ଭୁବନେଶ୍ବର: ବାତ୍ୟା ‘ମୋନ୍ଥା’ ପାଇଁ  ୧୦୮ ଆମ୍ବୁଲାନ୍ସ ସେବା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ୧୦୮ କଲ୍ ସେଣ୍ଟରକୁ ବ୍ୟାକ୍‌ଅପ୍ ପାୱାର୍, ଇଣ୍ଟରନେଟ୍ ଓ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଯାହାଦ୍ୱାରା କଣ୍ଟ୍ରୋଲ୍ ଓ ଡିସପାଚ୍ ସେଣ୍ଟରରୁ ନିରବଚ୍ଛିନ୍ନ ଜରୁରିକାଳୀନ ସେବା ଯୋଗାଇ ମିଳିପାରିବ। ଜରୁରିକାଳୀନ କଲ୍ ସଂଖ୍ୟାରେ ସମ୍ଭାବ୍ୟ ବୃଦ୍ଧି ଓ କୌଣସି କଲ୍ ଯେପରି ହାତଛଡ଼ା ନ ହୁଏ, ସେଥିପାଇଁ ଅତିରିକ୍ତ କର୍ମଚାରୀ ନିୟୋଜିତ କରାଯାଇଥିବା ୧୦୮ ଆମ୍ବୁଲାନ୍‌ସ ପରିଚାଳନା ସଂସ୍ଥା ଏମ୍ରି ଗ୍ରିନ୍‌ ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ଜରୁରିକାଳୀନ କଲ୍‌ ହାତଛଡ଼ା ନ ହେବା ପାଇଁ ଅତିରିକ୍ତ କର୍ମଚାରୀ ନିଯୁକ୍ତ
ସୁରକ୍ଷିତ ସ୍ଥାନରେ ରହିଛନ୍ତି ଗାଡ଼ି, କଲ୍ ସେଣ୍ଟରରେ ପ୍ରତିଷ୍ଠା ହୋଇଛି ସ୍ବତନ୍ତ୍ର ସେଲ୍‌

ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ନଜରରେ ରଖି ଜିଲ୍ଲା ସଂଯୋଜକଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ, ସ୍ଥାନୀୟ ପ୍ରଶାସନ ଓ ପୁଲିସ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହାଫଳରେ ବାତ୍ୟା ଯୋଗୁଁ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ଆମ୍ବୁଲାନ୍ସ  ସହାୟତା ଯୋଗାଇ ଦିଆଯାଇପାରିବ। ସମସ୍ତ ଆମ୍ବୁଲାନ୍ସରେ ଜରୁରିକାଳୀନ ପରିସ୍ଥିତି ପାଇଁ ଅତ୍ୟାବଶ୍ୟକ ଔଷଧ, ପ୍ରାଥମିକ ଚିକିତ୍ସା କିଟ୍ ଓ ଡାକ୍ତରୀ ଉପକରଣ ମହଜୁଦ୍ ରଖାଯାଇଛି। ଜିଲ୍ଲା କର୍ତ୍ତୃପକ୍ଷଙ୍କ ପରାମର୍ଶକ୍ରମେ ଜିଲ୍ଲା ସଂଯୋଜକମାନେ ଗାଡ଼ିଗୁଡ଼ିକୁ ସୁରକ୍ଷିତ ସ୍ଥାନରେ ରଖିଛନ୍ତି। ବହୁସମୟ ଧରି ଜରୁରିକାଳୀନ କାର୍ଯ୍ୟ କରିବା ପାଇଁ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଦିଆଯାଇଛି। ଏହାସହ ବାତ୍ୟା ସମୟରେ ରୋଗୀଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ କଲ୍ ସେଣ୍ଟର ମଧ୍ୟରେ ଏକ ସ୍ୱତନ୍ତ୍ର ସେଲ୍ ପ୍ରତିଷ୍ଠା କରାଯାଇଛି। ୧୦୮ ଆମ୍ବୁଲାନ୍‌ସ ସେବାର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି, ବାତ୍ୟା ସମୟରେ ଟିମ୍ ସମ୍ପୂର୍ଣ୍ଣ ସତର୍କ ରହିଛନ୍ତି। କର୍ମଚାରୀଙ୍କ ସୁରକ୍ଷା ଓ ରୋଗୀଙ୍କୁ ଉଚିତ ସେବା ଯୋଗାଇବା ପ୍ରାଥମିକତାରେ ରହିଛି। ପ୍ରବଳ ବର୍ଷା କିମ୍ବା ପବନ ସମୟରେ ଜନସାଧାରଣ ଘରେ ରୁହନ୍ତୁ ଓ ଜରୁରିକାଳୀନ ପରିସ୍ଥିତିରେ ୧୦୮ କୁ ଯୋଗାଯୋଗ କରନ୍ତୁ।