କୋରାପୁଟ : ମାଲକାନଗିରି ସୀମାନ୍ତ ତଥା କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳରେ ୧୫ରୁ ୨୦ ମାଓବାଦୀ କ୍ୟାମ୍ପ କରିଥିଲେ। ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ଅପରେସନ ଆରମ୍ଭ କରିଥିଲା କୋରାପୁଟ ପୁଲିସ। କିନ୍ତୁ ପୁଲିସ ଆସିବା ଆଗରୁ ଚକମା ଦେଇ ଖସିଗଲେ ମାଓବାଦୀ। ତଥାପି ସର୍ଚ୍ଚ ଅପରେସନରେ ପୁଲିସକୁ ମିଳିଛି ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ। କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୋ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisment

କୋରାପୁଟ ଜିଲ୍ଲାରେ ଦୀର୍ଘଦିନ ହେଲା ମାଓ କାର୍ଯ୍ୟକଳାପ ଏକ ପ୍ରକାର ବନ୍ଦ ରହିଛି। କିନ୍ତୁ ଜିଲ୍ଲାର ଲମତାପୁଟ, ନନ୍ଦପୁର, ପଟାଙ୍ଗୀ, ବୈପାରିଗୁଡ଼ା ଅଂଚଳରେ ମାଓବାଦୀଙ୍କ ଚଳପ୍ରଚଳ ‌ରହିଛି। ଗତକାଲି ମାଲକାନଗିରି ସୀମା ମାଛକୁଣ୍ଡ ଥାନା ଅନ୍ତର୍ଗତ ଅନକାଡ଼େଲି ଅଞ୍ଚଳରେ ୧୫ରୁ ୨୦ଜଣ ସଶସ୍ତ୍ର ମାଓବାଦୀ ଥିବା ଖବର କୋରାପୁଟ ପୁଲିସକୁ ମିଳିଥିଲା। ଏହି ସୂଚନା ଆଧାରରେ ବିଏସଏଫ୍ ଓ କୋରାପୁଟ ଡିଭିଏଫର ସ୍ବତନ୍ତ୍ର ଟିମ୍‌ ଅପରେସନ ଆରମ୍ଭ କରିଥିଲା। କିନ୍ତୁ ସୁରକ୍ଷା ବଳ ଆସିବା ପୂର୍ବରୁ ମାଓବାଦୀମାନେ ଚମ୍ପଟ ମାରିଥିଲେ। ସେହି ଅଂଚଳରେ ବିଏସଏଫ୍ ଓ କୋରାପୁଟ ଡିଭିଏଫର ମିଳିତ ସର୍ଚ୍ଚ ଅପରେସନ ସମୟରେ ଜଙ୍ଗଲରେ ପୋତା ଯାଇଥିବା ଗୋଟିଏ ପ୍ଲାଷ୍ଟିକ୍ ଡ୍ରମ୍ ଠାବ ହୋଇଥିଲା। ବମ୍ ସ୍କ୍ବାଡ୍ ଘଟଣାସ୍ଥଳରେ ପହଂଚି ଅତି ସତର୍କତାର ସହ ପ୍ଲାଷ୍ଟିକ୍ ଡ୍ରମ୍ ବାହାର କରି ଖୋଲିଥିଲା। ଏହି ଡ୍ରମରୁ ୧୮ଟି ଏସ୍‌ଏଣ୍ତଇ ଏକ୍ସପ୍ଲୋସିଭ୍, ୫୦୦ ପିସ୍‌ ଜିଲୋଟିନ୍, ୩ଟି କ୍ୟାମେରା ଫ୍ଲାସ୍‌, ୧୫ମିଟର ବିଦ୍ୟୁତ୍ ତାର, ସ୍ପ୍ଲିଂଟରସ୍‌ ୧୨୦୦ ଗ୍ରାମ୍, ମାଓ ପତ୍ରିକା, ବିଭିନ୍ନ ମାଓନେତାଙ୍କ ଫଟୋ ମିଳିଥିଲା। ଆନ୍ଧ୍ର-ଓଡ଼ିଶା ବର୍ଡର ଡିଭିଜନାଲ କମିଟି ଏସବୁ ମାଟି ତଳେ ଏହାକୁ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି।