ବ୍ରହ୍ମପୁର: ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟକୁ ନେଇ ଏବେ ଜଣଙ୍କ ପରେ ଜଣେ ନେତା ମୁହଁ ଖୋଲୁଛନ୍ତି। ଦଳର ଆଭ୍ୟନ୍ତରୀଣ କନ୍ଦଳକୁ ହିଁ ସମ‌ସ୍ତେ ଆଙ୍ଗୁଠି ଉଠାଉଛନ୍ତି। ଆଜି ଏହି କ୍ରମରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ତଥା ଗତ ନିର୍ବାଚନରେ ବିଜେଡିରୁ ବିଧାୟିକା ପ୍ରାର୍ଥୀ ହୋଇଥିବା ଲତିକା ପ୍ରଧାନ ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ଦେଇଛନ୍ତି। ବିଜେଡିର ଆସିକା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କୁ ଟାର୍ଗେଟ୍‌ କରିଛନ୍ତି ଲତିକା। ନିର୍ବାଚନ ସମୟରେ ରଞ୍ଜିତା ବିଭୀଷଣ ଭୂମିକା ନିର୍ବାହ କରିଥିଲେ। ସେଥି ପାଇଁ ବିଜେଡି ପରାଜିତ ହେଲା ବୋଲି ସେ ଆରୋପ ଲଗାଇଛନ୍ତି। ରଞ୍ଜିତାଙ୍କ ଦଳବିରୋଧୀ କାର୍ଯ୍ୟକଳାପ ସମ୍ପର୍କରେ ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ଫେରାଦ ହୋଇଥିବା କହିଛନ୍ତି। 

Advertisment

ଲତିକା ଆଜି ଭୁବନେଶ୍ବରରେ ଦଳର ସଭାପତିଙ୍କୁ ସାକ୍ଷାତ କରିବା ସମୟରେ ଗଣମାଧ୍ୟମ ଆଗରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ଲତିକାଙ୍କ ଏଭଳି ବୟାନ ପରେ ଗଞ୍ଜାମ ଜିଲ୍ଲା ବିଜେଡିରେ ଫାଟ ସୃଷ୍ଟି ହୋଇଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ଲତିକା କହିଛନ୍ତି, ଆସିକା ସାଂସଦ ପ୍ରାର୍ଥୀ ଦଳ ବିରୋଧୀ କାମ କରିଛନ୍ତି। ନିର୍ବାଚନ ସମୟରେ ସେ ବିଜେପି ସହିତ ସାଲିସ କରିଥିଲେ। ଦଳ ସହିତ ବେଇମାନି କରି ବିଜେପି ଲୋକଙ୍କ ସହିତ କାମ କରିଥିଲେ। ଏ ସମ୍ପର୍କରେ ଆବଶ୍ୟକ ତଥ୍ୟ ପ୍ରମାଣ ସହିତ ଦଳର ସଭାପତିଙ୍କୁ ଅବଗତ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରାଯାଇଛି।

ଯଦି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ତେବେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଲତିକା ଚେତାଇ ଦେଇଛନ୍ତି। ଆସିକା ସାଂସଦ ପଦ ବିଜୁ ବାବୁଙ୍କ ଅମଳରୁ ଅଣକଂଗ୍ରେସ ହାତରେ ରହିଥିଲା। କିନ୍ତୁ ଏଭଳି ସାଂସଦ ପ୍ରାର୍ଥୀଙ୍କ ପାଇଁ ସେହି ସିଟ୍‌ ଦଳ ହାତରୁ ଯିବା ସହିତ ତାଙ୍କର ନିର୍ବାଚନ ପରିଚାଳନା ଯୋଗୁଁ ଅନ୍ୟ ବିଧାୟକ ଆସନ ମଧ୍ୟ ହରାଇବାକୁ ପଡ଼ିଲା ବୋଲି ଲତିକା ଗଣମାଧ୍ୟମ ଆଗରେ ରହିଛନ୍ତି।  ଅନ୍ୟପଟେ ରଞ୍ଜିତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସମସ୍ତଙ୍କର ନିଜର ବ୍ୟକ୍ତିଗତ ମତ ରହିଛି। ଦଳ ତରଫରୁ ନବୀନ ବାବୁ ମୋତେ ପ୍ରାର୍ଥୀ କରିଥିଲେ। ଦଳର ସ୍ବାର୍ଥ ପାଇଁ ସବୁ କାମ କରିଥିଲି, ତଥାପି ନିର୍ବାଚନରେ ପରାସ୍ତ ହେଲୁ। ତା’ର ତର୍ଜମା କରାଯାଇଛି। ଆଗକୁ ପୁଣିଥରେ ବିଜେଡି ସୁଦୃଢ଼ ହୋଇ ଆସିବ। ଅନ୍ୟପକ୍ଷରେ ଜିଲ୍ଲା ବିଜେଡି ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଛନ୍ତି, ଏ ସମ୍ପର୍କରେ ପୂର୍ବରୁ ଲତିକା କିଛି ଜଣାଇ ନଥିଲେ। ଦଳର ହାଇକମାଣ୍ଡ ଏ ଦିଗରେ ଯାହା କିଛି ନିଷ୍ପତ୍ତି ନେବେ।