ମେଗା ପାନୀୟଜଳ ପ୍ରକଳ୍ପରେ ବ୍ୟାପକ ଅନିୟମିତତା: ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସର୍ବୋଚ୍ଚ ଯନ୍ତ୍ରୀଙ୍କ କୈଫିୟତ ତଲବ

ଯାଜପୁର : ଯାଜପୁର ଜିଲ୍ଲାରେ ପାନୀୟ ଜଳ ଯୋଗାଣ ନାମରେ ବ୍ୟାପକ ଦୁର୍ନୀତି ହୋଇଛି। ବସୁଧା ଯୋଜନାରେ ବ୍ୟାପକ ଦୁର୍ନୀତି ପଦାକୁ ଆସିବା ପରେ ନିର୍ମାଣାଧୀନ ସୁକିନ୍ଦା ମେଗା ପାନୀୟଜଳ ପ୍ରକଳ୍ପରେ ବି ବ୍ୟାପକ ଅନିୟମିତତା ହୋଇଥିବା ତଦନ୍ତରେ ସ୍ପଷ୍ଟ ହୋଇଛି। ଓମବାଡସି ଟିମ୍‌ର ତଦନ୍ତ ରିପୋର୍ଟରୁ ଅନିୟମିତତା ପଦାକୁ ଆସିବାପରେ ଆରଡବ୍ଳୁଏସ୍‌ଏସ୍‌ର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଧୀକ୍ଷଣ ଯନ୍ତ୍ରୀ(ଚଣ୍ଡିଖୋଲ)ଙ୍କୁ କୈଫିୟତ ତଲବ କରାଯାଇଛି। ସମସ୍ୟାର ତୁରନ୍ତ ସମାଧାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

୨୦୨୧-୨୨ ଆର୍ଥିକ ବର୍ଷରେ ଓମବାଡସିର ୧୦୭କୋଟି ଟଙ୍କା ଅନୁଦାନରେ ସୁକିନ୍ଦା ମେଗା ପାନୀୟ ଜଳ ପ୍ରକଳ୍ପ(୨) ଏନ୍‌ସିସି ଦ୍ବାରା ନିର୍ମାଣ ଆରମ୍ଭ ହୋଇଛି। ଏହି ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଯାହାକୁ ନେଇ ଗତ ମାର୍ଚ୍ଚ ୮ ତାରିଖରେ ଓମ୍‌ବାଡସିର ଏକ ତଦନ୍ତକାରୀ ଟିମ୍ ଯାଜପୁର ଜିଲ୍ଲା ଗସ୍ତ କରି ସୁକିନ୍ଦା ପ୍ରଳକ୍ପ(୨)ର ଅନୁସନ୍ଧାନ କରିଥିଲେ। ବିଶେଷଜ୍ଞ ଦଳର ଅନୁଧ୍ୟାନ ବେଳେ ଟ୍ୟାଙ୍କ ଓ କ୍ଲାରିଫୋକୁଲେଟରରେ ପାଣି ଲିକ୍ ହେବା ଦେଖିବାକୁ ପାଇଥିଲେ। ପ୍ରକଳ୍ପରେ ଅତିନିମ୍ନମାନର ସାମଗ୍ରୀ ବ୍ୟବହୃତ ହେବା, ନିର୍ମାଣରେ ତ୍ରୁଟି ନେଇ ଉଦ୍‌ବେଗ ପ୍ରକାଶ କରିଛି। ୧୦୭କୋଟି ଟଙ୍କା ପ୍ରକଳ୍ପରେ ଏଭଳି ନିମ୍ନମାନର କାମକୁ ନେଇ କମିଟି ରିପୋର୍ଟ କରିବା ପରେ ମୁଖ୍ୟ ମହାପ୍ରବନ୍ଧକ (ପ୍ରଶାସନ) ଏ ନେଇ ଓମବାଡସିର‌ ନୋଡାଲ ଅଫିସର ତଥା ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ସଚିବଙ୍କୁ ଗତମାସ ୨୫ତାରିଖରେ ଜଣାଇଥିଲେ। ସ୍ବତନ୍ତ୍ର ସଚିବ ତଦନ୍ତ ରିପୋର୍ଟକୁ ଭିତ୍ତିକରି ଆରଡବ୍ଲୁଏସ୍‌ଏସ୍‌ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚଳିତ ମାସ ୧୦ତାରିଖରେ ଚିଠି ନମ୍ବର ୮୨୯୧ରେ ଜଣାଇଥିଲେ। ସର୍ ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ତଦନ୍ତ ରିପୋର୍ଟକୁ ଆଧାର କରି ଗତକାଲି ଯାଜପୁର ଅଧୀକ୍ଷଣ ଯନ୍ତ୍ରୀଙ୍କୁ କୈଫିୟତ ତଲବ କରିବା ସହ ତ୍ରୁଟି ସୁଧାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର