫ ଓ ରାଇତୋନ ବିବିଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଭଦ୍ରକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସେହିପରି ମହଜୁଦ ଥିବା ୫୦ କିଗ୍ରା ବାରୁଦକୁ ଅଗ୍ନିଶମ ଅଧିକାରୀ ପୋରାନ ସୋରେନଙ୍କ ତତ୍ତ୍ବାବଧାନରେ ନଷ୍ଟ କରାଯାଇଛି। ଅଗ୍ନିଶମ ଅଧିକାରୀ ଶ୍ରୀ ସୋରେନ କହିଛନ୍ତି; ମାଲିକ ଇରସାଦ ଅଲ୍ଲୀ ଖାଁ ଉକ୍ତ ଘରେ ବାଣ ତିଆରି ନେଇ କୌଣସି ପ୍ରଶାସନିକ ଅନୁମତି ନେଇ ନଥିଲେ। ୧ କିମି ଦୂର ଏକ ଘରେ ବାଣ ଗୋଦାମ କରି ବିକ୍ରି ପାଇଁ ତାଙ୍କୁ ଅନୁମତି ମିଳିଥିଲା। 

ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍‌ ଗଠନ କରାଯାଇ ଘଟଣାର ତଦନ୍ତ ଚାଲିଛି। ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ଟିମ୍‌ର ନେତୃତ୍ବ ନେଉଥିବା ବେଳେ ବରିଷ୍ଠ ପୁଲିସ ଓ ଅଗ୍ନିଶମ ଅଧିକାରୀମାନେ ସାମିଲ ଅଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏହା ସହିତ ପରିବାରର ନିକଟତମ ଆତ୍ମୀୟଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।