ବାତ୍ୟା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି

୪୨ଟି ଓଡ୍ରାଫ୍‌, ୨୪ଟି ଏନ୍‌ଡିଆର୍‌ଏଫ୍‌ ଟିମ୍ ମୁତୟନ

ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ଆରମ୍ଭ
ଜାରି ହେଲା ଜରୁରୀକାଳୀନ ଟୋଲ୍‌ ଫ୍ରି ନମ୍ବର

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ରବିବାର ସନ୍ଧ୍ୟାରେ ବାତ୍ୟା ଗୁଲାବ୍‌ ସ୍ଥଳଭାଗ ଛୁଇଁବା ସମୟରେ ଦକ୍ଷିଣ ଓଡ଼ିଶାରେ ଏହାର ଅଧିକ ପ୍ରଭାବ ଅନୁଭୂତ ହେବ। ଘଣ୍ଟାପ୍ରତି ୬୦ରୁ ୮୦ କିମି ବେଗରେ ପବନ ସହ ୨୦୦ ମିମିରୁ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ମଧ୍ୟ ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଜରୁରୀ ବୈଠକ କରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

ସ୍ୱତନ୍ତ୍ର ରିଲିଫ କମିସନର(ଏସ୍‌ଆର୍‌ସି) ପ୍ରଦୀପ ଜେନା କହିଛନ୍ତି ଯେ ବାତ୍ୟା ପ୍ରଭାବ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରି ଜିଲ୍ଲା ଉପରେ ପଡ଼ିବ। ବାତ୍ୟାରେ ପବନର ବେଗ କମ୍‌ ରହିବ ସତ; ମାତ୍ର ପ୍ରବଳରୁ ଅତିପ୍ରବଳ ବର୍ଷା ଆଣିବ। ୨୬ ଓ ୨୭ ତାରିଖରେ ଓଡ଼ିଶାର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିବ। ବାତ୍ୟା ନେଇ ଗତକାଲିଠାରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲା ସହ ନୟାଗଡ଼କୁ ୪୨ଟି ଓଡ୍ରାଫ୍ ଓ ୨୪ଟି ଏନ୍‌ଡିଆର୍‌ଏଫ୍ ଟିମ୍‌କୁ ମୁତୟନ କରାଯିବ। ଅତିପ୍ରବଳ ବର୍ଷା ହେବାକୁ ଥିବାରୁ କେତେକ ସ୍ଥାନରେ ଅଚାନକ ବନ୍ୟା ଆସିପାରେ। ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରା ନଦୀ ଫୁଲିବା ସହ ବନ୍ୟାର ଆଶଙ୍କା ରହିଛି। ସମ୍ଭାବ୍ୟ ବାତ୍ୟା ‘ଗୁଲାବ୍’ ବିଗତ ଦିନର ବାତ୍ୟା ‘ତିତ୍‌ଲି’ ଭଳି ହେବ ବୋଲି ଅନୁମାନ କରାଯାଉଛି। ‌ତେଣୁ ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଭୂସ୍ଖଳନ ହୋଇପାରେ। ଏଥିପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ସରକାର ସମସ୍ତ ପ୍ରସ୍ତୁତି କରିଥିବା ନେଇ ସେ ସୂଚନା ଦେଇଛନ୍ତି।

ABP News

ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଆସନ୍ନ ପ୍ରସବା ମହିଳାଙ୍କୁ ମେଡିକାଲ ଆଣିବାକୁ କୁହାଯାଇଛି। ରିଜର୍ଭର ଉପରେ ଜଳ ସମ୍ପଦ ବିଭାଗ କଡ଼ା ନଜର ରଖିଛି। ବିଶେଷକରି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ଜଳଭଣ୍ଡାର ଉପରେ ତୀକ୍ଷଣ ନଜର ରହିଛି। ଯେଉଁଠି ପାଣି ଅଧିକ ରହିଛି ତାହାକୁ ଛାଡ଼ିବାକୁ କୁହାଯାଇଛି। ଓଡ୍ରାଫ, ଏନ୍‌ଡିଆର୍‌ଏଫ୍‌ ଓ ଫାୟାର ସର୍ଭିସ ସହିତ ଆଲୋଚନା କରାଯାଇ ପ୍ରସ୍ତୁତ କରି ରଖାଯାଇଛି। ୧୦୨ରୁ ଅଧିକ ଫାୟାର ସର୍ଭିସ ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ହୋଇଛନ୍ତି।

ସେହିପରି ସମ୍ଭାବ୍ୟ ବତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଜରୁରୀକାଳୀନ ସହାୟତା ଲାଗି ଟୋଲ୍‌ ଫ୍ରି ନମ୍ବର-୧୫୫୪ ଜାରି ହୋଇଛି। ପ୍ରବଳ ବର୍ଷା ସାଙ୍ଗକୁ ପ୍ରାୟ ୭୦ କିଲୋମିଟର ବେଗରେ ପବନର ହେବାର ସମ୍ଭାବନା ଥିବାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ଲାଗି ସତର୍କ ସୂଚନା ଜାରି କରାଯାଇଛି। ପାଟ୍ରୋଲିଂ ଜାହାଜ ଓ ଡୋର୍ନିୟର ବିମାନ ସାହାଯ୍ୟରେ ତଟରକ୍ଷୀ ବାହିନୀ ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କ ଉପରେ କଡ଼ା ନଜର ରଖିଥିବା କହିଛି। ମତ୍ସ୍ୟଜୀବୀଙ୍କୁ ଯଥାଶୀଘ୍ର କୂଳକୁ ଫେରିଯିବା ଲାଗି ପରାମର୍ଶ ଦିଆଯାଇଛି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ଥିବା ତଟରକ୍ଷୀ ବାହିନୀର କାର୍ଯ୍ୟାଳୟ ସମେତ ଜାହାଜ, ଡୋର୍ନିୟର ବିମାନ ଏବଂ ଯବାନମାନଙ୍କୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର