ଆଇଏଫ୍‌ଏସ୍‌ ଅଭୟଙ୍କ ଗୁମର ଖୋଲୁଛି, ଗଞ୍ଜାମରେ ପଡ଼ିଥିଲା ମୂଳଦୁଆ

ଏସ୍‌ଆଇଟି ନେଲା ୨ହଜାର ପୃଷ୍ଠାର ଦସ୍ତାବିଜ, ଫାଇଲିନ୍‌ରେ ଉପୁଡ଼ିଥିବା୨ କୋଟି ଗଛର ହିସାବ ନେଲେ

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇ ଜେଲ୍‌ ଯାଇଥିବା ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ଗଞ୍ଜାମ ଲିଙ୍କ୍‌ର ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସର ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି)। ଗଞ୍ଜାମରେ ପ୍ରାୟ ୮ ବର୍ଷ କାଳ ବନ ବିଭାଗର ବିଭିନ୍ନ ଉଚ୍ଚ ପଦପଦବିରେ ଥିବା ଅଭୟଙ୍କ ଦୁର୍ନୀତି ଓ କେଳେଙ୍କାରୀର ମୂଳଦୁଆ ପଡ଼ିଥିଲା ବୋଲି କୁହାଯାଉଛି। ତେଣୁ ଏହାର ଖୋଳତାଡ଼ ପାଇଁ ବ୍ରହ୍ମପୁର ଡିଏଫ୍‌ଓ ଏବଂ ଓଏଫ୍‌ଡିସି ବ୍ରହ୍ମପୁର ଡିଭିଜନ୍‌ କାର୍ଯ୍ୟାଳୟ, ମେଡିକାଲ କ୍ୟାମ୍ପସ୍‌ ଏସ୍‌ବିଆଇ ଶାଖା, ବ୍ରହ୍ମପୁର ମୁଖ୍ୟ ଡାକଘରକୁ ଯାଇ ପାଠକଙ୍କ ଚାକିରି କାଳ ମଧ୍ୟରେ ହିସାବ କିତାବ ଓ ଆକାଉଣ୍ଟ ସମ୍ପର୍କରେ ତଥ୍ୟ ହାସଲ କରିଛି। ଡିଏଫ୍‌ଓ ଏବଂ ଓଏଫ୍‌ଡିସି କାର୍ଯ୍ୟାଳୟରୁ ପାଠକଙ୍କ ସମ୍ପର୍କିତ ପ୍ରାୟ ୨ହଜାର ପୃଷ୍ଠାର ଦସ୍ତାବିଜ ଜେରକ୍ସ କରି ନେଇଛନ୍ତି। ଏଥିରେ ବେଶ୍ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଥିବା ଜଣାପଡ଼ିଛି।

ଭିଜିଲାନ୍ସର ସିନିୟର୍‌ ଡିଏସ୍‌ପି ରଂଜନ କୁମାର ଦାସ ଓ ଡିଏସ୍‌ପି ସଂଧ୍ୟାରାଣୀ ସାହୁଙ୍କ ନେତୃତ୍ବରେ ଏସ୍‌ଆଇଟିର ଏକ ଟିମ୍‌ ଆଜି ପୂର୍ବାହ୍ନ ୧୦ଟା ବେଳେ ବ୍ରହ୍ମପୁୁର ଭିଜିଲାନ୍ସ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଭିଜିଲାନ୍ସ ଏଏସ୍‌ପି ଶାନ୍ତନୁ ପାଢ଼ୀଙ୍କ ନେତୃତ୍ବରେ ଟିମ୍‌ ଖୋଳତାଡ଼ ଆରମ୍ଭ କରିଥିଲା। ଆଇଏଫ୍‌ଏସ୍‌ ପାଠକ ୨୦୦୪ ମସିହା ଜୁନ୍‌ ୨୮ତାରିଖ ଠାରୁ ୨୦୦୬ ଜୁନ୍‌ ୨୧ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ଡିଏଫ୍‌ଓ ଭାବେ କାର୍ଯ୍ୟ କରିଥିଲେ। ଏସ୍‌ଆଇଟି ଟିମ୍‌ ବ୍ରହ୍ମପୁର ଡିଏଫ୍‌ଓଙ୍କ କାର୍ଯ୍ୟାଳୟକୁ ଯାଇ ପାଠକଙ୍କ ଚାକିରି କରୁଥିବା ସମୟର ସମସ୍ତ ତଥ୍ୟ ହାସଲ କରିଛି। ଏହି ଚାକିରି ସମୟ ମଧ୍ୟରେ ପାଠକ କେତେ ଦରମା ପାଇଥିଲେ ଓ କୌଣସି ଋଣ ନେଇଛନ୍ତି କି ନାହିଁ, ସେ ସମୟରେ ସରକାରଙ୍କ କେଉଁ ବଡ଼ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା ସେ ଉପରେ ତଥ୍ୟ ସଂଗ୍ରହ କରିଛନ୍ତି। ଏହି କାର୍ଯ୍ୟକାଳ ମଧ୍ୟରେ ପାଠକ ଜିପିଏଫ୍‌ରୁ ଟଙ୍କାଟିଏ ବି ଋଣ ନେଇଥିବା ଏହି ଟିମ୍‌ ଜାଣିବାକୁ ପାଇଛି।

ବ୍ରହ୍ମପୁରଠାରେ ଓଏଫ୍‌ଡିସିର ଡିଭିଜନ୍‌ କାର୍ଯ୍ୟାଳୟ ରହିଛି। ଏହି ଡିଭିଜନ୍ ଅଧୀନରେ ବୌଦ୍ଧ, ଭଞ୍ଜନଗର, ମୁନିଗୁଡ଼ା ଓ ବ୍ରହ୍ମପୁର କାର୍ଯ୍ୟାଳୟ ରହିଛି। ବ୍ରହ୍ମପୁର ଡିଭିଜନ୍‌ରେ ଆଇଏଫ୍‌ଏସ୍‌ ପାଠକ ଜେନେରାଲ୍‌ ମ୍ୟାନେଜର ଭାବେ ଦୁଇଥର କାର୍ଯ୍ୟ କରିଛନ୍ତି। ୨୦୦୮ ଜୁନ୍‌ ୧୦ତାରିଖରୁ ୨୦୧୩ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଦାୟିତ୍ବ ନେଇଥିଲେ। ଏହାପରେ ୨୦୧୩ ସେପ୍ଟେମ୍ବର ୩୦ତାରିଖରୁ ୨୦୧୪ ମସିହା ଜାନୁଆରି ୩୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ପାଠକ ବ୍ରହ୍ମପୁରର ଦୁଇଟି କାର୍ଯ୍ୟାଳୟରେ ସମୁଦାୟ ପ୍ରାୟ ୮ବର୍ଷ କାର୍ଯ୍ୟ କରିଥିଲେ। ଏହି ସମୟରେ ପାଠକ ଆର୍‌ଡିସି କଲୋନି ସ୍ଥିତ ଓଆର୍‌(ବି) କ୍ବାର୍ଟର୍‌ରେ ପରିବାର ସହ ରହୁଥିଲେ। ବିଶେଷ କରି ଓଏଫ୍‌ଡିସି କାର୍ଯ୍ୟାଳୟରୁ ପାଠକଙ୍କ ଦରମା, ଋଣ ଆଦି ସମ୍ପର୍କିତ ୧୨ଟି ବିଷୟରେ ୧୫ଶହ ପୃଷ୍ଠାର ତଥ୍ୟ ସଂଗ୍ରହ କରାଯାଇଛି। ସେହିପରି ବ୍ରହ୍ମପୁର ବଡ଼ ଡାକ୍ତରଖାନା ଏସ୍‌ବିଆଇ ଶାଖାକୁ ଯାଇ ପାଠକଙ୍କ ଆକାଉଣ୍ଟ୍‌ ସମ୍ପର୍କରେ ଯାଞ୍ଚ କରିଛି ଏବଂ ପୋଷ୍ଟାଲ୍‌ରେ ମଧ୍ୟ ତାଙ୍କ ଆକାଉଣ୍ଟ୍‌ ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯାଇଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ୨୦୧୩ ଅକ୍ଟୋବର ୧୨ତାରିଖରେ ଗଞ୍ଜାମ ଜିଲ୍ଲାକୁ ଫାଇଲିନ୍‌ ମହାବାତ୍ୟା ଛାରଖାର କରି ଦେଇଥିଲା। ଏହି ସମୟରେ ବହୁ ବଡ଼ ବଡ଼ ଗଛ ଭାଙ୍ଗିବା ସହ ଉପୁଡ଼ି ପଡ଼ିଥିଲା। ବିଶେଷ କରି ଘୁମୁସର ଉତ୍ତର ଡିଭିଜନ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେହି ସମୟରେ ବନ ବିଭାଗର ଭାଙ୍ଗି ଯାଇଥିବା ଓ ଉପୁଡ଼ି ଯାଇଥିବା ବଡ଼ ଗଛ ଓଏଫଡିସିକୁ ଆସିଥିଲା। ପାଖାପାଖି ୨କୋଟିରୁ ଅଧିକ ଟଙ୍କାର ବୃକ୍ଷ ଓଏଫ୍‌ଡିସି ବିକିଥିଲା। ସେହି ସମୟ ବ୍ରହ୍ମପୁର ଡିଭିଜନ୍‌ ଦାୟିତ୍ବରେ ପାଠକ ଥିଲେ। ୨୦୧୩ରେ ତାଙ୍କୁ ବଦଳି କରାଯାଇଥିଲେ ହେଁ ଫାଇଲିନ୍‌ ପୂର୍ବରୁ ପୁଣି ବ୍ରହ୍ମପୁର ଆସି ଯାଇଥିଲେ। ଏଣୁ ଏଥିରେ ବି ଦୁର୍ନୀତିର ଗନ୍ଧ ଥାଇପାରେ ବୋଲି ସହରରେ ଚର୍ଚ୍ଚା ଧରିଛି। ଏ ଦିଗରେ ଏସ୍‌ଆଇଟି ଦୃଷ୍ଟି ଦେଲେ ବହୁ ତଥ୍ୟ ହାତରେ ଲାଗିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର