ସୁନ୍ଦରଗଡର : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବ୍ୟାପକ ପ୍ରସ୍ତୁତି; ଜିଲା ଗସ୍ତରେ ୬ ମନ୍ତ୍ରୀ, ଅନେକ ବିଧାୟକ

୧୨୦ ଏଲ୍‌ଇଡି ୱାଲ୍‌ରେ ଦେଖିବେ ୪ ଲକ୍ଷ ଦର୍ଶକ

ରାଉରକେଲା: ଆଗାମି ୨୦୨୩ରେ ସୁନ୍ଦରଗଡର ରାଉରକେଲାରେ ହେବ ହକି ବିଶ୍ବକପ୍‌। ରାଉରକେଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ପରିସରରେ ପ୍ରାୟ ୧୫ ଏକର ଜାଗାରେ ନିର୍ମାଣ ହେବ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ। ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହକି ଷ୍ଟାଡିୟମ ସହ ୩, ୯୫୮.୭୬ କୋଟି ବ୍ୟୟ ଅଟକଳ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ। ୮୩୪.୨୩ କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ। ଭିତ୍ତିପ୍ରସ୍ତର ଓ ଲୋକାର୍ପଣ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି କ୍ରୀଡାର ବିକାଶ ଲାଗି ସୁନ୍ଦରଗଡ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମ ନିର୍ମାଣ। କୃଷି କ୍ଷେତ୍ରର ଉନ୍ନତି ପାଇଁ ୩୫୨ କୋଟି ଟଙ୍କାରେ ୧୧ଟି ବୃହତ ଉଠା ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ। ପାନୀୟ ଜଳର ସୁବିଧା ପାଇଁ ୧୨ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ। ୧,୫୯୯ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ। ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ୧୦ଟି କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ଏବଂ ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ୧୭ଟି ଛାତ୍ର ନିବାସ ଓ ୧୬ଟି ଛାତ୍ରୀ ନିବାସର ଶିଳାନ୍ୟାସ ସମେତ ଅନେକ ପ୍ରକଳ୍ପ। ଏଥିପାଇଁ କେବଳ ରାଉରକେଲା ନୁହେଁ ସମଗ୍ର ଜିଲ୍ଲାରେ ଚାଲିଛି ବ୍ୟାପକ ପ୍ରସ୍ତୁତି।

ମୁଖ୍ୟମନ୍ତ୍ରୀଙ୍କ ଏହି ବ୍ୟୟବହୁଳ କାର୍ଯ୍ୟକ୍ରମକୁ ସଫଳ କରିବାରେ ଲାଗି ପଡିଛନ୍ତି ମନ୍ତ୍ରୀ, ନିଗମ ଅଧ୍ୟକ୍ଷ ଓ ବିଧାୟକ। ପ୍ରତ୍ୟେକ ଦିନ ପ୍ରାୟ ୩ରୁ ୪ ମନ୍ତ୍ରୀ, ଅନେକ ବିଧାୟକ ରାଉରକେଲା, ସୁନ୍ଦରଗଡ ସମେତ ବିଭିନ୍ନ ବ୍ଲକ ଗସ୍ତ କରି କାର୍ଯ୍ୟକ୍ରମ ଅଗ୍ରଗତିର ସମୀକ୍ଷା କରୁଛନ୍ତି। ଆଜି ସୁନ୍ଦରଗଡରେ ପହଞ୍ଚିଛନ୍ତି ରଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡି , ରାଜ୍ୟ ଦକ୍ଷତା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ଅନେକ ବିଧାୟକ ଜିଲ୍ଲା ଗସ୍ତରେ ଆସିଛନ୍ତି। ରାଜସ୍ବମନ୍ତ୍ରୀ ବଣାଇଁଗଡ ସମେତ ଅନ୍ୟାନ୍ୟ ବ୍ଲକ ଗସ୍ତରେ ରହିଥିବା‌ବେଳେ ଶିକ୍ଷାମନ୍ତ୍ରୀ ସମୀର ଦାସ, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ରାଉରକେଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଶିକ୍ଷାମନ୍ତ୍ରୀ ଶ୍ରୀ ଦାସ ଉଦିତନଗର ହାଇସ୍କୁଲରୁ ରାଜ୍ୟର ବିଭିନ୍ନ ସ୍କୁଲର ମାଟ୍ରିକ ପରୀକ୍ଷା ଦେଉଥିବା କେତେକ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। କ୍ରୀଡାମନ୍ତ୍ରୀ ଶ୍ରୀ ବେହେରା ପାନପୋଷ ହକି ହଷ୍ଟେଲ ବୁଲି ଦେଖିଛନ୍ତି। ପର୍ଯ୍ୟଟନମନ୍ତ୍ରୀ ଶ୍ରୀ ପଣ୍ଡା ଛେଣ୍ଡ ରିମ୍‌ସ କଲେଜ ପାର୍ଶ୍ବ ସେଣ୍ଟ୍ରାଲ ପାର୍କରେ ହେବାକୁ ଥିବା ବିଜ୍ଞାନ କେନ୍ଦ୍ର ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏସବୁ କାର୍ଯ୍ୟକ୍ରମ ପରେ ସମସ୍ତ ମନ୍ତ୍ରୀ ଓ ବିଧାୟକ ବିପିୟୁଟିରେ ପ୍ରସ୍ତୁତ ହେଉଥିବା ସଭାସ୍ଥଳ ଚାଲିଥିବା ପ୍ରସ୍ତୁତିର କାର୍ଯ୍ୟର ତଦାରଖ କରିଛନ୍ତି। ୧୬ ତାରିଖ ପର୍ଯ୍ୟନ୍ତ ଦୈନନ୍ଦିନ ୪ରୁ ୫ ମନ୍ତ୍ରୀ ଓ ବିଧାୟକ ଜିଲ୍ଲା ଗସ୍ତରେ ଆସିବେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କହିଛନ୍ତି ସୁନ୍ଦରଗଡ ଜିଲ୍ଲାକୁ କେବଳ ୮୦ ବିଧାୟକ, ୧୭ ମନ୍ତ୍ରୀ ନୁହେଁ ବିଭିନ୍ନ ନିଗମର ଅଧ୍ୟକ୍ଷ ମଧ୍ୟ ଆସୁଛନ୍ତି। ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମକୁ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପ୍ରମୁଖ ପଞ୍ଚାୟତବାସୀ ଉପଭୋଗ କରିବାକୁ ବିପିୟୁଟି ପରି ଅନୁରୂପ ବ୍ୟବସ୍ଥା କରାଯାଉଛି। ଜିଲ୍ଲାର ୧୨୦ଟି ଅଧିକ ସ୍ଥାନରେ ଏଲ୍‌ଇଡି ୱାଲ୍‌ର ବ୍ୟବସ୍ଥା କରାଯାଇଛି। ଦରକାର ପଡିଲେ ଆହୁରି ଅଧିକ ଏଲ୍‌ଇଡି ପ୍ରୋଜେକ୍ଟର ବ୍ୟବସ୍ଥା କରାଯିବ। ଏଥି ମଧ୍ୟରୁ ରାଉରକେଲାରେ ବିପିୟୁଟି ସମେତ ୧୦ଟି ପ୍ରମୁଖ ସ୍ଥାନରେ ଏଲ୍‌ଇଡି ପ୍ରୋଜେକ୍ଟର ମଧ୍ୟ ବ୍ୟବସ୍ଥା କରାଯାଇଛି। ମୋଟାମୋଟି ଭାବେ ହକି ଷ୍ଟାଡିୟମ ଭିତ୍ତିପ୍ରସ୍ତର ସହ ଅନ୍ୟାନ୍ୟ ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମକୁ ଜିଲ୍ଲାର ପ୍ରାୟ ୪ ଲକ୍ଷରୁ ଅଧିକ ଦର୍ଶକ ଉପଭୋଗ କରିବେ। ଏଥିସହ ସରକାରଙ୍କ ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ଠିକ୍‌ ଭାବେ ପହଞ୍ଚି ପାରୁଛି କି ନାହିଁ ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ଲୋକଙ୍କ ମନ୍ତ୍ରୀ, ନିଗମ ଅଧ୍ୟକ୍ଷ ଓ ବିଧାୟକମାନେ କଥା ହେବେ। ସରକାରୀ ଯୋଜନାଗୁଡ଼ିକ ସଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତଦାରଖ କରିବେ। ଏହାର ବିସ୍ତୃତ ରିପୋର୍ଟ ପସ୍ତୁତ କରି ମନ୍ତ୍ରୀ, ନିଗମ ଅଧ୍ୟକ୍ଷ ଓ ବିଧାୟକମାନେ ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି। ସେପଟେ ମିଳିଥିବା ସୂଚନା ଅନୁଯାୟୀ ପ୍ରତ୍ୟେକ ବ୍ଲକର କାର୍ଯ୍ୟକ୍ରମର ଆୟୋଜନ ପାଇଁ ୨ ଲକ୍ଷରୁ ଅଧିକ, ପ୍ରତ୍ୟେକ ପଞ୍ଚାୟତରୁ ୩୦ ହଜାରରୁ ଅଧିକ ଟଙ୍କା ଦିଆଯାଇଛି। ଏମିତି ଭାବେ ପାଖାପାଖି ୩ରୁ ୪ କୋଟି ଟଙ୍କା ଖର୍ଚ୍ଚ ହେବ ଦଳୀୟ ନେତା କହୁଥିଲେ। ଏହା ଠାରୁ ଢ଼େର ଅଧିକ ଟଙ୍କା ଖର୍ଚ୍ଚ ହେବ ଚାଲିଥିବା ପ୍ରସ୍ତୁତିରୁ ଜଳ ଜଳ ହୋଇ ବାରି ହୋଇ ପଡୁଛି।

ସମ୍ବନ୍ଧିତ ଖବର