ପଞ୍ଜୀକରଣ ଅବଧି ୩୧ ଯାଏ ବଢ଼ାଇବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଉ: ବିଜେପି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣର ଅବଧି ଚଳିତ ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ପ୍ରସ୍ତାବ ଦେବା ନିମନ୍ତେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଓ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଦାବି କରିଛନ୍ତି। କେନ୍ଦ୍ର ସରକାର ନିଜ ତରଫରୁ ଗତ ୩୧ ତାରିଖରେ ରାଜ୍ୟ ସରକାରମାନଙ୍କୁ ପତ୍ର ଲେଖି ଏହି ସମୟ ସୀମାକୁ ଚଳିତ ମାସ ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ଅବସରରେ ଶ୍ରୀ ପୁରୋହିତ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଗତ ଜୁଲାଇ ମାସ ୨୨ ତାରିଖ ଦିନ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମନ୍ୱୟ ବୈଠକରେ(ଏସ୍‌ଏଲ୍‌ସିସି) ପ୍ରସ୍ତାବ ପାରିତ ହେବା ପରେ ୨୩ ତାରିଖ ଦିନ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ସମ୍ବନ୍ଧିତ ବିଜ୍ଞପ୍ତି ଜାରି କରିଥିଲେ। ମାତ୍ର ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ କୋଭିଡ-୧୯ ଜନିତ କଟକଣା ଏବଂ ଲକ୍‌ଡାଉନ/ସଟ୍‌ଡାଉନ କାରଣରୁ ସମୟ ଅବଧି କମ୍ ପାଇଁ ପାଖାପାଖି ୬୦ ପ୍ରତିଶତ କୃଷକ ଫସଲ ବୀମା ପଞ୍ଜୀକରଣରୁ ବଞ୍ଚିତ ହୋଇଛନ୍ତି। ବର୍ତ୍ତମାନ ଏହି ଅବଧି ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ। ଏହା ସତ୍ତ୍ବେ ହାତରେ ମାତ୍ର ୩ ଦିନ ଥିବାରୁ ରାଜ୍ୟର ସମସ୍ତ କୃଷକ ଫସଲ ବୀମା ପଞ୍ଜୀକରଣ କରିବା ଆଦୌ ସମ୍ଭବ ନୁହେଁ। ତେଣୁ ରାଜ୍ୟ ସରକାର ତୁରନ୍ତ ରାଜ୍ୟସ୍ତରୀୟ ସମନ୍ୱୟ (ଏସ୍‌ଏଲ୍‌ସିସି) ବୈଠକ ବସାଇ ରାଜ୍ୟର କୃଷକଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ସମୟସୀମାକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବା ନିମନ୍ତେ ରାଜ୍ୟ କୃଷି ମନ୍ତ୍ରୀଙ୍କ ନିକଟରେ ଶ୍ରୀ ପୁରୋହିତ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର