ସ୍କୁଲ ଲାଇବ୍ରେରି ବହିକିଣାରେ ବ୍ୟାପକ ଦୁର୍ନୀତି, ଏ ଅସାଧୁମେଣ୍ଟରେ କିଏ?

ଭୁବନେଶ୍ୱର : ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ଅଧ୍ୟୟନରତ କୋମଳମତି ବିଦ୍ୟାର୍ଥୀଙ୍କ ମେଧାବୃଦ୍ଧି ସକାଶେ ପାଠ୍ୟ ପୁସ୍ତକ ବ୍ୟତୀତ ପାଠାଗାରର ରୁଚିପୂର୍ଣ୍ଣ ବହିଗୁଡ଼ିକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ସତ୍ତ୍ବେ ଗ୍ରାମାଞ୍ଚଳରେ ପାଠାଗାର ଆନ୍ଦୋଳନ ଆଶାନୁରୂପ ହୋଇପାରି ନଥିଲେ ହେଁ, ସରକାର ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ପାଠାଗାରକୁ ବଞ୍ଚାଇ ରଖିବା ଲକ୍ଷ୍ୟରେ ସ୍ୱଳ୍ପ ତଥା କାମଚଳା ଆର୍ଥିକ ସହାୟତା ଦେଉଛନ୍ତି। ମାତ୍ର ପ୍ରଶାସନ ଓ ହାତଗଣତି ପ୍ରକାଶକଙ୍କ ଅସାଧୁମେଣ୍ଟ ଏହି ସ୍ୱଳ୍ପ ଅର୍ଥରୁ ସିଂହଭାଗ ହଡ଼ପ କରିବାକୁ ବେଶ୍‌ ସକ୍ରିୟ! ପରିଣାମସ୍ୱରୂପ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ଭଳି ସୁନିର୍ବାଚିତ ତଥା ରୁଚିପୂର୍ଣ୍ଣ ପୁସ୍ତକ ଆଉ ସ୍କୁଲ ପାଠାଗାରରେ ଉପଲବ୍ଧ ନହେବା ଆଶଙ୍କା ଘନୀଭୂତ ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଥିବା ପ୍ରାୟ ୮ ହଜାର ମାଧ୍ୟମିକ ସ୍କୁଲର ପାଠାଗାର ପାଇଁ ବହି କିଣିବାକୁ ସରକାର ୫ ବର୍ଷ ପାଇଁ ୧୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିବା ପରେ ସ୍କୁଲପିଛା ବର୍ଷକୁ ୨୫ ହଜାର ଟଙ୍କାର ନୂଆ ବହି କିଣିବା ସୁଯୋଗ ସୃଷ୍ଟି ହୋଇଛି। ତଦନୁଯାୟୀ ଗତ ଶିକ୍ଷା ବର୍ଷରେ ନିୟମ-କାନୁନ ଓ ସ୍ୱଚ୍ଛତାକୁ ଜଳାଞ୍ଜଳି ଦେଇ ତଥାକଥିତ ଅସାଧୁମେଣ୍ଟ ୨୦ କୋଟି ଟଙ୍କା ମୂଲ୍ୟର ବହିକିଣାରୁ ମନଇଚ୍ଛା ଫାଇଦା ଉଠାଇଥିଲେ। କରୋନା ସଂକ୍ରମଣ ସତ୍ତ୍ବେ ଚଳିତ ଶିକ୍ଷା ବର୍ଷ ପାଇଁ ପୁଣି ୨୦ କୋଟି ଟଙ୍କାରେ ବହିକିଣା ପାଇଁ ଯୁଦ୍ଧକାଳୀନ ପ୍ରକ୍ରିୟା ଜାରି ରହିଥିବାବେଳେ ଅସାଧୁମେଣ୍ଟ ପୂର୍ବ ବର୍ଷ ଫନ୍ଦିର ପୁନରାବୃତ୍ତି ଘଟାଇବାକୁ ଅଣ୍ଟା ଭିଡ଼ିଛନ୍ତି।

ଉଲ୍ଲେଖଯୋଗ୍ୟ, ସ୍କୁଲ ପାଠାଗାର ନିମନ୍ତେ ବହିକିଣାରେ ଯଥାସମ୍ଭବ ସ୍ୱଚ୍ଛତା ରକ୍ଷା ଲାଗି ପୂର୍ବରୁ ନିର୍ଦ୍ଦିଷ୍ଟ ନୀତି-ନିୟମ ଅନୁସୃତ ହେଉଥିଲା। ପ୍ରତିଯୋଗିତା ଭିତ୍ତିରେ ବହିକିଣା ଲାଗି ସରକାର ଖବରକାଗଜରେ ବିଜ୍ଞାପନ ଦେଇ ଲେଖକ ଓ ପ୍ରକାଶକମାନଙ୍କଠାରୁ ପ୍ରକାଶିତ ପୁସ୍ତକ ଆହ୍ୱାନ କରୁଥିଲେ। ସରକାରଙ୍କ ଦ୍ୱାରା ଗଠିତ ବହୁ ସଦସ୍ୟବିଶିଷ୍ଟ କମିଟି ଛାତ୍ରଛାତ୍ରୀଙ୍କ ପାଇଁ ଉପାଦେୟ ପୁସ୍ତକ ଚୟନ କରିବା ପରେ ଟେଣ୍ଡର ଜରିଆରେ ସେ ସବୁ ବହିର ମୂଲ୍ୟ ନିର୍ଦ୍ଧାରଣ ସହ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଉଥିଲା। ଶେଷରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ତତ୍ତ୍ୱାବଧାନରେ ସ୍କୁଲ ପ୍ରଧାନ ଶିକ୍ଷକମାନେ ତାଲିକାଭୁକ୍ତ ବହି କିଣୁଥିଲେ। ମାତ୍ର ଗତ ଶିକ୍ଷା ବର୍ଷରୁ ହଠାତ୍‌ ଏହି ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ଟାଣି ବିଜ୍ଞାପନ ଓ ଟେଣ୍ଡର ବିନା କିଛି ହାତଗଣତି ପ୍ରକାଶକଙ୍କୁ ବହି ଯୋଗାଣ ଅର୍ଡ଼ର ପ୍ରଦାନ କରାଯାଇଥିଲା। ଏହା ଦ୍ୱାରା ତଥାକଥିତ ପ୍ରିୟ ପ୍ରକାଶକଙ୍କ ନିମ୍ନମାନର ବହିକୁ ଚଢ଼ା ଦାମରେ କିଣାଯାଇଥିଲା।

ଚଳିତ ଶିକ୍ଷା ବର୍ଷରେ କିଣାଯାଇଥିବା କେତେକ ବହିର ଦାମକୁ ପ୍ରିୟ ପ୍ରକାଶକମାନେ ୪୦%ରୁ ୮୦% ଯାଏ ବଢ଼ାଇ ଇତିମଧ୍ୟରେ ମାଧ୍ୟମିକ ଶିକ୍ଷା ବିଭାଗରୁ ଅନୁମୋଦନ ଲାଭ କରିଥିବା ଜଣାପଡ଼ିଛି। କିଛି ଦୃଷ୍ଟାନ୍ତ ସ୍ୱରୂପ -ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନର ‘ଶ୍ରୀକୃଷ୍ଣ ପୁରୁଷୋତ୍ତମ’ ବହିକୁ ଗତ ବର୍ଷ ୩୨୫ ଟଙ୍କାରେ ଯୋଗାଯାଇଥିଲା ବେଳେ ଏବର୍ଷ ତାହାର ମୂଲ୍ୟକୁ ୫୨୫ ଟଙ୍କା, ୩୯୫ ଟଙ୍କା ମୂଲ୍ୟର ‘ଶାମ୍ବ’ ପୁସ୍ତକ ଏ ବର୍ଷ ୫୬୫ ଟଙ୍କା, ‘ଗୋପୀନାଥ ନନ୍ଦଶର୍ମା ଗ୍ରନ୍ଥାବଳୀ’ ୪୨୫ ଟଙ୍କା ଥିଲା ବେଳେ ଏ ବର୍ଷ ତାହା ୬୨୫ ଟଙ୍କା, ‘ ଆମ ସ୍କୁଲ ଆମ ସାର୍‌’ ବହି ୨୬୦ ଟଙ୍କାରୁ ବଢ଼ି ୩୨୦ ଟଙ୍କା, ‘ଓଡ଼ିଆ ସ୍ମରଣୀୟ ଶିକ୍ଷକ ବୃନ୍ଦ’ ବହି ୧୯୫ ଟଙ୍କାରୁ ୨୩୫ ଟଙ୍କାକୁ ବଢ଼ାଯାଇ ଏ ବର୍ଷ ଯୋଗାଣ ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ବିଭାଗର କିଛି ପ୍ରଭାବଶାଳୀ କର୍ମଚାରୀ ଓ ୪/୫ଜଣ ପ୍ରକାଶକଙ୍କ ଅସାଧୁମେଣ୍ଟ ଏହି ବହିକିଣା କାରସାଦିକୁ ନିୟନ୍ତ୍ରିତ କରୁଥିବା ବେଳେ ଉଚ୍ଚ କତ୍ତୃର୍ପକ୍ଷଙ୍କ ପ୍ରଚ୍ଛନ୍ନ ସମର୍ଥନ ବିନା ତାହା କିଭଳି ସମ୍ଭବ ହେବ-ପ୍ରଶ୍ନ ଉଠିକା ସ୍ୱାଭାବିକ। ଯଦି ଏହି ରୢାକେଟ୍‌ର ପର୍ଦ୍ଦାଫାଶ ନହୁଏ ତେବେ ନିମ୍ନମାନର ବହି ଦ୍ୱାରା ସ୍କୁଲ ପାଠାଗାର ପରିପୂର୍ଣ୍ଣ ହେବ ସିନା, ମାତ୍ର ବିଦ୍ୟାର୍ଥୀମାନେ ସେଠାକୁ ମୁହଁ ମୋଡ଼ିବା ଥୟ। ଫଳରେ ସରକାରଙ୍କ ବିପୁଳ ବ୍ୟୟ ପାଣିରେ ପଡ଼ିବ।

ସମ୍ବନ୍ଧିତ ଖବର