ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍ ଧୁରୁଡ଼ିଆମ୍ବ ପଞ୍ଚାୟତର ଧୁରୁଡ଼ିଆମ୍ବ ଓ ଜାମଦା ଗ୍ରାମରେ କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି ଘଟିଛି । କାଳବୈଶାଖୀରେ ଏକ ବଡ଼ ତେନ୍ତୁଳି ଗଛ ଉପୁଡି ପଡ଼ି ଧୁରୁଡ଼ିଆମ୍ବ ଗ୍ରାମର ସ୍ବର୍ଗତ ଦିଲୀପ ପାଳିଆଙ୍କ କୁକୁଡ଼ା ଫାର୍ମ ଉପରେ ପଡ଼ିଲା । ଫଳରେ ଫାର୍ମ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। କୁକୁଡ଼ା ଫାର୍ମରେ କୁକୁଡ଼ା ନଥିଲେ। ସେହିପରି ଭୀମସେନ ନାଏକଙ୍କ ୩ ବଖରା ଖପର ଛପର ଘର, ଡ଼ବର ମୁଣ୍ଡାଙ୍କ ୨ ବଖରା ଏବଂ ସିନି ମୁଣ୍ଡାଙ୍କ ୩ ବଖରା ଘରର ଛପର ଉଡିଯାଇଛି । ଏଥିସହିତ ଗ୍ରାମର ୧୫ ରୁ ୨୦ ଜଣଙ୍କ ଘରର ଆଂଶିକ କ୍ଷତିଗ୍ରସ୍ତ ହୋଇଛି।
/sambad/media/post_attachments/wp-content/uploads/2023/06/keon-k1-532x430.jpg)
ହରିଚନ୍ଦନପୁର ବିଦ୍ୟୁତ ବିଭାଗର ଦୁଇଜଣ କର୍ମଚାରୀ ଦୁଇଟି ବାଇକ ରାସ୍ତା କଡ଼ର ଏକ ତେନ୍ତୁଳି ଗଛ ପାଖରେ ରଖି ଧୁରୁଡ଼ିଆମ୍ବ ଗ୍ରାମ କାଟେ ସାହିର ବିଦ୍ୟୁତ ଲାଇନ ସଜାଡୁଥିଲେ। ଝଡ଼ତୋଫାନରେ ତେନ୍ତୁଳି ଗଛଟି ଉପୁଡିପଡି ଦୁଇଟି ବାଇକ ଉପରେ ପଡ଼ିଯିବାରୁ ବାଇକ ଦୁଇଟି ଚୁରମାର ହୋଇଯାଇଛି । ଜାମଦା ଗ୍ରାମର ମନମୋହନ ନାଏକଙ୍କ ୩ ବଖରା, ପଙ୍କଜ ମହାକୁଡ଼ଙ୍କ ୨ ବଖରା ଓ ମହାନ୍ତି ମୁଣ୍ଡାଙ୍କ ୩ ବଖରା ଘରର ଛପର ଉଡ଼ିଯାଇଛି । ଏଥିସହିତ ଏକ ଶାଳ ଗଛ ପଡି ମହାନ୍ତି ମୁଣ୍ଡାଙ୍କ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି। କ୍ଷତିଗ୍ରସ୍ତ ପରିବାରକୁ ସରକାରି ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।
/sambad/media/post_attachments/wp-content/uploads/2023/06/keon-k-1-750x430.jpg)
ସେହିପରି ରେବଣାପଳାସପାଳ ଉପ୍ରା ସ୍କୁଲର ଦୁଇଟି ଶ୍ରେଣୀଗୃହର ଆଜବେଷ୍ଟସ ଛପର ଉଡ଼ିଯାଇଛି। ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ଶ୍ରେଣୀ ଗୃହରେ ପଢୁଥିଲେ। ଆଉ ଅଳ୍ପଦିନ ପରେ ସ୍କୁଲ ଖୋଲିବ। ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ଗୃହ ମରାମତି ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି। ଘୂର୍ଣ୍ଣିଝଡ଼ରେ ବନପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିବାରୁ କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଥିଲା। ବନ ବିଭାଗର କର୍ମଚାରୀ ଗଛ କାଟି ରାସ୍ତା ସଫା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/keon-k3.jpg)