ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ବିସ୍ଫୋରକ ତଥ୍ୟ : ବ୍ୟାପକ ଦୁର୍ନୀତି, ଚାଷୀ ମଧ୍ୟ ଶୋଷିତ

ନିଲମ୍ବନ ଦଣ୍ଡ ନୁହେଁ, ଫୌଜଦାରି ମକଦ୍ଦମା କର
ସହଯୋଗ କରୁଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦରକାର
ପଞ୍ଜୀକରଣରେ ଯଦି କେଳେଙ୍କାରୀ ହେବ, ଧାନ କିଣା କିଭଳି ସ୍ବଚ୍ଛ ହେବ?

ଭୁବନେଶ୍ବର : ଧାନ କିଣା କ୍ଷେତ୍ରରେ ହାଇକୋର୍ଟ ଯେଉଁ ନିର୍ଦେଶ ଦେଇଥିଲେ, ତାହାର ସଠିକ୍ ଅନୁପାଳନ କରାଯାଉନାହିଁ। ବରଂ ଯେଉଁମାନଙ୍କୁ ଧାନ କିଣା ଦାୟିତ୍ବ ଦିଆଯାଇଛି, ସେମାନେ ବ୍ୟାପକ ଦୁର୍ନୀତି କରୁଛନ୍ତି। ଚାଷୀଙ୍କୁ ଶୋଷଣର ଶିକାର ହେବାକୁ ପଡ଼ୁଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଅତି ନଗଣ୍ୟ। ନିଲମ୍ବନ ଗୋଟିଏ ଦଣ୍ଡ ନୁହେଁ। ସେମାନଙ୍କ ବିରୋଧରେ ଫୌଜଦାରି ମକଦ୍ଦମା ହେବା ଦରକାର। ବିଶେଷକରି ତୃଣମୂଳସ୍ତରରେ ଯେଉଁମାନେ ଏହି ଦୁର୍ନୀତିଗ୍ରସ୍ତଙ୍କୁ ସହଯୋଗ କରୁଛନ୍ତି ଓ ସହଯୋଗ ଯୋଗାଇ ଦେଉଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି।

ଧାନ କିଣା ଅବ୍ୟବସ୍ଥା ପ୍ରସଙ୍ଗକୁ ନେଇ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି। ଠିକ୍ ଏମିତି ସମୟରେ ଖାଦ୍ୟ ଯୋଗାଣ ବିଭାଗ ସଂପର୍କରେ ତର୍ଜମା କରି ବିଭାଗୀୟ ଷ୍ଟାଣ୍ଡିଂ କମିଟି ଯେଉଁ ରିପୋର୍ଟ ଦେଇଛି, ତାହା ଚମକାଇ ଦେବାଭଳି। କମିଟି ଅତ୍ୟନ୍ତ କଡ଼ା ଶବ୍ଦରେ ମତ ରଖିଛି ଯେ ରାଜ୍ୟ ସାରା ଖରିଫ୍ ଧାନ କିଣା ଅବ୍ୟବସ୍ଥାକୁ ନେଇ ବ୍ୟାପକ ଅସନ୍ତୋଷ ଦେଖାଦେଇଛି। ଏଇଥିପାଇଁ ଯେ ଯେତିକି ଟୋକନ୍ ଦିଆଯାଇଛି, ସେ ଅନୁସାରେ ଧାନ କିଣା ଟାର୍ଗେଟ ନାହିଁ। କେବଳ ସେତିକି ନୁହେଁ, ଧାନ କିଣା ପାଇଁ ଚାଷୀ ପଞ୍ଜୀକୃତ ଦାୟିତ୍ବରେ ଥିବା ପ୍ୟାକ୍ସ ଓ ଲ୍ୟାମ୍ପ୍‌ସର ସଚିବଙ୍କ ବିରୋଧରେ ମଧ୍ୟ ସାଂଘାତିକ ଅଭିଯୋଗମାନ ଆସିଛି। କୌଣସି ପରିସ୍ଥିତିରେ ବି ଚାଷୀକୁ ଦିଆଯାଇଥିବା ଟୋକନ୍ ବାଜ୍ୟାପ୍ତ ହେବା କଥା ନୁହେଁ।

ବିରୋଧୀ କଂଗ୍ରେସ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବିଧାୟକ ବଦ୍ରି ନାରାୟଣ ପାତ୍ର, ଅରବିନ୍ଦ ଢାଲି, ସତ୍ୟ ନାରାୟଣ ପ୍ରଧାନ, ପ୍ରଶାନ୍ତ କୁମାର ଜଗଦେବ, ମହୀଧର ରଣା, ମନୋହର ରନ୍ଧାରୀ, ଭାସ୍କର ମଢ଼େଇ, ମଞ୍ଜୁଳି ସ୍ବାଇଁ, ପ୍ରଦୀପ କୁମାର ଦିଶାରୀ, ନିତ୍ୟାନନ୍ତ ଗଣ୍ଡ ଓ ସାବିତ୍ରୀ ଅଗ୍ରଵାଲ ସଦସ୍ୟ ଅଛନ୍ତି।

କମିଟି ଏହି ରିପୋର୍ଟରେ କହିଛି ଯେ ଚାଷୀଙ୍କୁ ରାଜ୍ୟସ୍ତରରେ ଟୋକନ୍ ଦିଆଯାଇଛି ଓ ଜିଲ୍ଲାକୁ ଟାର୍ଗେଟ ବି। କିନ୍ତୁ ଉଭୟ ମେଳ ଖାଉନି। ଚାଷୀ ମଣ୍ଡିକୁ ଧାନ ନେବା ବେଳେ ତାଙ୍କୁ କୁହାଯାଉଛି ଯେ ଦିଆଯାଇଥିବା ଟାର୍ଗେଟ ସରିଗଲାଣି। ଏଣୁ ଅନେକ ସ୍ଥାନରେ ଚାଷୀମାନେ ଖୋଲା ଆକାଶ ତଳେ ଧାନ ଗଦା କରି ରଖିଛନ୍ତି। ସେହିଭଳି ଟୋକନ୍‌ର ମଧ୍ୟ ସମୟ ଅବଧି ରହିଛି। ଅନେକ କ୍ଷେତ୍ରରେ ଏସବୁ ବାଜ୍ୟାପ୍ତ ହୋଇଗଲାଣି। ଏଭଳି ପରିସ୍ଥିତିରେ ଖାଦ୍ୟ ଯୋଗାଣ ବିଭାଗ ଜିଲ୍ଲାକୁ କ୍ଷମତା ଦେଇଦେବା ଦରକାର ଯେ ଯେତେ ଧାନ କିଣା ପାଇଁ ଅନୁମତି ଆସିବ, ସେହି ପରିମାଣରେ ଟୋକନ୍ ପ୍ରଦାନ କରିବେ। ପ୍ରୋଜେକ୍ଟ ସପୋର୍ଟ ଟିମ୍‌କୁ ଭାଙ୍ଗି ଦିଆଯିବା ଦରକାର ଅଥବା ସେମାନଙ୍କୁ ଅଧିକ ଧାନ କିଣାଯାଉଥିବା ଜିଲ୍ଲା କିମ୍ବା ଅବିଭକ୍ତ ଜିଲ୍ଲା ସହିତ ଯୋଡ଼ି ଦିଆଯିବା ଉଚିତ୍। ଏସବୁ ଦ୍ବାରା ତ୍ବରିତ ନିଷ୍ପତ୍ତି ହୋଇପାରିବ ଏବଂ କ୍ଷମତାର ବିକେନ୍ଦ୍ରୀକରଣ ମଧ୍ୟ।

କମିଟି ଆହୁରି କହିଛି ଯେ ଚାଷୀ ପଞ୍ଜୀକରଣ ପୂର୍ବରୁ ତଦନ୍ତ ହେବା ଉଚିତ୍। ଆଜି ଦିନରେ ଏହି ଦାୟିତ୍ବ ସୋସାଇଟି ହାତରେ ରହିଛି, ଯେଉଁଠି ସେକ୍ରେଟାରି ଅନ୍ୟ କାମ ସହିତ ଏ କାର୍ଯ୍ୟ ବି କରୁଛନ୍ତି। କିନ୍ତୁ ନା ସେମାନଙ୍କ ନିକଟରେ ରାଜସ୍ବ ରେକର୍ଡ ସଂପର୍କିତ ଜ୍ଞାନ ଅଛି ନା ଜମିର ବାସ୍ତବିକ ସ୍ଥିତି ସଂପର୍କରେ କିଛି ଜାଣନ୍ତି। କମିଟି ଦୃଷ୍ଟିକୁ ଏକଥା ଆସିଛି ଯେ ସେସାଇଟି ସେକ୍ରେଟାରିମାନେ ଜଳାଶୟ, ପତିତ, ଜଙ୍ଗଲ, ଘରବାଡ଼ି, ବଗାୟତ, ରାସ୍ତା, ନାଡ଼ି, ନଳା, ଅନାବାଦି, ଗୋଚର ଜମିର କିସମ ବଦଳାଇ ଦେଇଛନ୍ତି। ଯେଉଁସବୁ ସ୍ଥାନରେ ଏହି ଜାଲିଆତି ହୋଇଛି, ସେଠାରେ ଦେଖାଯାଉଛି ଯେ କିସମ ପରିବର୍ତ୍ତନ ହୋଇଛି ଓ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଏସବୁ କ୍ଷେତ୍ରରେ ଉଭୟ ଚାଷୀ ଓ ସଂପୃକ୍ତ ସେକ୍ରେଟାରୀଙ୍କ ବିରୋଧରେ ଫୌଜଦାରି ମକଦ୍ଦମା ହେବା ଦରକାର।

କମିଟି ଆହୁରି କହିଛି, ପ୍ୟାକ୍ସ ଓ ଲ୍ୟାମ୍ପ୍ସ ହେଉଛନ୍ତି, ଧାନ କିଣା ବ୍ୟବସ୍ଥାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ସେମାନେ ଯଦି ପଞ୍ଜୀକରଣ ବ୍ୟବସ୍ଥାରେ କେଳେଙ୍କାରୀ କରିବେ, ତେବେ ଧାନ କିଣା ବ୍ୟବସ୍ଥାଟି ସ୍ବଚ୍ଛ କେମିତି ହେବ? ସମୁଦାୟ ପ୍ରକ୍ରିୟାର ପୃଥିକୀକରଣ କରିବା ଲାଗି କମିଟି ସୁପାରିସ କରିବା ସହିତ ଜମିର ସ୍ବତ୍ତ୍ବାଧିକାର ସହିତ ରାଜସ୍ବ ନିରୀକ୍ଷକ ଯୋଡ଼ି ହୋଇଥିବା ପରିପ୍ରେକ୍ଷୀରେ ତହସିଲଦାରଙ୍କୁ ଏ ପ୍ରକ୍ରିୟା ଭିତରେ ସରକାର ସାମିଲ କରିବାର ଆବଶ୍ୟକତା ରହିଛି। ସେମାନେ ରାଜସ୍ବ ନିରୀକ୍ଷକଙ୍କ ସହିତ ଯୋଗାଯୋଗ କରି ଏହି କାର୍ଯ୍ୟ ସମ୍ପାଦନ କରିବେ।

ସେହିଭଳି ଆଗୁଆ ଟୋକନ୍ ବ୍ୟବସ୍ଥାର ସ୍ବଚ୍ଛତା ନେଇ ମଧ୍ୟ କମିଟି ତିନିଟି ଗୁରୁତ୍ବପୂର୍ଣ୍ଣ ସୁପାରିସ କରିଛି। ମଣ୍ଡି ଖୋଲିବା ନେଇ ଷ୍ଟାଣ୍ଡିଂ କମିଟି ଆପତ୍ତି ଉଠାଇଛି। ଯେହେତୁ ମଣ୍ଡି ଠିକ୍ ସମୟରେ ଖୋଲୁନାହିଁ, ଅନେକ କ୍ଷୁଦ୍ର ଚାଷୀ ବାଧ୍ୟ ହୋଇ କମ୍ ଦରରେ ଚାଷୀଙ୍କୁ ଧାନ ବିକ୍ରି କରୁଛନ୍ତି। ଭାରତର ଖାଦ୍ୟ ନିଗମ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଠାରୁ ସିଧାସଳଖ ଧାନ କିଣିବା ଲାଗି ଷ୍ଟାଣ୍ଡିଂ କମିଟି ସରକାରଙ୍କୁ ପ୍ରସ୍ତାବ ଦେଇଛି। ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ବଲାଙ୍ଗୀରରେ ଏହା ବେଶ୍ ସଫଳ ହୋଇଛି। ରାଜ୍ୟ ସରକାର ଏ ଦିଗରେ ଠୋସ୍ ପଦକ୍ଷେପ ନେବା ପାଇଁ କମିଟି ପରାମର୍ଶ ଦେଇଛି। ଏଥିସହିତ ପ୍ରତି ପଞ୍ଚାୟତରେ ଧାନ କିଣିବା ଲାଗି ବ୍ୟବସ୍ଥା କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର