ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପାରମ୍ପରିକ ଦେଶୀଧାନର ମହକ ଥିଲା ସୁଦୂରପ୍ରସାରୀ। ଦେଶ ବିଦେଶକୁ ଛୁଟୁଥିଲା ଏହାର ମହକ। ବର୍ତ୍ତମାନ ଏହି ବହୁ ପ୍ରଜାତି ଦେଶୀ ଧାନ ଇତିହାସ ପାଲଟିଗଲାଣି। ଗତ ୨୦୦୪ ମସିହାରେ ୧୨୦ଟି ଦେଶୀ ବିହନ ଥିବାବେଳେ ୪୪ଟି ଦେଶୀ କିସମ ଧାନ ବିଲୁପ୍ତ ହୋଇସାରିଥିଲା। ଇତିମଧ୍ୟରେ ପାଖାପାଖି ୨୦ବର୍ଷ ହୋଇସାରିଥିଲା ବେଳେ ଏ ସମ୍ପର୍କରେ ଆଉ ଅନୁଧ୍ୟାନ କରାଯାଇନାହିଁ। ତେବେ, ଆହୁରି ଦେଶୀ ଧାନ ବିଲୁପ୍ତ ହୋଇଥିବା ଅନୁମାନ କରାଯାଉଛି।

Advertisment

୨୦୦୪ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଡିଏଫ୍‌ଆଇଡି ସହାୟତାରେ ଦେଶୀ ଧାନ ଚିହ୍ନଟ ପାଇଁ ଏକ ଟିମ୍‌ ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଗସ୍ତ କରିଥିଲେ। ନୂଆଦିଲ୍ଲୀର କୃଷି ବୈଜ୍ଞାନିକ ଡ. ବୀରେନ୍ଦ୍ର ଖଟାନା,ଏନ୍‌ଆର୍‌ଆର୍‌ଆଇର ପୂର୍ବ ନିର୍ଦେଶକ ଡ. ଜିତେନ୍ଦ୍ର ରଏ ଓ ସହଭାଗୀ ବିକାଶ ଅଭିଯାନର ଅଧ୍ୟକ୍ଷ ଜଗଦୀଶ ପ୍ରାଧନଙ୍କ ନେତୃତ୍ୱରେ ଏହି ଟିମ୍‌ ଚାଷୀଙ୍କ ତଥ୍ୟକୁ ଆଧାର କରି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ସେହିବର୍ଷ ଡିସେମ୍ବର ମାସରେ ଓଡ଼ିଶା ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ରିପୋର୍ଟରେ ଆମ୍ବଗୁଣ୍ଡି, ଅମ୍ବାଝୁଟା, ବଡ଼ଚେରେଗୁଡି, ବଢି଼ଆହୁସା, ଭାହାଲଗୋରି, ବାଲିହୁନା, ବେଲାଜୁନା, ଭଟାଖୁଲି, ବିରମଣି, ବିରିଫୁଲା, ଡେଙ୍ଗାବସେଇ, ଧାଙ୍ଗିରିଖୁସା, ଗଏନ୍ଧି, ଗଜପତି, ଗଜେ, ଗେଲେଇକଣ୍ଠି, ଜେନଥା, ଗୋଛାମେଢ଼ା, ହଳଦୀଗୁଣ୍ଡି, ହଂସପୁରୀ, ହୀରନ, ହୁନର, ଜୟଗୁଡ଼ି, ଜଳକେଲି, କଲାସୁ, କନ୍ୟାଶାରୀ, କରାଜି, କରଞ୍ଜ, କିରମାନି, ଲେକ୍ରିସୁଣ୍ଡା, ମହୁଲକାଞ୍ଚି, ମୂରଲୀଜାମ, ନେନାମ, ନୃପତିଭୋଗ, ପାଠି, ପିପଲବାସ, ପଟିରେଗୁଡ଼ି, ରୂପାବାଲି ପାଟି, ସାଲେଦାନ୍ତ, ସୁଆଛାତି, ସୁଗନ୍ଧି, ଠାକୁର ଭୋଗ, ଉତାଖୁଲିଖୁଲି ସମେତ ୪୪ଟି ପ୍ରଜାତିର ଦେଶୀ କିସମ ଧାନ ବିଲୁପ୍ତ ହୋଇସାରିଥିବା ଦର୍ଶାଯାଇଥିଲା। ୧୨୦ ପ୍ରଜାତିର ଦେଶୀଧାନରୁ ୪୪ ଦେଶୀଧାନ ବିଲୁପ୍ତ ହେବା ଏକ ଉଦ୍‌ବେଗଜନକ ଘଟଣା ହୋଇଥିବା ବେଳେ ଇତିମଧ୍ୟରେ ୨୦ବର୍ଷ ବିତିସାରିବାକୁ ବସିଲାଣି। ଏ ବାବଦରେ କୌଣସି ଅନୁଧ୍ୟାନ ମଧ୍ୟ କରାଯାଇନାହିଁ। ଫଳ‌ରେ, ଆହୁରି କିଛି ଧାନ ବିଲୁପ୍ତ ହୋଇଥାଇପାରେ ବୋଲି କୁହାଯାଉଛି।

ଅପରପକ୍ଷେ, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର ଧାନ ଉପରେ ଗବେଷଣା ପାଇଁ ଭବାନୀପାଟଣାରେ ଧାନ ଗବେଷଣା କେନ୍ଦ୍ର ରହିଛି। ମାତ୍ର, ଏଠାରେ ନୂତନ ପ୍ରଜାତିର ହାଇବ୍ରିଡ୍‌ ଧାନ ଗବେଷଣା ଚାଲୁଛି। ବିଲୁପ୍ତ ଧାନମାନଙ୍କ ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ପରମ୍ପରାଗତ କୃଷି ବିକାଶ ଯୋଜନାରେ ଅର୍ଥ ବରାଦ କରାଯାଉଥିଲେ ମଧ୍ୟ ଏହାଉପରେ ଗୁରୁତ୍ବ ଦିଆଯାଉନାହିଁ। ରାଜ୍ୟ ସରକାର ଏନେଇ ହସ୍ତକ୍ଷେପ କରି ଦେଶୀ ଧାନ ସଂରକ୍ଷଣ ଓ ପ୍ରୋତ୍ସାହନକୁ ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହୋଇଛି।