ବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବାଛୁରୀପଡ଼ା ଗ୍ରାମରେ ବେଆଇନ ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ ଘଟିଛି। ଗୋଦାମ ମାଟିରେ ମିଶିଯାଇଥିବା ବେଳେ ଗୋଟିଏ ପରିବାର ୪ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସୂଚନା ଅନୁସାରେ ପୁରୁଣିଆ ପଞ୍ଚାୟତ ବାଛୁରୀପଡ଼ା ଗ୍ରାମର ଅଧିକାଂଶ ପରିବାର ବେଆଇନ ବାଣ ପ୍ରସ୍ତୁତି କରନ୍ତି। ଆଗକୁ ଦୀପାବଳି ଥିବାରୁ ବାଣ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଆଜି ଗ୍ରାମର ସନ୍ତୋଷ ଦାସଙ୍କ ଘରେ ବାଣ ପ୍ରସ୍ତୁତ ହେଉଥିଲା। ଦିନ ପ୍ରାୟ ୧୧ଟା ବେଳେ ସନ୍ତୋଷଙ୍କ ବଡ଼ପୁଅ ଅନିଲ ଘର ନିକଟ ଆଜବେଷ୍ଟସ୍‌ ଛପର ଗୋଦାମ ଘରେ ବାଣ ଭିଡ଼ୁଥିଲେ।

Advertisment

ଭୁଶୁଡ଼ିଲା ଗୋଦାମ କାନ୍ଥ, ଉଡ଼ିଗଲା ଆଜବେଷ୍ଟସ୍‌ 
ଗାଁରେ ଚଢ଼ଉ, ବିପୁଳ ବିସ୍ଫୋରକ ଜବତ

ଏହି ସମୟରେ କୌଣସି କାରଣରୁ ବାରୁଦ ଗଦାରେ ନିଆଁ ଲାଗିଯାଇ ବିସ୍ଫୋରଣ ଘଟିଥିଲା। ଏହା ଏତେ ଶକ୍ତିଶାଳୀ ଥିଲା ଯେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଆଜବେଷ୍ଟସ୍‌ ଉଡ଼ି ପାଖ ଗଛଡାଳରେ ଝୁଲି ରହିଥିଲା। ବଡ଼ପୁଅ ଅନିଲଙ୍କ ସହ ସନ୍ତୋଷଙ୍କ ପତ୍ନୀ ଶାନ୍ତିଲତା, ବୋହୂ କ୍ରିଷ୍ଣା ଓ ସାନପୁଅ ସୁନୀଲ ଗୁରୁତର ଆହତ ହୋଇଥିଲେ। ତେବେ ସାନବୋହୂ ସହ ଦୁଇଜଣ ଶିଶୁ ଅଳ୍ପକେ ବର୍ତ୍ତିଯାଇଥିଲେ। ଅନିଲଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା ନିଆଯାଇଥିବା ବେଳେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ସେହିପରି ଅନ୍ୟମାନେ ବାଲେଶ୍ବର ଫକୀରମୋହନ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌‌ରେ ଚିକିତ୍ସାଧୀନ ଅଛନ୍ତି। ଘଟଣା ବାବଦରେ ଖବର ପାଇ ବେତନଟୀ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାକୁ ପହଞ୍ଚିଥିଲେ।  ବେତନଟୀ ଏସ୍‌ଡିପିଓ ମିନତି ବିଶ୍ୱାଳଙ୍କ ସହ ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସ ଓ ମାଜିଷ୍ଟ୍ରେଟ୍‌ ଭାବେ ଅତିରିକ୍ତ ତହସିଲଦାର ଈଶ୍ୱର ଚନ୍ଦ୍ର ରଣାଙ୍କ ସହ ପୁଲିସ ଫୋର୍ସ ଏବଂ ବାରିପଦାରୁ ସାଇଣ୍ଟିଫିକ୍‌ ଟିମ୍‌ ଆସି ତଦନ୍ତ କରିଥିଲେ। ଅନ୍ୟପଟେ ଏସ୍‌ଡିପିଓ ଶ୍ରୀମତୀ ବିଶ୍ୱାଳଙ୍କ ନେତୃତ୍ୱରେ ବାଛୁରୀପଡ଼ା ଗାଁର ଏକାଧିକ ଘରେ ଚଢ଼ଉ କରାଯାଇ ଲକ୍ଷାଧିକ ଟଙ୍କାର ବାଣ ସହ ବାରୁଦ ଜବତ ହୋଇଛି। ଜବତ ସାମଗ୍ରୀକୁ ଗୋଟିଏ ଟ୍ରାକ୍ଟର୍‌ ଓ ଦୁଇଟି ପିକ୍‌ଅପ୍‌ ଭ୍ୟାନ୍‌ରେ ଥାନାକୁ ନିଆଯାଇଥିବା ଜଣାପଡ଼ିଛି।