ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ପୁଲିସ ଆଜି ଦାଦାବଟି ମାମଲାରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ, ଖୋର୍ଦ୍ଧା ଉପକଣ୍ଠ ନାଇଡୁ କଲେଜ ନିକଟରେ ଭୁବନେଶ୍ୱରର ଇନଫୋସିଟି ଅଂଚଳର ଜ୍ଞାନରଂଜନ ସ୍ୱାଇଁ ନୂତନ ଘର ନିର୍ମାଣ କରି ରହିବା ଆରମ୍ଭ କରିଥିଲେ । ତେବେ ବରମପୁରା ଗାଁର ଗଦାଧର ତାଡ଼ ଓ ନିରଂଜନ ତାଡ଼ ଓରଫ ନବଙ୍କ ନେତୃତ୍ୱରେ କିଛି ଅସାମାଜିକ ବ୍ୟକ୍ତି ତାଙ୍କ ଇଲାକାରେ ଘର ନିର୍ମାଣ କରିଥିବାରୁ ତାଙ୍କୁ ୧୦ହଜାର ଟଙ୍କା ବଟି ମାଗିଥିଲେ ।

Advertisment

ଏହାକୁ ନେଇ ଘର ମାଲିକ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ବିବାଦ ମଧ୍ୟ ହୋଇଥିଲା । ପରେ ଦୁର୍ବୃତ୍ତମାନେ ଜ୍ଞାନରଂଜନଙ୍କ ଘର ଆଗରେ ମାଟି-ପଥର ଜମା କରି ଯିବାଆସିବା ରାସ୍ତା ବନ୍ଦ କରିଦେଲେ । ସେମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଜ୍ଞାନରଂଜନ ନୂଆ ଘର ଛାଡ଼ି ଚାଲିଗଲେ । ଏହି ସୁଯୋଗରେ ଦୁର୍ବୃତ୍ତମାନେ ଘର ମଧ୍ୟରେ ଥିବା ଏକ ଟ୍ରାନ୍ସଫର୍ମରଟିକୁ ବାହାର କରି ନେଇଯାଇଥିଲେ । ଏନେଇ ଜ୍ଞାନ ରଂଜନ ଚଳିତ ମାସ ୧୫ ତାରିଖରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ।

ଆଜି ପୁଲିସ ଉକ୍ତ ଦୁର୍ବୃତ୍ତଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଗଦାଧର ତାଡ଼ (୪୫), ବିଦ୍ୟାଧର ତାଡ଼ (୫୦), ନିରଂଜନ ଜେନା (୪୦) । ଥାନା ଅଧିକାରୀ ଅନୀତା ସାହୁ କହିଛନ୍ତି ଯେ ସେମାନଙ୍କ ବିରୋଧରେ ୧୭୨/୨୦୨୦ରେ ମାମଲା ରୁଜୁ ହୋଇଥିଲା । ସେମାନଙ୍କୁ ଦାଦାବଟି ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଗୋଷ୍ଠୀ ଅଂଚଳରେ ନୂଆ ଘର, ଜାଗା ଆଦି କିଣୁ ଥିବା ଅନ୍ୟ ଲୋକଙ୍କ ଠାରୁ ମଧ୍ୟ ଅନୁରୂପ ଭାବେ ବଟି ମାଗି ହଇରାଣ କରୁଥିବା ଅଭିଯୋଗ ମିଳିଛି । ସେହି ଗୋଷ୍ଠୀର ଅନ୍ୟ ସଦସ୍ୟଙ୍କୁ ଖୋଜା ଚାଲିଛି ।