ପୁରୀ ଷ୍ଟେସନ୍‌ରେ ଆତଙ୍କ, ୨ ଆହତ
ସିଲିଣ୍ଡର ଫାଟି ପାଣ୍ଟି୍ର କାର୍‌ କ୍ଷତିଗ୍ରସ୍ତ
୩୦ ଫୁଟ ଦୂରକୁ ଉଡ଼ିଲା କବାଟ ଝରକା

Advertisment

ପୁରୀ : ଆଜି ଅପରାହ୍ଣରେ ପୁରୀ ରେଳ ଷ୍ଟେସନରେ ଘଟିଛି ଅଘଟଣ। ୨ ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ନୌସେନାର ଏକ ଟ୍ରେନ୍‌ରେ ରନ୍ଧନ ଗ୍ୟାସ୍‌ ଟାଙ୍କି ଫାଟି ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଚଣ୍ଡ ବିସ୍ଫୋରଣ ସହ ୩୦ ଫୁଟ ଦୂରକୁ ଟ୍ରେନ୍‌ର କବାଟ ଝରକା ସବୁ ଫୋପାଡ଼ି ହୋଇ ପଡ଼ିଥିଲା। ତା ସହିତ ପ୍ୟାଣ୍ଟ୍ରିକାର୍‌ରେ ନିଆଁ ଲାଗି ହୁତହୁତ ହୋଇ ଜଳି ଉଠିଥିଲା। ପ୍ରଚଣ୍ଡ ଶବ୍ଦ ସାଙ୍ଗକୁ ନିଆଁ ଦେଖି ସମଗ୍ର ଷ୍ଟେସନ ପରିସରରେ ଆତଙ୍କ ଖେଳି ଯାଇଥିଲା। ଯାତ୍ରୀମାନେ ଜୀବନ ବିକଳରେ ଇତଃସ୍ତତଃ ଦଉଡ଼ିଥିଲେ। ନିଆଁ ଲାଗିଥିବା ଟ୍ରେନ୍‌ରେ କେହି ନ ଥିବାରୁ ଏହା ଏକ ବଡ଼ ଅଘଟଣରୁ ବର୍ତ୍ତିି ଯାଇଥିଲେ ମଧ୍ୟ ପାଖକୁ ଲାଗି ୧ ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଧଉଳି ଏକ୍ସପ୍ରେସ୍‌ର ବ୍ୟାପକ କ୍ଷୟକ୍ଷତି ହୋଇଛି। ଟିଣ କବାଟ ଓ ଝରକା ଉଡ଼ି ଯାଇ ମାଡ଼ ହେବାରୁ ପ୍ୟାଣ୍ଟ୍ରିକାର୍‌ ମ୍ୟାନେଜର ବିନୋଦ କୁମାର ଆର୍ଯ୍ୟ ଓ ସହାୟକ ଚନ୍ଦନ ଦାସ ଆହତ ହୋଇଛନ୍ତି। ଉଭୟଙ୍କ ଶରୀର ବିଭିନ୍ନ ସ୍ଥାନରେ କାଚ ଖଣ୍ଡ ପଶିଯାଇଥିବା ବେଳେ ହାତ ଭାଂଗି ଯାଇଥିବା ଜଣାପଡ଼ିଛି। ଉଭୟଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଖବର ପାଇ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପରେ ଫରେନ୍‌ସିକ୍‌ ଟିମ୍‌ ଓ ଡଗ୍‌ସ୍କ୍ଵାଡ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

ପୁରୀ ଷ୍ଟେସନର ଟ୍ରାଫିକ୍‌ ଇନ୍‌ସ୍‌ପେକ୍ଟର ସୁରେନ୍ଦ୍ରନାଥ ଜେନାଙ୍କ ସୂଚନା ଅନୁସାରେ, ଆଜି ଅପରାହ୍ଣ ୪ଟା ବେଳେ ଏହି ମିଲିଟାରୀ ଟ୍ରେନ୍‌ (ଭାରତୀୟ ନୌସେନା ସେବା ଚିଲିକା ସ୍ୱତନ୍ତ୍ର ଟ୍ରେନ୍‌-୦୮୪୧୩)ଡେଲାଙ୍ଗରୁ ଆସି ଏଠାରେ ପହଞ୍ଚିଥିଲା। ନିୟମିତ ସର୍ଭିସିଂ ପରେ ଆସନ୍ତାକାଲି ୫ଟାରେ ଏହା ଚିଲିକା ଅଭିମୁଖେ ବାହାରିଥାନ୍ତା। କିନ୍ତୁ ଆଜି ୫ଟା ବେଳେ ଏହାର ପ୍ୟାଣ୍ଟ୍ରିକାର୍‌ ଭିତରେ ଥିବା ୫ କିଲୋଗ୍ରାମ ଓଜନର ଏକ ଗ୍ୟାସ୍‌ ସିଲିଣ୍ଡର ଫାଟି ଯାଇଥିଲା। ଛୋଟ ଗ୍ୟାସ୍‌ ଟାଙ୍କିକୁ ଏଠାରେ ବେଆଇନ ଭାବରେ ବ୍ୟବହାର କରାଯାଉଥିଲା ବୋଲି ସେ କହିଛନ୍ତି।

ଯାଞ୍ଚ ବେଳେ ଏହି ପ୍ୟାଣ୍ଟ୍ରି କାର ଭିତରୁ ୧୨ଟି ସିଲିଣ୍ଡର ମିଳିଛି। ସମସ୍ତ ସିଲିଣ୍ଡର ଇଣ୍ଡେନ କମ୍ପାନୀ ଓ ଘରୋଇ ବ୍ୟବହାର ପାଇଁ ବୋଲି ଜଣାପଡ଼ିଛି। ଏଗୁଡ଼ିକୁ ରେଳବାଇ ପୁଲିସ୍‌ ଜବତ କରିଛି। ଏ ସବୁ ତଦନ୍ତ ପରିସରଭୁକ୍ତ ହୋଇଥିବା ଷ୍ଟେସନ କର୍ତ୍ତୃପକ୍ଷ କହିଛନ୍ତି। ତେବେ ଟ୍ରେନ ଭିତରକୁ ଛୋଟ ଗ୍ୟାସ ଟାଙ୍କି କିଭଳି ଆସିଲା ଏ ସଂକ୍ରାନ୍ତରେ ମିଲିଟାରୀ ଟ୍ରେନ୍‌ର କୌଣସି କର୍ମଚାରୀ ମୁହଁ ଖୋଲୁନାହାନ୍ତି।