ରାହୁଲ ଗାନ୍ଧିଙ୍କୁ ଲୋକସଭାରୁ ବହିଷ୍କାର ପ୍ରସଙ୍ଗ: ସର୍ବଦଳୀୟ ବୈଠକରେ ନିନ୍ଦା

ସୋମବାର ରାଜଭବନ ଚଲୋ କାର୍ଯ୍ୟକ୍ରମ

ଭୁବନେଶ୍ବର : କଂଗ୍ରେସ ନେତା ରାହୁଳ ଗାନ୍ଧିଙ୍କୁ ଲୋକସଭାରୁ ବହିଷ୍କାର କରାଯିବା ପ୍ରସଙ୍ଗରେ ଶନିବାର ଦିନ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସଭାପତିତ୍ବରେ ବସିଥିବା ଏହି ବୈଠକରେ ଏହାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରାଯିବା ସହିତ ଏହି ଅଗଣତାନ୍ତ୍ରିକ ଘଟଣାର ପ୍ରତିବାଦ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ସୋମବାର ରାଜଭବନ ଚଲୋ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର ହୋଇଛି।

ବୈଠକରେ ଉପସ୍ଥିତ ରାଜନୈତିକ ଦଳର ନେତୃବୃନ୍ଦ କହିଥିଲେ, ବିରୋଧୀଙ୍କୁ ମୂଳୋତ୍ପାଟନ କରିବାର ବିଜେପି-ଆରଏସ୍‌ଏସ୍‌ ରାଜନୈତିକ ଷଡ଼ଯନ୍ତ୍ର କରିଛନ୍ତି। ଏହି କୁତ୍ସିତ ପ୍ରୟାସ ବିରୋଧରେ ବିରୋଧୀ ଦଳମାନେ ରାସ୍ତାକୁ ଓହ୍ଲାଇବେ ଓ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ। ସାଂପ୍ରଦାୟିକତାବାଦ ବିରୋଧରେ ସବୁ ବାମ, ଗଣତାନ୍ତ୍ରିକ, ଧର୍ମ ନିରପେକ୍ଷ ଓ ଦେଶପ୍ରେମୀ ବ୍ୟକ୍ତି ଏକାଠି ହୋଇ ସଂଗ୍ରାମ କରିବାକୁ ବୈଠକରେ ଆହ୍ବାନ ଦିଆଯାଇଛି।

ଏହି ବୈଠକରେ କଂଗ୍ରେସ ସମେତ ସିପିଆଇ, ସିପିଆଇ(ଏମ୍‌), ସିପିଆଇ(ଏମଏଲ) ଲିବରେସନ, ସମାଜବାଦୀ ପାର୍ଟି, ଫରୱାର୍ଡ ବ୍ଲକ୍, ଏନ୍‌ସିପି, ଆମ ଆଦମୀ ପାର୍ଟି, ସମୃଦ୍ଧ ଓଡ଼ିଶା ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଅଳି କିଶୋର ପଟ୍ଟନାୟକ, ଅଭୟ ସାହୁ, ଜନାର୍ଦ୍ଦନ ପତି, ନାରାୟଣ ରେଡ୍ଡି, ଯୁଧିଷ୍ଠୀର ମହାପାତ୍ର, ରବି ବେହେରା, ରଙ୍ଗାଚରଣ ପ୍ରଧାନ, ‌ଯତୀଶ ମହାନ୍ତି, ଜ୍ୟୋତିରଂଜନ ମହାପାତ୍ର, ବିକ୍ରମ ସ୍ବାଇଁ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର