ପୁରୀ: ଗତକାଲି ନରେନ୍ଦ୍ର ପୁଷ୍କରିଣୀରେ ଭଉଁରି ନୀତିରେ ଶ୍ରୀଜିଉମାନେ ଚାପ ଖେଳୁଥିବା ବେଳେ ଦେବୀଘାଟ ନିକଟ ଦଶତୁଠ ନିକଟରେ ୧୭ ସେକେଣ୍ଡ୍‌ର ବାଣ ବିସ୍ଫୋରଣ ହୋଇଥିଲା। ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ମୃତକମାନେ ହେଲେ ସଦର ଥାନା ଅନ୍ତର୍ଗତ ବାରବାଟି ଭୋଇସାହିର ରାଜୁ ରାଓ, ତାଳବଣିଆର ସୁନା‌ ଦୋକାନୀ ଋଷିକେଶ କର୍ମକାର(୪୫) ଓ ଖଣ୍ଡିଆବନ୍ଧ ବୈରାଗୀସାହିର ଦୁଇବର୍ଷ ଏକମାସର ଶିଶୁ ଦିଗୁ ଓରଫ କ୍ରିୟାଂଶୁରାଜ ସ୍ବାଇଁ। ଗତକାଲି ରାତିରେ ଏହି ଅଘଟଣ ପରେ କୁମ୍ଭାରପଡ଼ା ଥାନା ଏଏସ୍ଆଇ ପ୍ରମୋଦ କୁମାର ଦଳାଇଙ୍କ ଅଭିଯୋଗକ୍ରମେ କୁମ୍ଭାରପଡ଼ା ଥାନାରେ ପୁଲିସ ୧୮୧/୨୪ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି। ଥାନା ଆଇଆଇସି ଜୟଦୀପ ମହାନ୍ତି ଏହି ଘଟଣାରେ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତାରେ ତଦନ୍ତ ଚଳାଇଛନ୍ତି। ଏଏସ୍ଆଇ ଶ୍ରୀ ଦଳାଇ ଅଭି ଯୋଗ କରିଛନ୍ତି ଯେ ଭଉଁରି ଉତ୍ସବ ପାଇଁ ସଦର ଥାନା ଅନ୍ତର୍ଗତ ବାରବାଟି ଭୋଇସାହିର ଚନ୍ଦନ ଭୋଇ ଲକ୍ଷାଧିକ ଟଙ୍କାର ବାଣ କିଣିଥିଲେ। ମୃତକ ରାଜୁ ରାଓ ଏହି ବାଣକୁ ଟ୍ରଲିରେ ଆଣି ନରେନ୍ଦ୍ର ପୁଷ୍କରିଣୀ ନିକଟରେ ରଖି ଜଗି ରହିଥିଲା। ତେବେ, ସେଠାରେ ଅନ୍ୟମାନେ ଏହି ବାଣ ଫୁଟାଉଥିବା ବେଳେ ଫୁଟିଥିବା ବାଣର ଝୁଲ ଆସି ବାଣ ଗଦାରେ ପଡ଼ିଥିଲା। ଫଳରେ, ସେଠାରେ ଥିବା ସମସ୍ତ ବାଣ ଫୁଟିବା ଆରମ୍ଭ କରିଥିଲା। ମାତ୍ର ୧୭ ସେକେଣ୍ଡ ମଧ୍ୟରେ ସମସ୍ତ ବାଣ ଫୁଟିଯାଇଥିଲା। ଏହି ୧୭ ସେକେଣ୍ଡ ମଧ୍ୟରେ ୪୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କୁ ଭୁବନେଶ୍ବର ଓ କଟକକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଥିରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି, ପୁରୀରେ ଚିକିତ୍ସିତ ହେଉଥିବା ୯ ଜଣଙ୍କ ମଧ୍ୟରୁ ୬ ଜଣ ସାମାନ୍ୟ ଆହତ ହୋଇଥିବାରୁ ସେମାନଙ୍କୁ ଆଶୁ ଚିକିତ୍ସା ସେବା ଯୋଗାଇ ଘରକୁ ଛାଡ଼ି ଦିଆଯାଇଛି। ଅପରପକ୍ଷେ କେତେକଙ୍କର ଶରୀର ୭୦ ଭାଗରୁ ଅଧିକ ପୋଡ଼ିଯାଇଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ପୁଲିସ କହିଛି।

Advertisment

ଉଲ୍ଲେଖଯୋଗ୍ୟ ଯେ ୧୮୧/୨୪ ନମ୍ବର ମାମଲାର ଅଭିଯୁକ୍ତ ରାଜୁ ରାଓ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ପୁଅ ଅଜୁଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ସେହିପରି ବାଣ ଫୁଟାଇବା ପାଇଁ ଟଙ୍କା ଖର୍ଚ୍ଚ କରିଥିବା ଚନ୍ଦନ ଭୋଇ ମଧ୍ୟ ଗୁରୁତର ଆହତ ଅଛନ୍ତି। ଅଘଟଣ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଆଜି ପୁରୀ ଯାଇ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ଏ ସମ୍ପର୍କରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି। ଏ ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି ଯେ ବାଣ ଫୁଟାଇବାକୁ କାହାରିକୁ ଅନୁମତି ଦିଆଯାଇନଥିଲା। ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଏସ୍‌ପି ପୀନାକ ମିଶ୍ର କହିଛନ୍ତି ଯେ ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅପରପକ୍ଷେ, ଏନେଇ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ସାମାଜିକ କର୍ମୀ ସୁବ୍ରତ ଦାଶ ଅଭିଯୋଗ କରି ଘଟଣାର ତଦନ୍ତ ସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ଦାବି କରିଛନ୍ତି।

(ବକ୍ସ/ଦ୍ବିତୀୟ ପାଠ)
କଟକ ବଡ଼ ଡାକ୍ତରଖାନାରେ ୭ ଗୁରୁତର
କଟକ: ପୁରୀ ବାଣ ବିସ୍ଫୋରଣ ଘଟଣାରେ ୭ଜଣ ଗୁରୁତର ଆହତଙ୍କୁ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ବର୍ଣ୍ଣ ଆଇସିୟୁରେ ଭର୍ତ୍ତି କରାଯାଇଥିବାବେଳେ ୩ଜଣଙ୍କୁ ସର୍ଜରି ବିଭାଗରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଛି। ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାଏକଙ୍କ ସୂଚନା ଅନୁସାରେ, ଶଙ୍କର ବେହେରା(୩୮) ଓ ଦିବ୍ୟ ରଞ୍ଜନ ସାହୁ(୩୫)ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଉଭୟଙ୍କ ଶରୀର ଶତପ୍ରତିଶତ ପୋଡ଼ିଯାଇଛି। ସେହିପରି, ଟୁକୁନା ବେହେରା(୧୫)ଙ୍କ ଶରୀର ୨୫ ପ୍ରତିଶତ ଓ ରାହୁଲ ବେହେରା (୧୪)ଙ୍କ ୫୫ ପ୍ରତିଶତ ପୋଡିଥିବା ଜଣାପଡ଼ିଛି। ଅନ୍ୟପଟେ ସର୍ଜରି ବିଭାଗରେ ୩ଜଣଙ୍କୁ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏସ୍‌ସିବିରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥା ସଂପର୍କରେ ତଦାରଖ କରିଥିଲେ। ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ, ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, କୁଳସଚିବ ଡକ୍ଟର ଅବିନାଶ ରାଉତ୍‌ ଆହତମାନଙ୍କ ଚିକିତ୍ସା ଓ କିପରି ତ୍ବରିତ୍‌ ସେବା ଯୋଗାଇ ଦିଆଯାଇପାରିବ ସେ ସଂପର୍କରେ ବ୍ୟବସ୍ଥା କରିଥିଲେ। ଆଜି ଉନ୍ନୟନ କମିଶନର ଅନୁ ଗର୍ଗ ଆହତମାନଙ୍କ ଚିକିତ୍ସା ଓ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ତଦାରଖ କରିବା ସହ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ମୁଖ୍ୟ ଡାକ୍ତର ନାଏକ ଓ ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଭୁବନାନନ୍ଦ ଦାସଙ୍କ ସହିତ ଆଲୋଚନା କରିଥିଲେ। ଅନ୍ୟପଟେ ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ୍‌ ପାତ୍ର ଏସ୍‌ସିବିରେ ଆହତଙ୍କୁ ଭେଟିଥିଲେ।