ବାହାନଗା ଷ୍ଟେସନ୍‌ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ; ୮ ବଗି ଲାଇନଚ୍ୟୁତ, ବହୁ ଯାତ୍ରୀ ଆହତ

ବାଲେଶ୍ବର: ବାହାନଗା ଷ୍ଟେସନ୍‌ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍‌ (୧୨୮୪୧-ଅପ୍‌) ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଟ୍ରେନ୍‌ଟି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିଲା ବେଙ୍ଗଲୁରୁରୁ କୋଲକାତା ଯାଉଥିବା ଯଶୱନ୍ତପୁର-ହାୱଡା ଏକ୍ସପ୍ରେସ୍। ଦୁଇଟି ଟ୍ରେନ ପରସ୍ପରକୁ ପାସ୍ କରୁଥିବା ସମୟରେ ଯଶୱନ୍ତପୁର-ହାୱଡା ଏକ୍ସପ୍ରେସର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା। ଫଳରେ ଏହି ବଗି ଦୁଇଟା ପାଖ ଟ୍ରାକରେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସର ସହିତ ମାଡ଼ ହୋଇଥିଲା। ଏହାପରେ ପ୍ରାଥମିକ ସୂଚନା ଅନୁଯାୟୀ, କରମଣ୍ଡଳ ଏକ୍ସପ୍ରେସର ୮ଟି ବଗି ଦୁର୍ଘଟଣାର ଶିକାର ‌ହୋଇ ଲାଇନଚ୍ୟୁତ ହୋଇ ରେଳଲାଇନ୍ ବାହାରକୁ ମାଡ଼ିଯାଇ ଖସିପଡ଼ିଥିଲା। ଏହି ଭୟଙ୍କର ଦୁର୍ଘଟଣା ସଂଧ୍ୟା ପ୍ରାୟ ୭. ୨୦ ମିନିଟରେ ଘଟିଥିବା ସୂଚନା ରହିଛି।

ଦୁର୍ଘଟଣା ଅତି ଭୟଙ୍କର ହୋଇଥିବା ବେଳେ ଅନେକ ଯାତ୍ରୀଙ୍କ ଜୀବନ ଯାଇଥିବା ଏବଂ ଶତାଧିକ ଯାତ୍ରୀ ଆହତ ହୋଇଥିବା ଅନୁମାନ କରାଯା‌ଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରେଳବାଇ ପୁଲିସ ସହ ସ୍ଥାନୀୟ ସୋର ଓ ବାହାନଗା ପୁଲିସ ତଥା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଆହତମାନଙ୍କୁ ନିକଟସ୍ଥ ବାହାନଗା, ସ‌ୋର ଓ ବାଲେଶ୍ବର ଡାକ୍ତରଖାନା ନିଆଯାଉଛି।

ଏହି ଘଟଣା ପରେ ଉଦ୍ଧାର କାର୍ଯ୍ୟ ଲାଗି ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି। ସ୍ବତନ୍ତ୍ର ରିଲିଫ୍ କମିସନର ବାଲେଶ୍ବର ଜିଲ୍ଲାପାଳଙ୍କୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହପରି ବାଲେଶ୍ବର ଏସପିଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ କୁହାଯାଇଛି।

ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାଟି ରେଳ ଫାଟକ ନିକଟରେ ଘଟିଛି ଓ  ଏହାର ଦୁଇ ପାର୍ଶ୍ବରେ ଲୋକ ଜମା ହୋଇଥିଲେ। ଦୁଘର୍ଟଣା ଫଳରେ ୮ଟି ବଗି ଲାଇନଚ୍ୟୁତ ହୋଇଥିଲା ଓ ଏହା ତଳେ ବହୁଯାତ୍ରୀ ଚାପି ହୋଇ ରହିଥିବା ସାମ୍ନାକୁ ଆସିଛି। ଘଟଣାସ୍ଥଳ ଅନ୍ଧାର ରହିଥିବ‌ାରୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନାହିଁ।

ସମ୍ବନ୍ଧିତ ଖବର