ମୁଚିଗୁଡା ଜଙ୍ଗଲରେ ବିସ୍ଫୋରକ ଜବତ ମାମଲା: ନକ୍ସଲ ନେତା ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ

ଗୁଣପୁର: ଟପ୍‌ ନକ୍ସଲ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଉ ଗୋଟିଏ ମାମଲାରେ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍‌ ଅନ୍ତର୍ଗତ ମୁଚିଗୁଡା ଜଙ୍ଗଲରେ ୨୦୧୩ ମସିହା ମାର୍ଚ୍ଚ ୬ ତାରିଖରେ ସିଆରପିଏଫ ଓ ଜିଲ୍ଲା ପୁଲିସର ମିଳିତ କମ୍ବିଂ ଅପରେସନ ସମୟରେ ବିସ୍ଫୋରକ ମିଳିଥିଲା। ଜବତ ସାମଗ୍ରୀରେ ଟିଫିନ୍‌ ବୋମା, ବିସ୍ଫୋରକ ସାମଗ୍ରୀ ସହ ୧୨ଭୋଲ୍ଟ ବ୍ୟାଟେରି ଆଦି ରହିଥିଲା। ଏ ନେଇ ଚନ୍ଦ୍ରପୁର ଥାନା ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ସବ୍ୟସାଚୀଙ୍କୁ ପକ୍ଷଭୁକ୍ତ କରିଥିଲା। ପୁଲିସ ଚାର୍ଜସିଟ୍‌ ଦାଖଲ କରିବା ପରେ ଏହି ମାମଲା ଗୁଣପୁର ଏଡିଜେଙ୍କ କୋର୍ଟରେ ବିଚାରାଧୀନ ରହିଥିଲା। ମାମଲାର ଶୁଣାଣି ସମୟରେ ମୋଟ ୨୦ଜଣ ସାକ୍ଷୀଙ୍କ ବୟାନ ନିଆଯାଇଥିଲା। ତେବେ ପ୍ରାମଣଯୋଗ୍ୟ ବୟାନ ତଥା ପ୍ରମାଣ ନ ମିଳିନଥିଲା। ତେଣୁ ସବ୍ୟସାଚୀଙ୍କୁ ଏହି ମାମଲାରେ ନିର୍ଦ୍ଦୋଷ ବୋଲି ଆଜି ଏଡିଜେ ମାନସ ରଞ୍ଜନ ରଥ ରାୟ ଶୁଣାଇଛନ୍ତି। କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିବା ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଆଜିର ଶୁଣାଣି ସମୟରେ ସବ୍ୟସାଚୀ ଅନୁପସ୍ଥିତ ରହିଥିବା ବେଳେ ତାଙ୍କ ଓକିଲ ଶ୍ରୀ ପଟ୍ଟନାୟକ କୋର୍ଟରେ ଉପସ୍ଥିତ ରହି ପକ୍ଷ ରଖିଥିଲେ। ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ସବ୍ୟସାଚୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଗୁଡ଼ିକ ମଧ୍ୟରୁ ୧୩ଟି ମାମଲାରେ କୋର୍ଟ ନିର୍ଦ୍ଦୋଷରେ ଖଲାସ କରି ସାରିଲେଣି। ଏହାପରେ ବି ଗୁଣପୁର ସବ୍‌ଜଜ୍‌ଙ୍କ କୋର୍ଟରେ ୪ଟି ଏବଂ ଏଡିଜେଙ୍କ କୋର୍ଟରେ ୮ଟି ମାମଲା ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର