ଅନୁଗୁଳ : କଥା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତିନି ମାସ ତଳେ ଦେଇଥିବା ପ୍ରତିଶ୍ରୁତି ମୁତାବକ ଅନୁଗୁଳ ଓ ଢେଙ୍କାନାଳ ଦେଇ କୋଲକାତାକୁ ଆଜିଠାରୁ ନୂଆ ଟ୍ରେନ୍ର ଶୁଭାରମ୍ଭ ହୋଇଛି। ପୂର୍ବରୁ ଅନୁଗୁଳ ଦେଇ କୋଲକାତାକୁ ସପ୍ତାହକୁ କେବଳ ଗୋଟିଏ ଟ୍ରେନ୍ ଚଳାଚଳ କରୁଥିଲା। ଯାହାର ନାଁ ଥିଲା ସମ୍ବଲପୁର-ଶାଲିମାର୍ ଏକ୍ସପ୍ରେସ୍। କିନ୍ତୁ ଆଜିଠାରୁ ଆରମ୍ଭ ହୋଇଥିବା ନୂଆ ଟ୍ରେନ୍ର ନାଁ ‘ମହିମା ଗୋସାଇଁ ଏକ୍ସପ୍ରେସ୍’ ରଖାଯାଇଛି। ‘ସମ୍ବଲପୁର-ଶାଲିମାର୍ ଏକ୍ସପ୍ରେସ୍’ ବାଦ୍ ନୂଆ ‘ମହିମା ଗୋସାଇଁ ଏକ୍ସପ୍ରେସ୍’ ସପ୍ତାହକୁ ତିନିଦିନ ଚାଲିବ ବୋଲି ରେଳବିଭାଗ ପକ୍ଷରୁ କୁହାଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହିତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଉପବାଚସ୍ପତି ରଜନୀକାନ୍ତ ସିଂହ, ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ପ୍ରମୁଖ ସବୁଜ ପତାକା ଦେଖାଇ ଟ୍ରେନ୍ ଚଳାଚଳକୁ ଆରମ୍ଭ କରିଥିଲେ।