ଉତ୍କେଲା: କେସିଙ୍ଗା ବ୍ଲକ୍ ଦେଓଗାଁ ପଞ୍ଚାୟତ ମାଟିଆ ଗ୍ରାମର ଭକରଦେଇ ମାଝୀଙ୍କ ଆବାସ ଟଙ୍କା ହଡ଼ପ ହୋଇଛି। ସିମେଣ୍ଟ ଓ ଛଡ଼ ଦେବା ବାହାନାରେ ସମସ୍ତ ଟଙ୍କା ଗ୍ରାହକ ସେବାକେନ୍ଦ୍ରର ମାଲିକ ଆତ୍ମସାତ କରିଥିବା କେସିଙ୍ଗା ଥାନାରେ ଅଭିଯୋଗ ହୋଇଛି। ଭକରଦେଇଙ୍କୁ ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ଆବାସ ଯୋଜନାରେ ଘର ମିଳିଥିଲା।
ଟଙ୍କା ମିଳିବ ବୋଲି ଉତ୍କେଲା ଷ୍ଟେଟ୍ ବ୍ୟାଙ୍କ ତତ୍ତ୍ବାବଧାନରେ ଥିବା ମାଟିଆ ଗ୍ରାମର ରମେଶ ସାହୁଙ୍କ ଗ୍ରାହକ ସେବା କେନ୍ଦ୍ରରେ ପାସବୁକ୍ ଓ ଏଟିଏମ୍ ଆବେଦନ କରିଥିଲେ। ରମେଶ ଗ୍ରାହକ ସେବାକେନ୍ଦ୍ର ବ୍ୟତୀତ ଛଡ଼ ଓ ସିମେଣ୍ଟ ଦୋକାନ କରିଥିଲେ। ତାଙ୍କ ଠାରୁ ସିମେଣ୍ଟ ଓ ଛଡ଼ ବକେୟା ନେବାକୁ କହିଥିଲେ। ଇତି ମଧ୍ୟରେ ଆବାସ ଯୋଜନାରେ ମିଳିଥିବା ଲକ୍ଷେ ୩୦ ହଜାର ଟଙ୍କା ମାଲିକ ଜଣକ କୌଶଳ କ୍ରମେ ଉଠାଇ ନେଇଥିଲେ। ଉତ୍କେଲା ଷ୍ଟେଟ୍ ବ୍ୟାଙ୍କକୁ ବୃଦ୍ଧା ଜଣକ ଆସି ଜାଣିବାକୁ ପାଇଲେ ଯେ ସବୁତକ ଟଙ୍କା ରମେଶ ସାହୁ ଉଠାଣ କରିଛନ୍ତି।
ଏନେଇ ବୁଧବାର କେସିଙ୍ଗା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାଲିକ ରମେଶ ସାହୁଙ୍କୁ ପଚରାଉଚରା କରୁଛି। ଆଉ କେତେ ଜଣଙ୍କ ଟଙ୍କା ସେ ଆତ୍ମସାତ କରିଛି କି ନାହିଁ ତଦନ୍ତ କରାଯାଉଛି। ଏସ୍ବିଆଇର ଉଚ୍ଚ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।