ଯାଜପୁର/ଦାନଗଦୀ: କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିସ୍ଥାପନ ସମସ୍ୟାକୁ ନେଇ ବିସ୍ଫୋରକ ସ୍ଥିତି ଉପୁଜିଛି। ଚିକିତ୍ସା ଅଭାବରୁ ଯମୁନା ପୂର୍ତ୍ତୀଙ୍କ ଅକାଳ ବିୟୋଗକୁ ନେଇ ଗତକାଲି ସଂଧ୍ୟାରୁ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ପ୍ରାୟ ୧୮ଘଣ୍ଟା ଧରି ବିସ୍ଥାପିତ ପରିବାର ସଦସ୍ୟମାନେ ଶବ ରଖି ନୀଳାଚଳ କାରଖାନା ସମ୍ମୁଖରେ ଧାରଣା ଦେଇଥିଲେ। ଏହାକୁ କେନ୍ଦ୍ରକରି ଗତକାଲି ଠାରୁ ସେଠାରେ ଉତ୍ତେଜନା ଲାଗି ରହିଥିଲା। ଆଜି ସକାଳେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଓ ଏସ୍ପି ବିନୀତ ଅଗ୍ରୱାଲ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ଆନ୍ଦୋଳନକାରୀ ବାବୁଲି ପୂର୍ତ୍ତୀ, ଯଯାତି ମହାନ୍ତ, ମିଟୁ ସ୍ବାଇଁ, ଲିନା ମହାନ୍ତଙ୍କ ସମେତ ବହୁ ବିସ୍ଥାପିତ ପରିବାର ସହିତ ପ୍ରଶାସନର ଆଲୋଚନା ପରେ ପରିସ୍ଥିତି ସ୍ବାଭାବିକ ହୋଇଛି। ମୃତ ଯମୁନାଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୫୦ ହଜାର ଟଙ୍କା ଓ ନୀଳାଚଳ(ଟାଟା ଲଙ୍ଗସ ପ୍ରଡକ୍ଟ) କର୍ତ୍ତୃପକ୍ଷ ୧୦ହଜାର ଟଙ୍କା ପ୍ରଦାନ କରିଛନ୍ତି। ଯମୁନାଙ୍କ ଅନାଥ ପିଲାମାନଙ୍କ ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା ପାଇଁ କାରଖାନା ଓ ଜିଲ୍ଲା ପ୍ରଶାସନ ଦାୟିତ୍ବ ନେଇଛନ୍ତି। ୮ବର୍ଷ ହେଲା ହୋଇନଥିବା ଆର୍ପିଡିଏସି ବୈଠକ ଚଳିତ ମାସରେ ଡକାଯାଇ ବିସ୍ଥାପିତମାନଙ୍କ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି ପୂରଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ କଲ୍ୟାଣ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପ୍ରକାଶ ଯେ, କଳିଙ୍ଗନଗର ଶିଳ୍ପାଞ୍ଚଳରେ ୧୨ଟି ବୃହତ୍ ଇସ୍ପାତ କାରଖାନା ସହିତ ୩ଟି ସିମେଣ୍ଟ କାରଖାନା ରହିଛି। ଏଠାରେ ୮୭ଟି ସଂସ୍ଥା କାରଖାନା ଓ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ପାଇଁ ଜମି ଅଧିଗ୍ରହଣ କରିଛନ୍ତି। କଳକାରଖାନା ପାଇଁ ସ୍ଥାନୀୟ ଅଞ୍ଚଳର ଭୂମିପୁତ୍ରମାନେ ନିୟମିତ ବିସ୍ଥାପିତ ହେବାରେ ଲାଗିଛନ୍ତି। ବିସ୍ଥାପିତ ପରିବାରର ସମସ୍ୟା ସମାଧାନ ପାଇଁ ସରକାରଙ୍କ ବିସ୍ଥାପନ ଓ ଥଇଥାନ ନୀତି (୨୦୦୬ ଆର୍ଆର୍ ପଲିସି) ଅନୁସାରେ ପ୍ରତି ୬ମାସରେ ଆରପିଡିଏସି ବୈଠକ ଡାକିବାର ନିୟମ ରହିଛି। ହେଲେ ଏଠାରେ ୮ବର୍ଷ ହେଲା ଏହି ବୈଠକ ବସିନାହିଁ। ରାଜସ୍ବ କମିସନରଙ୍କ ଅଧ୍ୟକ୍ଷତାରେ ଆୟୋଜନ ହେବାକୁ ଥିବା ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ୨୦୧୬ ମସିହାରୁ ଏଯାଏ କରାଯାଇନାହିଁ। ଏହା ମଧ୍ୟରେ ଏକାଧିକ ରାଜସ୍ବ କମିସନର ଓ ଜିଲ୍ଲାପାଳ ବଦଳି ହୋଇସାରିଲେଣି।
ମାତ୍ର କାରଖାନା ପାଇଁ ବିସ୍ଥାପିତଙ୍କ ସମସ୍ୟାକୁ ଦୃଷ୍ଟି ଦିଆଯାଉନାହିଁ। ପ୍ରଶାସନର ଏଭଳି ଅବହେଳା ପ୍ରତିବାଦରେ ୩ ମାସ ଧରି ଗତ ଫେବ୍ରୁଆରି ୯ତାରିଖରୁ ନୀଳାଚଳ କାରଖାନା ସମ୍ମୁଖରେ ବିସ୍ଥାପିତ ପରିବାର ଆନ୍ଦୋଳନ ଚଳାଇଥିଲେ। ଏତେସବୁ ପରେ ମଧ୍ୟ ସେମାନଙ୍କର ଦାବି ପୂରଣ କରାଗଲା ନାହିଁ। କାରଖାନା ପାଇଁ ବିସ୍ଥାପିତ ହୋଇଥିବା ପରିବାରଙ୍କ ବଂଶଧରଙ୍କୁ କାରଖାନାରେ ନିଯୁକ୍ତି ଦେବାକୁ ଦାବି ହୋଇଆସୁଛି। ତେବେ ଆରଆର ପଲିସିରେ ଏପ୍ରକାର ବ୍ୟବସ୍ଥା ନାହିଁ କହି ଏହାକୁ ଏଡ଼ାଇ ଦିଆଯାଉଛି। ସୂଚନାଯୋଗ୍ୟ ଯେ, ବିସ୍ଥାପିତ ମୃତ ଯମୁନାଙ୍କ ସ୍ବାମୀ ଫୁତ୍କାର ପୂର୍ତ୍ତୀ ନୀଳାଚଳରେ ସ୍ଥାୟୀ କର୍ମଚାରୀ(ଫିଲ୍ଡ ମ୍ୟାନ ଭାବେ) କାମ କରୁଥିଲେ। ୨୦୨୧ରେ ତାଙ୍କର ମୃତ୍ୟୁ ହୋଇଥିଲା। ବିଧବା ପତ୍ନୀ ଯମୁନା ୩ପୁଅଙ୍କୁ ନେଇ ଭୋକ ଉପାସରେ ଦିନ କାଟୁଥିଲେ। ବହୁଦିନ ଧରି ରୋଗଗ୍ରସ୍ତ ଯମୁନାଙ୍କର ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କାରଖାନା ପାଇଁ ବାସହରା ପରିବାରକୁ ନିଯୁକ୍ତି ମିଳିନଥିବାରୁ ଆନ୍ଦୋଳନ ଦାନା ବାନ୍ଧିଛି। ନୀଳାଚଳ ନିକଟରେ ଥିବା ସାରଙ୍ଗପୁର, ଟାଟା କାରଖାନା ପାର୍ଶ୍ବରେ ଥିବା ବାରଗାଡ଼ିଆର ଅନୁସୂଚିତ ଜାତି ସାହି ସହିତ ଅନ୍ୟାନ୍ୟ କାରଖାନା ଘେରରେ ଥିବା କୁଡ଼ୁମିସାହି, ଅରାସାହି, କଚେରି ଗାଁ, ଟାଙ୍ଗରସାହିର ଶହଶହ ପରିବାର ପ୍ରଦୂଷଣ ଜନିତ ସମସ୍ୟାରେ ଛଟପଟ ହେଉଛନ୍ତି।