ହୀରାକୁକ କେନାଲ ବ୍ୟବସ୍ଥା ପାଇଁ ବ୍ୟାପକ ପଦକ୍ଷେପ

୩୧୬.୫୨ କୋଟି ବ୍ୟୟରେ ହେବ କେନାଲ କଂକ୍ରିଟକରଣ କାମ

ସମ୍ବଲପୁର: ରାଜ୍ୟ ସରକାର ଚାଷୀମାନଙ୍କ ଦାବିକୁ ଗୁରୁତ୍ବ ଦେବା ସହିତ ହୀରାକୁଦ ଜଳଭଣ୍ଡାର କେନାଲ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପଦକ୍ଷେପ ନେଇଛନ୍ତି। ବରଗଡ଼ ମୁଖ୍ୟ କେନାଲ ଏବଂ ଶାସନ ମୁଖ୍ୟ କେନାଲ ସହିତ ଏଥିରୁ ବାହାରିଥିବା ଶାଖା କେନାଲଗୁଡ଼ିକର ନବୀକରଣ ପାଇଁ ପ୍ରାୟ ୩୧୬.୫୨ କୋଟି ଅର୍ଥ ମଂଜୁର ହୋଇଥିବା ଅପର୍‌ ମହାନଦୀ ବେସିନ୍‌ର ବେସିନ ମ୍ୟାନେଜର ତଥା ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ହୀରାକୁଦ ଜଳଭଣ୍ଡାରରୁ ବାହାରିଥିବା ବରଗଡ଼ ମୁଖ୍ୟ କେନାଲ ଦ୍ବାରା ମୁଖ୍ୟତଃ ବରଗଡ଼, ସୋନପୁର ଆଦି ଜିଲ୍ଲାର ଚାଷଜମି ଜଳସେଚିତ ହେଉଛି। ଅପରପକ୍ଷରେ ଶାସନ ମୁଖ୍ୟ କେନାଲ ଦ୍ବାରା ସମ୍ବଲପୁର ଜିଲ୍ଲାର ଚାଷୀମାନେ ଉପକୃତ ହୋଇଥାନ୍ତି। ଏହି ଦୁଇ ମୁଖ୍ୟ କେନାଲ ସହିତ ଏଥିରୁ ବାହାରିଥିବା ଅନ୍ୟ ଛୋଟ ଛୋଟ କେନାଲଗୁଡ଼ିକର ନବୀକରଣ ଦିଗରେ ରାଜ୍ୟ ସରକାର ଏବେ ଗୁରୁତ୍ବ ଦେଇଛନ୍ତି। ନିକଟରେ ବରଗଡ଼ ମୁଖ୍ୟ କେନାଲ ନିମନ୍ତେ ୧୭୮.୧୨ କୋଟି ଟଙ୍କା କ୍ୟାବିନେଟ୍ ଅନୁ‌ମୋଦନ ଲାଭ କରିଛି।

ବରଗଡ଼ କେନାଲରୁ ବାହାରିଥିବା ଡୁଙ୍ଗୁରିପାଲ ମାଇନର ପାଇଁ ୧୯.୨୪ କୋଟି, କୁଇବାହାଲ-ମହଦା ମାଇନର କେନାଲର କଂକ୍ରିଟକରଣ(କଂକ୍ରିଟ ଲାଇନିଂ) ନିମନ୍ତେ ୯.୪୩ କୋଟି ଟଙ୍କା କରିଛି। ବରଗଡ଼ ମୁଖ୍ୟ କେନାଲର କାମ ବାଲାଜୀ ଏଞ୍ଜିକମ୍ ପ୍ରାଇଭେଟ ଲିମିଟେଡ୍, ଡୁଙ୍ଗୁରିପାଲି ମାଇନର କେନାଲ ଏଚ୍ଏମ୍‌ କନ୍‌ଷ୍ଟ୍ରକ୍ଟସନ୍ ଏବଂ କୁଇବାହାଲ-ମହଦା ମାଇନର କେନାଲକୁ ଶିବଜ୍ୟୋତି କନ୍‌ପ୍ରୋ ପ୍ରାଇଭେଟ୍‌ ଲିମିଟିଡ୍ ଟେଣ୍ଡର ପାଇଛି। ସେହିପରି ବହୁ ପ୍ରତୀକ୍ଷିତ ଶାସନ କେନାଲ କଂକ୍ରିଟକରଣ କାମ ପାଇଁ ୬୩ .୦୪ ‌କୋଟି ଟଙ୍କା ବ୍ୟୟ ଅଟକଳ ମଂଜୁର ହୋଇଛି। ଇତିମଧ୍ୟରେ ଏହି ଅର୍ଥରେ ଶାସନ କେନାଲ ମୁହାଣରୁ ୧୫ କିଲୋମିଟର ପର୍ଯ୍ୟନ୍ତ କଂକ୍ରିଟକରଣ କାମ ଆରମ୍ଭ ହୋଇଯାଇଛି। କେନାଲର ଶଯ୍ୟା ସହିତ ଉଭୟ ପାର୍ଶ୍ବ ହିଡ଼ର କଂକ୍ରିଟକରଣ କରାଯିବ।

ଏହା ଦ୍ବାରା କେନାଲର ହିଡ଼ ସୁରକ୍ଷିତ ରହିବା ସହିତ ପାଣି ବି ଆଗଭଳି ନଷ୍ଟ ହେବ ନାହିଁ। ସେହିପରି ଶାସନ‌ କେନାଲରୁ ବାହାରିଥିବା ହୁମା ଟେଲ୍‌ ଡିଷ୍ଟ୍ରିବ୍ୟୁଟାରିର କଂକ୍ରିଟକରଣ ନିମନ୍ତେ ୨୭.୧୯ କୋଟି ଏବଂ ପରମାଣପୁର କେନାଲ ପାଇଁ ୧୯.୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଦୁଇ କାମ ନିମନ୍ତେ ଠିକା ସଂସ୍ଥା ତ୍ରିବେଣୀ ଏଞ୍ଜିକମ୍‌ ପ୍ରାଇଭେଟ୍ ଲିମିଟେଡ୍ ସହିତ ଚୁକ୍ତି ହୋଇଛି। କେନାଲଗୁଡ଼ିକର ଶଯ୍ୟାରେ ଏକ ପ୍ରକାର ଘାସ ବଢ଼ିଥାଏ। ଏହା ଦ୍ବାରା କେନାଲରେ ଜଳ ପ୍ରବାହରେ ସମସ୍ୟା ସୃଷ୍ଟି ହୋଇଥାଏ।

ପୂର୍ଣ୍ଣକ୍ଷମତା ଅନୁଯାୟୀ ପାଣି ଛଡ଼ାଯିବା ସମୟରେ ଅନେକ ଥର କେନାଲର ହିଡ଼ ବି ଭାଂଗିଛି। କେନାଲର ଶଯ୍ୟା ଓ ହିଡ଼ ପାର୍ଶ୍ବ କଂକ୍ରିଟକରଣ ହେବା ପରେ ‌ସେହି ଭୟ କମିଯିବ। କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ପହଂଚୁ ନଥିବାରୁ ଚାଷୀମାନଙ୍କ ଯେଉଁ ଫସଲ ହାନି ହେଉଥିଲା, ଏବେ ସେହି ସମସ୍ୟା ଦୂର ହୋଇଯିବ। କେନାଲଗୁଡ଼ିକର ନବୀକରଣ ପାଇଁ ଚାଷୀମାନେ ବହୁ ବର୍ଷରୁ ଦାବି କରୁଆସୁଥିବା ବେଳେ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଇଛନ୍ତି। ତେବେ, ଏହି କାମଗୁଡ଼ି  ଯେଉଁ ଅଭିଯୋଗ ରହିଥିଲା, ତାହା ବି ଦୂର କରାଯାଇପାରିବ। ଅଂଚଳର ଚାଷୀମାନେ ବହୁ ବର୍ଷ ହେଲା କେନାଲର ନବୀକରଣ ପାଇଁ ଦାବି କରି ଆସୁଥିଲେ। ଚାଷୀମାନଙ୍କ ଦାବିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନାଲ କଂକ୍ରିଟକରଣ ଉପରେ ଗୁରୁତ୍ବାରୋପ କରିଥିବା ଜଣାପଡ଼ିଛି। କେନାଲଗୁଡ଼ିକରେ ପାଣି ବନ୍ଦ ହେଉଥିବା ସମୟରେ ଏସବୁ କାମ ହେବ। ତେଣୁ, କଂକ୍ରିଟକରଣ କାମ ହେବା ଦ୍ବାରା ଫସଲ ପ୍ରଭାବିତ ହେବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର