ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ କୋହ୍ଲହୁଣ୍ଡୁଳା ଗ୍ରାମର କିଛି ଆଦିବାସୀ ଗରିବ ମହିଳାଙ୍କ ନାମରେ ବ୍ୟାଙ୍କରୁ ଋଣ କରି ଟଙ୍କା ଆତ୍ମସାତ କରାଯାଇଛି। ଏନେଇ ସମ୍ପୃକ୍ତ ମହିଳାମାନେ ଆଜି ଯୋଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ଏବଂ ଜଣେ କର୍ମଚାରୀ ସମ୍ପୃକ୍ତ ଥିବା ଜଣାପଡ଼ିଛି।

Advertisment

ବାସନ୍ତୀ ମୁଣ୍ଡା ଓ ଅନ୍ୟ ୭ଜଣ ମହିଳାଙ୍କ ଅଭିଯୋଗ ଅନୁସାରେ, ଉକ୍ତ ଗ୍ରାମରେ ରହୁଥିବା ଜଣେ ମହିଳା ସେମାନଙ୍କୁ ଏକାଠି କରି ଗ୍ରୁପ୍‌ ଗଠନ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ସେମାନଙ୍କୁ ଭତ୍ତା ମିଳିବ କହି ଯୋଡ଼ା ଡାକି ଆଣିଥିଲେ। ଯୋଡ଼ାରେ ଥିବା ଏକ ଘରୋଇ ବ୍ୟାଙ୍କରେ ସେମାନଙ୍କଠାରୁ ଟିପଚିହ୍ନ ସେମାନଙ୍କୁ ଘରକୁ ପଠାଇ ଦେଇଥିଲେ। କିଛିଦିନ ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ସମ୍ପୃକ୍ତ ମହିଳାମାନଙ୍କୁ ଫୋନ୍‌ କରି ଋଣ ପରିଶୋଧ କରିବାକୁ କହିଥିଲେ। ଜଣଙ୍କ ପିଛା ୨୪ ହଜାର ଟଙ୍କା ଋଣ କରାଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ। ମହିଳାମାନେ ବ୍ୟାଙ୍କରୁ କୌଣସି ଟଙ୍କା ଆଣି ନଥିବା ବେଳେ ତାଙ୍କ ନାମରେ କେମିତି ଋଣ ଉଠିଲା ତାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ। ସେମାନଙ୍କୁ ଡାକି ବ୍ୟାଙ୍କକୁ ନେଇଥିବା ମହିଳା ଋଣ ଉଠାଇ ଟଙ୍କା ହଡ଼ପ କରିଥିବା ସନ୍ଦେହ କରିଥିଲେ। ଏନେଇ ସମ୍ପୃକ୍ତ ମହିଳାମାନେ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଏ ସମ୍ପର୍କରେ ସମ୍ପୃକ୍ତ ଘରୋଇ ବ୍ୟାଙ୍କର ପରିଚାଳକ ଜ୍ୟୋତିରଂଜନ ନାୟକଙ୍କୁ ପଚାରିବାରୁ, ସେ ଦୁଇମାସ ହେବ ଏଠାରେ ଯୋଗ ଦେଇଛନ୍ତି। ପୂର୍ବରୁ ଏହି ଋଣ ଉଠାଯାଇଛି। ଗରିବ ଲୋକଙ୍କ ନାମରେ ତଞ୍ଚକତା କରି ଋଣ ଉଠାଯାଇଥିବା ସେ ଯାଞ୍ଚ ବେଳେ ଜାଣିବାକୁ ପାଇଛନ୍ତି। ଏହି ଘଟଣାରେ ପୂର୍ବରୁ ଥିବା ବ୍ୟାଙ୍କ ପରିଚାଳକ ଓ ଜଣେ କର୍ମଚାରୀ ସମ୍ପୃକ୍ତ ଥିବା ଶ୍ରୀ ନାୟକ କହିଛନ୍ତି। ଏହିପରି ଭାବେ ଗରିବ ଲୋକଙ୍କ ନାମରେ ସେମାନଙ୍କ ଅଜାଣତରେ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଋଣ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସେ ଅବଗତ କରିଥିବା ଶ୍ରୀ ନାୟକ କହିଛନ୍ତି।