ହାଟଡ଼ିହି : ଗୁରୁବାର ଅପରାହ୍ଣରେ କାଳବୈଶାଖୀ ଘଟି ଆମ୍ବଗଡିଆ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନେକ ଗଛପତ୍ର ଭାଙ୍ଗି ପଡ଼ିଥିବାବେଳେ ଅନେକ ଲୋକଙ୍କ ଆଜବେଷ୍ଟସ ଓ ଚାଳ ଛପର ଉଡ଼ିଯାଇଛି। ୧୧ଦିନ ତଳେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିବା ମହିଳାଙ୍କର ଏକାଦଶାହ କ୍ରିୟା ଚାଲିଥିବାବେଳେ ଭୋଜିଭାତ ପାଇଁ କରାଯାଇଥିବା ଟେଣ୍ଟ ଭାଙ୍ଗି ପଡ଼ିଥିଲା। ସେହିପରି ରତିକାନ୍ତ ଯେନାଙ୍କ ଘରର ଆଜବେଷ୍ଟସ ଉଡ଼ିଯାଇ ବିଲରେ ପଡିଛି । ସଞ୍ଜୁଲତା ଯେନାଙ୍କ ଟିଣ କର୍କଟ ଉଡି ଯାଇଥିବାବେଳେ ଶଶିକାନ୍ତ ଯେନା, ଗଜେନ୍ଦ୍ର ଯେନା, ଦୁଃଖା ଯେନା, ଆରତ ଯେନା, ପୂର୍ଣ୍ଣଚନ୍ଦ୍ର ଯେନାଙ୍କ ଚାଳଛପର ଘର ଉଡ଼ିଯାଇଛି । ସୋମନାଥ ଯେନାଙ୍କ କେବିନର ଆଜବେଷ୍ଟସର ଉଡି ଯାଇଛି। ଦଧିବାବନପୁର ଗ୍ରାମରେ ଆଦିକନ୍ଦ ଖଣ୍ଡାଙ୍କ ଘର ଉପରେ ଏକ ପଉଜିଆ ଗଛ ଭାଙ୍ଗିପଡ଼ିବାରୁ ତାଙ୍କ ଘରର ସମସ୍ତ ଆଜବେଷ୍ଟସ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ଏପରିକି ଗଛ ଭାଙ୍ଗିପଡ଼ିବା ବେଳେ ପରିବାର ଲୋକେ ଘର ଭିତରେ ଥିବାବେଳେ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି। ସେହିପରି କୃଷ୍ଣଚନ୍ଦ୍ର ରଣାଙ୍କ ଘର ଉପରେ ଏକ ଆମ୍ବଗଛ ଭାଙ୍ଗି ପଡ଼ିଥିବାବେଳେ ଗୋକୁଳି ଜେନାଙ୍କ ଘରର ଚାଳଛପରକୁ ସମ୍ପୂର୍ଣ୍ଣ ଉଡ଼ିଯାଇଛି । ଖବରପାଇ ଆଟଡିହି ଓ ଆନନ୍ଦପୁର ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ଗଛ ଗୁଡିକୁ କାଟି ସଫା କରିଛନ୍ତି।

Advertisment

publive-image

ବର୍ଷାପବନରେ ଭାଙ୍ଗିଲା ଘର
କୁହିକା : ଗତକାଲି ବର୍ଷାପବନରେ ସୁକିନ୍ଦା ବ୍ଲକ୍‌ କୁହିକା ପଞ୍ଚାୟତ କୁହିକା ଦେହୁରୀସାହିର ଶ୍ୟାମସୁନ୍ଦର ଦେହୁରୀଙ୍କ ଆଜବେଷ୍ଟସ ଘର ଭାଙ୍ଗି ଯାଇଛି। ସେ ଗତବର୍ଷ ୨ ବଖରା ଘରେ ଆଜବେଷ୍ଟସ ପକାଇଥିଲେ। ପବନରେ ଏହି ଆଜବେଷ୍ଟସ ଛପରକୁ ସମ୍ପୂର୍ଣ ଉଡ଼ାଇନେଇ ଘର ପଛପଟେ ପକାଇଦେବାରୁ ତାହା ଭାଙ୍ଗିରୁଜି ଯାଇଛି। ବର୍ଷା ଲାଗି ରହିବାରୁ ପରିବାର ଲୋକେ ଆସବାବପତ୍ର ସ୍ଥାନାନ୍ତର କରିନପାରି ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଘର ମରାମତି ନିମନ୍ତେ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।