ଯାଜପୁର/ରଗଡି : ବ୍ୟାସନଗର ତହସିଲ ଅଞ୍ଚଳରେ ଶହଶହ କୋଟି ଟଙ୍କାର ସରକାରୀ ଜମି ଜବରଦଖଲ ନେଇ ତହସିଲ ପ୍ରଶାସନ ସମାଲୋଚିତ ହୋଇଆସିଛି। ଦମକଳ ଗୋଲେଇ ଛକରୁ ମିଲିଟାରି ଛକ ବାଇପାସ ରାସ୍ତା ପାର୍ଶ୍ବରେ ଥିବା ନୟାଗଡ଼ ମୌଜାର ସରକାରୀ ଜମିରୁ ଆଜି ବରଦଖଲ ଉଚ୍ଛେଦ କରାଯାଇଛି। ପ୍ରାୟ ୧୫/୧୬ଏକର ମୂଲ୍ୟବାନ ଜମିକୁ ପ୍ରଶାସନ ନିଜ ନିୟନ୍ତ୍ରଣକୁ ନେଇଛି। ଏହି ଜମିରେ ନିର୍ମାଣ ଚାଲିଥିବା ପାଚେରିକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି। ଏଥିସହ ପ୍ରବେଶ ନିଷେଧ ବୋର୍ଡ଼ ଲଗାଯାଇଛି। ଏହି ସବୁ ଜମିରୁ ଜବରଦଖଲ ହଟାଇବା ପାଇଁ ତହସିଲ ପକ୍ଷରୁ ପୂର୍ବରୁ ତାଗିଦ ସହ ନୋଟିସ୍ ଜାରି କରାଯାଇଥିଲା। କେତେକ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରିଥିବା ନେଇ ଗ୍ରାମବାସୀ ପୂର୍ବରୁ ତହସିଲ କର୍ତ୍ତୃପକ୍ଷ ଙ୍କ ନିକଟରେ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଚୋରଦା, ନହକା ଓ ବେଣାପୁର ମୌଜାରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିବ ବୋଲି ତହସିଲ ପକ୍ଷରୁ ସୂଚନା ଦିଆଯାଇଛି। ଆଜି କାର୍ଯ୍ୟକ୍ରମକୁ ତହସିଲଦାର ଅଶୋକ କୁମାର ମାଝି ଓ ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ ସଂଯୋଜନା କରୁଥିବା ବେଳେ ଚାନ୍ଦମା ଆରଆଇ ଇତିଶ୍ରୀ ସେନାପତି, ତୁଳତୀ ଆରଆଇ ସୁଜିତ କୁମାର ସାମଲ ଓ ପଛିକୋଟ ଆରଆଇ ରବିନାରାୟଣ ସାହୁ ଉପସ୍ଥିତ ରହି ଜବରଦଖଲ ଉଚ୍ଛେଦ କରିଥିଲେ। ଅପରପକ୍ଷରେ ବହୁ ବର୍ଷ ହେଲା ଘର କରି ବସବାସ କରୁଥିବା ଲୋକମାନଙ୍କ ନାମରେ ଜମି କରିବାକୁ ମଧ୍ୟ ଦାବି କରାଯାଇଛି।
ବ୍ୟାସନଗର: ବ୍ୟାସନଗର ପୌରାଞ୍ଚଳ ୧୨ ନମ୍ବର ୱାର୍ଡ ୟୁନିଟ-୫ ନହକା ମୌଜା ଗୋଲେଇ ଛକ ନିକଟରେ ଥିବା ଆମନ୍ତ୍ରଣ ଗାଲାକ୍ସି ଆପାର୍ଟମେଣ୍ଟ ସମ୍ମୁଖରେ ଥିବା ମୂଲ୍ୟବାନ ସରକାରୀ ଜାଗାରେ ତହସିଲ ପକ୍ଷରୁ ଆଜି ଖୁଣ୍ଟ ପୋତାଯାଇଛି। ପ୍ରଶାସନ ପକ୍ଷରୁ ଦୁଇଥର ଉଚ୍ଛେଦ ପରେ ମଧ୍ୟ ତାହା ଜବରଦଖଲ ହୋଇଥିଲା। ଏହାକୁ ନେଇ ତହସିଲରେ ଅଭିଯୋଗ ହେବା ପରେ ଆଜି ସନ୍ଧ୍ୟାରେ ତହସିଲଦାର ଅଶୋକ କୁମାର ମାଝୀ, ଅତିରିକ୍ତ ତହସିଲଦାର ବିକ୍ରମ ମଲ୍ଲିକ, ଆର୍ଆଇ ଇତିଶ୍ରୀ ସେନାପତି, ସୁଜିତ ସାମଲ, ରବି ନାରାୟଣ ସାହୁ ଏହି ସ୍ଥାନରେ ସତର୍କ ସୂଚନା ସମ୍ବଳିତ ଫଳକ ପୋତି ଜବରଦଖଲ ହଟାଇଛନ୍ତି। ସେହିପରି ଚାନ୍ଦମା ଓ ଶୋବରା ମୌଜାରେ ୧୦ ଏକରରୁ ଊର୍ଦ୍ଧ୍ବ ଜମି ଜବରଦଖଲ ଚିହ୍ନଟ କରିବା ସହ କୁଆଁରଦା ମୌଜାରେ ୧୫ ଏକର, ନୟାଗଡ଼ ମୌଜାରେ ୧ ଏକର ଜମି ଚିହ୍ନଟ ସରକାରୀ ଜାଗା ଭାବେ ଫଳକ ଲଗାଯାଇଛି। ଆଗାମୀ ଦିନରେ ସରକାରୀ ଜାଗାରୁ ଜରଦଖଲ ଉଚ୍ଛେଦ କରାଯିବ ବୋଲି ତହସିଲଦାର ଶ୍ରୀ ମାଝୀ ସୂଚନା ଦେଇଛନ୍ତି।