ରାଉରକେଲା/ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅଧୀନ ବାଙ୍କୋ ପଥର ଖଣିରୁ ଲୁଟ୍‌ ହୋଇଥିବା ବିସ୍ଫୋରକ ସାମଗ୍ରୀ ସୋମବାର ସରଣ୍ଡାର ଘଞ୍ଚ ଜଙ୍ଗଲରୁ ଜବତ ହୋଇଛି। ଓଡ଼ିଶାର ଏସ୍‌ଓଜି ଓ ଡିଭିଏଫ୍‌, ଝାଡ଼ଖଣ୍ଡର ଜାଗୁଆର କମାଣ୍ଡୋ ବାହିନୀ ଓ ସିଆରପି କୋବ୍ରା ଯବାନଙ୍କ ମିଳିତ ଅପରେସନ୍‌ରେ ପ୍ରାୟ ୨.୫ ଟନ୍‌ ବିସ୍ଫୋରକ ଜବତ କରାଯାଇଛି। ଏ ସଂପର୍କରେ ରାଉରକେଲା ଏସ୍‌ପି ନୀତେଶ ୱାଧୱାନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୂର୍ବରୁ ମେ’ ୩୦ ତାରିଖରେ ଝାଡ଼ଖଣ୍ଡ ଚାଇବସା ପୁଲିସ ସରଣ୍ଡା ଜଙ୍ଗଲରୁ ୧୫୭ କେଜି ଲୁଟ୍‌ ବିସ୍ଫୋରକ ଜବତ କରିଥିଲା। 

Advertisment

ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲର ତିରିଲପୋଷିଠାରେ ଥିବା ଏକ ପାହାଡ଼ରେ ମାଓବାଦୀମାନେ ଏହି ବିସ୍ଫୋରକକୁ ଲୁଚାଇ ରଖିଥିଲେ। ଯବାନମାନଙ୍କ ଦ୍ବାରା ଚାଲିଥିବା ସର୍ଚ ଅପରେସନ୍‌ ସମୟରେ ଏହି ବିସ୍ଫୋରକ ସାମଗ୍ରୀକୁ ଠାବ କରାଯାଇଥିଲା। ସୂଚନାଯୋଗ୍ୟ, ମେ’ ୨୭ ତାରିଖରେ ବାଙ୍କୋ ପଥର ଖଣିକୁ ଯାଉଥିବା ୨୦୦ ପ୍ୟାକେଟ୍‌ ବିସ୍ଫୋରକକୁ ୪୦ରୁ ଊର୍ଦ୍ଧ୍ବ ମାଓବାଦୀ ଲୁଟି ନେଇଥିଲେ। ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ଏହାକୁ ଗୁରୁତ୍ବର ସହ ନେଇ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଘଟଣାସ୍ଥଳରେ ଡେରା ପକାଇ ସ୍ଥିତି ସମୀକ୍ଷା କରିବା ସହ ଲୁଟ୍‌ ବିସ୍ଫୋରକ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ସହ ଆଇଜି (ଅପରେସନ) ଦୀପକ କୁମାର, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ, ରାଉରକେଲା ଏସ୍‌ପି ନୀତେଶ ୱାଧୱାନୀ, ସୁନ୍ଦରଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର, ସ୍ୱତନ୍ତ୍ର ଗୁଇନ୍ଦା ଶାଖା ଅଧିକାରୀ ଓ ଝାଡ଼ଖଣ୍ଡ ପୁଲିସ ମଧ୍ୟ ସାମିଲ ହୋଇଥିଲେ। ଏହା ପରେ ଡିଜିପି ଏନ୍‌ଆଇ୍ଏ ଟିମ୍‌ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଏହାର ତଦନ୍ତ ବର୍ତ୍ତମାନ ଏନ୍‌ଆଇଏ ଟିମ୍‌ କରୁଛି। ଏହି ବିସ୍ଫୋରକ ଲୁଟ୍‌କୁ ୨୦୦୯ ମସିହାରେ ରାଉରକେଲା ଚମ୍ପାଝରନ୍‌ଠାରେ ହୋଇଥିବା ବିସ୍ଫୋରକ ଲୁଟ୍‌ ଘଟଣା ସହ ତୁଳନା କରାଯାଉଛି। ବର୍ତ୍ତମାନ ଜବତ ହେଇଥିବା ବିସ୍ଫୋରକକୁ ମାଓବାଦୀଙ୍କ ବିପକ୍ଷରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀର ସର୍ଚ ଅପରେସନ୍ ଏବେ ବି ଜାରି ରହିଛି।

ଜବତ ବାରୁଦକୁ ନେଇ ଦ୍ବନ୍ଦ୍ବ, ସନ୍ଦେହରେ ବ୍ୟବସାୟୀ

ସୁନ୍ଦରଗଡ଼: ମେ ୨୭ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ନିକଟରୁ ୫ ହଜାର କେଜି ବିସ୍ଫୋରକ (ଜିଲୋଟିନ) ଲୁଟି ନେଇଥିଲେ ମାଓବାଦୀ। ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ଏନ୍‌ଆଇଏ ଓ ଏସ୍‌ଆଇଟି କରୁଥିବାବେଳେ ସ୍ଥିତି ଉପରେ ନଜର ରଖିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ଘଟଣାର ଚତୁର୍ଥ ଦିନରେ ଝାଡ଼ଖଣ୍ଡ ପୁଲିସ କମ୍ବିଂ ଅପରେସନ୍‌ କରି ତିରିଲପୋଷିରୁ କିଛି ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରିଥିଲେ। ଏହାକୁ ନେଇ ଓଡ଼ିଶାରେ ପ୍ରଚାର ହୋଇଥିଲା, ଝାଡ଼ଖଣ୍ଡ ଓ ଓଡ଼ିଶା ପୁଲିସ ମିଳିତ ଭାବେ ୭୦ ପ୍ରତିଶତ ବିସ୍ଫୋରକ ଜବତ କରିଛନ୍ତି। ହେଲେ ଝାଡ଼ଖଣ୍ଡ ପୁଲିସ ପ୍ରେସ୍‌ ଇସ୍ତାହାରରେ ଫଟୋ ଜାରି କଲା ପରେ ପ୍ରକୃତ ସତ ସାମନାକୁ ଆସିଲା। ଝାଡ଼ଖଣ୍ଡ ପୁଲିସ ଲୁଟ୍‌ର ମାତ୍ର ୧୦ ପ୍ରତିଶତ ବିସ୍ଫୋରକ ଜବତ କରିଥିବା ଜଣାପଡ଼ିଥିଲା। ସେପଟେ ଲୁଟ୍ ଘଟଣାର ସାତ ଦିନ ପରେ ଆଜି ମୌଖିକ ଭାବେ ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ ସରଣ୍ଡା ଜଙ୍ଗଲର ତିରିଲପୋଷି ଅଞ୍ଚଳରୁ ଅଢ଼େଇ ଟନ୍‌ ବାରୁଦ ଜବତ କରିଛନ୍ତି ସୁରକ୍ଷା ବଳ।

ହେଲେ ଗତ ଶୁକ୍ରବାର ଓଡ଼ିଶା ପୁଲିସର ମୌଖିକ ସୂଚନାରେ ଯଦି ୭୦ ପ୍ରତିଶତ ବାରୁଦ ଜବତ ହୋଇଥିଲା, ତା’ହେଲେ ଆଜି ୨.୫ ଟନ୍‌ ବାରୁଦ କେଉଁଠୁ ଜବତ ହେଲା? ଆଜିର ଅଢ଼େଇ ଟନ୍‌ ଓ ଶୁକ୍ରବାର ୧୦ ପ୍ରତିଶତ ବାରୁଦ ଜବତ ହେବା ପରେ ବି ମାଓବାଦୀଙ୍କ ପାଖରେ ରହିଛି ଆହୁରି ୨ ଟନ୍‌ରୁ ଅଧିକ ବାରୁଦ। ଯାହା କୌଣସି ଏକ ବଡ଼ ଅଘଟଣ ଘଟାଇବା ପାଇଁ ଯଥେଷ୍ଟ। ଅନ୍ୟପଟେ ଲୁଟ୍ ଘଟଣାର ଷଷ୍ଠ ଦିନରେ ରାଉରକେଲା ବାଲୁଘାଟ ନିକଟ ପେଟ୍ରୋଲ ପମ୍ପରୁ ବିପୁଳ ପରିମାଣର ଡେଟୋନେଟର ଜବତ ହେଇଛି। ଡେଟୋନେଟର ଗାଡ଼ିଟି ବ୍ୟବସାୟୀ ଶ୍ରବଣ ଅଗ୍ରୱାଲଙ୍କର। ଯାହାଙ୍କ ଗୋଦାମରୁ ଯାଇଥିଲା ୫ ଟନ୍‌ ବିସ୍ଫୋରକ। ବିସ୍ଫୋରକ ଲୁଟ୍‌ ହେବା ପରଠାରୁ ହିଁ ଶ୍ରବଣ ଅଗ୍ରୱାଲଙ୍କ ଉପରେ ତଦନ୍ତକାରୀ ସଂସ୍ଥାର ସନ୍ଦେହ ବଢ଼ିଥିଲା। ବର୍ତ୍ତମାନ ବିସ୍ଫୋରକ ଗୋଦାମ ମାଲିକ ଶ୍ରୀ ଅଗ୍ରୱାଲ ଓ ମିନି ଟ୍ରକ୍‌ ଚାଳକକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ପ୍ରଶ୍ନ ଉଠୁଛି, ଯଦି ୨୮ ତାରିଖରେ ବାରୁଦ ଗୋଦାମକୁ ପ୍ରଶାସନ ସିଲ୍‌ କରିଥିଲା, ତା’ହେଲେ ଏତେ ପରିମାଣର ଡିଟୋନେଟର କେଉଁଠିକି ପଠାଉଥିଲେ ଶ୍ରବଣ। ସତରେ ବିସ୍ଫୋରକ ଲୁଟ୍‌ ହୋଇଥିଲା ନା ପଥର ଖଣି ନାଁରେ ଶ୍ରବଣ ଅଗ୍ରୱାଲ ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଉଥିଲେ। ଯାହାର ସତ ଏଯାଏଁ ସାମନାକୁ ଆସିନାହିଁ।