କେନ୍ଦୁଝର: କେନ୍ଦୁଝରଗଡ଼ ଦେଇ ନୂଆଦିଲ୍ଲୀକୁ ଗଡ଼ିଲା ଟ୍ରେନ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ଗସ୍ତରେ ଆସି ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ଏକ ସଭାରେ ଯୋଗଦେଇ ପୁରୀ-ଆନନ୍ଦବିହାର ଟର୍ମିନାଲ (ନୂଆଦିଲ୍ଲୀ) ମଧ୍ୟରେ ନୂଆ ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି। ପ୍ରଥମ ଦିନରେ ଏହି ଟ୍ରେନ୍‌ରେ ୨୦୦ଜଣ ଲୋକ ଯାତ୍ରା କରିଥିଲେ। ଟ୍ରେନ୍‌ଟି ବାଂଶପାଣି ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି କେନ୍ଦୁଝରଗଡ଼ ଷ୍ଟେସନ ଫେରି ପୁରୀ ଯାଇଥିଲା। ମାର୍ଚ୍ଚ ୯ ତାରିଖଠାରୁ ଧାର୍ଯ୍ୟ ସମୟ ଅନୁଯାୟୀ ଏହି ସାପ୍ତାହିକ ଟ୍ରେନ୍‌ ପୁରୀ- ଆନନ୍ଦବିହାର ଟର୍ମିନାଲ ମଧ୍ୟରେ କେନ୍ଦୁଝରଗଡ଼ ଷ୍ଟେସନ ଦେଇ ଚଳାଚଳ କରିବ। ପୁରୀରୁ ଶନିବାର ଭୋର ୪ଟା୧୫ରେ ବାହାରି କେନ୍ଦୁଝରଗଡ଼ ଷ୍ଟେସନରେ ପୂର୍ବାହ୍ନ ୧୦ଟାରେ ପହଞ୍ଚିବ।

Advertisment

ଏଠାରେ ୧୦ ମିନିଟ୍‌ ରହିବ। ନୂଆଦିଲ୍ଲୀରେ ରବିବାର ଅପରାହ୍ନ ୧ଟା୧୦ରେ ପହଞ୍ଚିବ। ରବିବାର ଅପରାହ୍ନ ୫ଟା୨୦ରେ ଏହି ଟ୍ରେନ୍‌ ଆନନ୍ଦବିହାର ଟର୍ମିନାଲରୁ ବାହାରି ସୋମବାର ସନ୍ଧ୍ୟାରେ କେନ୍ଦୁଝରଗଡ଼ ଷ୍ଟେସନରେ ପହଞ୍ଚିବ। ପୁରୀରେ ରାତି ୧୧ଟା୫୫ରେ ପହଞ୍ଚିବ। ଏଥିପାଇଁ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଉପଲକ୍ଷେ କେନ୍ଦୁଝରଗଡ଼ ରେଳଷ୍ଟେସନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ, ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ପଟ୍ଟନାୟକ, ପୂର୍ବତଟ ରେଳପଥର ମୁଖ୍ୟ ଯନ୍ତ୍ରୀ (ଷ୍ଟେସନ ଉନ୍ନତୀକରଣ) ସଞ୍ଜୟ ମେଣ୍ଡେକର ଅତିଥିଭାବେ ଯୋଗଦେଇଥିଲେ।

ସେହିପରି ପାରାଦୀପ-କେନ୍ଦୁଝରଗଡ଼ ମେମୁ ଟ୍ରେନ୍‌କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍‌ ପାରାଦୀପରୁ ଭୋର ସାଢ଼େ ୫ଟାରେ ବାହାରି କେନ୍ଦୁଝରଗଡ଼ ଷ୍ଟେସନରେ ୧୦ଟା ୪୫ରେ ପହଞ୍ଚିବ। କେନ୍ଦୁଝରଗଡ଼ ଷ୍ଟେସନରୁ ଅପରାହ୍ନ ସାଢ଼େ ୪ଟାରେ ବାହାରି ପାରାଦୀପରେ ରାତି ୯ଟା ୨୫ରେ ପହଞ୍ଚିବ। ଏହି ଟ୍ରେନ୍‌ ଦ୍ବାରା କେନ୍ଦୁଝର ସମେତ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାବାସୀ ଉପକୃତ ହେବେ। ଏହାବ୍ୟତୀତ ୧୬୨ କିଲୋମିଟର ବିଶିଷ୍ଟ ବାଂଶପାଣି-ଦୈତାରି-ଟମ୍‌କା-ଯଖପୁରା ରେଳମାର୍ଗର ଦୋହରୀକରଣକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି।