ଭୁବନେଶ୍ବର : ସେପ୍ଟେମ୍ବର ୨୦୧୭। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ପଦ ଛାଡ଼ିଲେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି)ର ତତ୍କାଳୀନ କୁଳପତି ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ। ବିବାଦ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ଜୋରଦାର ବିରୋଧ ଯୋଗୁଁ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରି ନ ଥିଲେ। ଇସ୍ତଫା ପତ୍ରରେ ଦର୍ଶାଇଥିଲେ ଯେ ବ୍ୟକ୍ତିଗତ କାରଣ ଲାଗି ପଦ ଛାଡ଼ୁଛନ୍ତି। ପ୍ରଫେସର ପଟ୍ଟନାୟକଙ୍କ ଇସ୍ତଫା ପରେ ବିପିୟୁଟିରେ ଅଚଳାବସ୍ଥା ଲାଗି ରହିଥିଲା। ସେବେଠାରୁ ବିଶ୍ବବିଦ୍ୟାଳୟ ଏତେ ତଳକୁ ଚାଲିଯାଇଛି ଯେ ଉଠିବା କଷ୍ଟକର ହେଲାଣି।
ଏପ୍ରିଲ ୨୦୨୧। ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଦୀନବନ୍ଧୁ ସାହୁ ପଦ ଛାଡ଼ିଲେ। କାର୍ଯ୍ୟରେ ଯୋଗ ଦେବାର ମାତ୍ର ୬/୭ ମାସ ମଧ୍ୟରେ କୁଳପତି ପଦ ଛାଡ଼ି ଦିଲ୍ଲୀ ଫେରିଗଲେ। ପ୍ରଫେସର ସାହୁ ବି ଇସ୍ତଫା ପତ୍ରରେ ଦର୍ଶାଇଲେ, ବ୍ୟକ୍ତିଗତ କାରଣ ଲାଗି ପଦ ଛାଡ଼ୁଛନ୍ତି। ଏହାର ଗୋଟିଏ ବର୍ଷ ବିତିଛି କି ନାହିଁ, ଗତ ଫେବ୍ରୁ୍ଆରି ମାସରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଚକ୍ରପାଣିଙ୍କ କାର୍ଯ୍ୟକାଳ ଶେଷ ପୂର୍ବରୁ ଇସ୍ତଫା ଦେଇଥିଲେ। ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ସେ ପଦ ଛାଡ଼ିବାକୁ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କଠାରୁ ଅନୁମତି ଲୋଡ଼ିଥିଲେ। ୨୦୨୨ ଅକ୍ଟୋବରରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଏପ୍ରିଲ ମାସରେ ସେ ପଦ ଛାଡ଼ି ଚାଲିଯାଇଥିଲେ। ଏବେ ଏବେ ବହୁ ବିବାଦ ଭିତରେ ଛନ୍ଦି ହୋଇ ପଡ଼ିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲ ଶେଷରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ତାଙ୍କ ଇସ୍ତଫାପତ୍ରରେ ବି ସମାନ କଥା। ବ୍ୟକ୍ତିଗତ କାରଣ ଲାଗି ଛାଡ଼ୁଛନ୍ତି।
ଗତ ୫ବର୍ଷ ମଧ୍ୟରେ ଉକ୍ତ ୪ଜଣ କୁଳପତି ଅଧାରୁ ପଦ ଛାଡ଼ି ଚାଲି ଯାଇଛନ୍ତି। ଏମିତିକି ବର୍ଷକ ମଧ୍ୟରେ ୩ଜଣ କୁଳପତି କାର୍ଯ୍ୟକାଳ ଶେଷ ପୂର୍ବରୁ ପଦ ଛାଡ଼ିଛନ୍ତି। ଯେଉଁମାନେ ବି ପଦ ଛାଡ଼ିଛନ୍ତି, ସମସ୍ତେ ବାହାର ରାଜ୍ୟର ଶିକ୍ଷାବିତ୍। ଅନ୍ୟ ରାଜ୍ୟରେ କାର୍ଯ୍ୟ କରୁଥିବା ଓଡ଼ିଆ ପ୍ରଫେସର ଏଠାରେ କୁଳପତି ଭାବେ ନିଯୁକ୍ତ ହୋଇଥିଲେ। ନ ହେଲେ ବାହାର ରାଜ୍ୟର ଶିକ୍ଷାବିତ୍ ଏଠାରେ କୁଳପତି ପଦରେ ଅଧିଷ୍ଠିତ ହୋଇଥିଲେ। ୪ଜଣ ଯାକ କୁଳପତି ବ୍ୟକ୍ତିଗତ କାରଣ ଲାଗି ପଦ ଛାଡ଼ିଥିବା ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ମାତ୍ର ପ୍ରକୃତ କାରଣ କ’ଣ ତାହା ଲୁଚି ରହିଯାଇଛି।
କୁଳପତି ବିବାଦ ଏତିକିରେ ସୀମିତ ରହି ନାହିଁ, ରେଭେନ୍ସା ବିଶ୍ବବିଦ୍ୟାଳୟ ପୂର୍ବତନ କୁପଳତି ପ୍ରଫେସର ଈଶାନ୍ ପାତ୍ର ମଧ୍ୟ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଥିଲେ। ମାତ୍ର ରାଜଭବନ ପକ୍ଷରୁ ତାହା ଗ୍ରହଣ କରାଯାଇ ନ ଥିଲା ଏବଂ କଷ୍ଟେମଷ୍ଟେ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର୍ ସୌମେନ୍ଦ୍ର ମୋହନ ପଟ୍ଟନାୟକ ମଧ୍ୟ ବିଭିନ୍ନ ବିବାଦ ମଧ୍ୟରେ କାର୍ଯ୍ୟକାଳ ଶେଷ କରିଥିଲେ। ତାଙ୍କ ସମୟରେ କ୍ୟାମ୍ପସରେ ମାଳମାଳ କୋଠା ସିନା ଛିଡ଼ା ହେଲା, ମାତ୍ର ବିଶ୍ବବିଦ୍ୟାଳୟର ଶୈକ୍ଷିକ ବାତାବରଣ ରସାତଳଗାମୀ ହୋଇଗଲା। ଓଡ଼ିଶାର ଏକମାତ୍ର କୃଷି ବିଶ୍ବବିଦ୍ୟାଳୟ ଓୟୁଏଟି ଅବସ୍ଥା ମଧ୍ୟ ତଦ୍ରୂପ। ଓୟୁଏଟି ପୂର୍ବତନ କୁଳପତି ପ୍ରଫେସର ପବନ କୁମାର ଅଗ୍ରୱାଲ ନିଜର ତିନିବର୍ଷିଆ କାର୍ଯ୍ୟକାଳ ସିନା ପୂରଣ କରି ଫେରିଗଲେ। ହେଲେ ବିଶ୍ବବିଦ୍ୟାଳୟ ଅଧୀନ ଗବେଷଣା ତଳକୁ ତଳକୁ ଚାଲିଗଲା। ଆଉ ଉଧେଇବା ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବିଶ୍ବବିଦ୍ୟାଳୟ କୁଳପତି ଚୟନ ସମୟରେ ବାହାର ରାଜ୍ୟର ଶିକ୍ଷାବିତ୍ମାନଙ୍କୁ ଗୁରୁତ୍ବ ଦିଆଯାଉଛି। ମାତ୍ର ସେମାନେ ଅଧାରୁ ପଦବି ଛାଡ଼ି ଚାଲିଯିବା ଦ୍ବାରା ବିଶ୍ବବିଦ୍ୟାଳୟ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି। ରାଜ୍ୟର ତିନି ପ୍ରମୁଖ ବିଶ୍ବବିଦ୍ୟାଳୟ ଯଥା ଉତ୍କଳ, ବ୍ରହ୍ମପୁର ଓ ସମ୍ବଲପୁର ଏବେ ନାକ୍ ପାଇବାକୁ ଯୁଝୁଛନ୍ତି। ପ୍ରଫେସର୍ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସମୟରେ ଉତ୍କଳକୁ ନାକ୍ ଆସି ନ ଥିଲା। ଏବେ ନାକ୍ ଟିମ୍କୁ ନିମନ୍ତ୍ରଣ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପୁଣିଥରେ ମୂଳରୁ ପ୍ରସ୍ତୁତ ହେବାକୁ ପଡ଼ୁଛି। ବ୍ରହ୍ମପୁର ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ଅଧାରୁ ପଦ ଛାଡ଼ି ଚାଲିଯିବା ଯୋଗୁଁ ନାକ୍ ପାଇଁ ପ୍ରସ୍ତୁତ ହେବା କଷ୍ଟକର ହୋଇପଡ଼ିଛି। ଯିଏ ବି ଦାୟିତ୍ବ ନେଉଛନ୍ତି, ପୁଣିଥରେ ଆରମ୍ଭରୁ ପ୍ରସ୍ତୁତି କରୁଛନ୍ତି। ବାହାରୁ ଆସୁଥିବା ଶିକ୍ଷାବିତ୍ମାନେ କାହିଁକି ତିଷ୍ଠି ପାରୁନାହାନ୍ତି, ତାହାକୁ ନେଇ ଶିକ୍ଷାବିତ୍ମାନେ ପ୍ରଶ୍ନ ଉଠାଇଛନ୍ତି।
ଶିକ୍ଷାବିତ୍ଙ୍କ ମତରେ ଗୋଟିଏ ଦୁଇଟି କାରଣକୁ ଦାୟୀ କରାଯିବ ନାହିଁ। ବାହାର ରାଜ୍ୟରୁ ଆସି ଏଠାରେ କୁଳପତି ହେଉଥିବା ଶିକ୍ଷାବିତ୍ ଭଲ ପଦବୀ ପାଇଲେ ଛାଡ଼ି ଚାଲିଯାଉଛନ୍ତି। କିଛି ଜଣ ଏଠାକାର ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରିବାରେ ଅସମର୍ଥ ହେଉଛନ୍ତି। ବିଭିନ୍ନ ଆଡ଼ୁ ଚାପ ବି ପଡ଼ୁଛି। ସମସ୍ତଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରିବା ମନସ୍କ ହୋଇପାରୁ ନାହାନ୍ତି, ଯେଉଁଥିପାଇଁ ଅଧାରୁ ଛାଡ଼ି ଚାଲିଯାଉଛନ୍ତି। ବାରମ୍ବାର କୁଳପତି ପରିବର୍ତ୍ତନ ହେବା ଦ୍ବାରା କ୍ୟାମ୍ପସରେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ପରିବର୍ତ୍ତେ ନଷ୍ଟ ହେଉଛି।