ବାଲେଶ୍ୱର/ସିମୁଳିଆ: ବୀମାଭୁକ୍ତ ହୋଇ ନଥିଲେ ମଧ୍ୟ ଜାଲ କାଗଜପତ୍ରରେ ଚାଷୀଙ୍କ ସଂଖ୍ୟା ଅଧିକ ଦର୍ଶାଇ ଫସଲବୀମା ରାଶି ବାବଦରେ ଲକ୍ଷାଧିକ ଟଙ୍କା ହଡ଼ପ କରି ନିଆଯାଇଛି। ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍‌ ଅନ୍ତରା ସେବା ସମବାୟ ସମିତି ବିରୋଧରେ ଏମିତି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଚାଷୀ। ଅଭିଯୋଗକୁ ଗୁରୁତ୍ବର ସହ ନେଇ ରାଜ୍ୟ ସମବାୟ ସମିତି ସମୂହ ନିବନ୍ଧକ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

୨୦୨୧-୨୨ ଆର୍ଥିକ ବର୍ଷରେ ଅନ୍ତରା ସେବା ସମବାୟ ସମିତିକୁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାବଦରେ ମୋଟ ୧ କୋଟି ୬୫ ଲକ୍ଷ ୯୩ ହଜାର ୫୬୬ ଟଙ୍କା ମଞ୍ଜୁର ହୋଇଥିଲା। ଏଥିପାଇଁ ସମିତି କର୍ତ୍ତୃପକ୍ଷ ୫୬୫ ଜଣ ଚାଷୀଙ୍କର ୨୨୫୭ ଧାନଜମି ପ୍ଲଟ୍‌କୁ (୩୬୭.୫୫ ଏକର) ବୀମାଭୁକ୍ତ କରିଥିଲେ। ପରବର୍ତ୍ତୀ ସମୟରେ ସମିତି ପକ୍ଷରୁ ଚାଷୀଙ୍କ ସଂଖ୍ୟା ୬୩୭କୁ ବଢାଇ ଦିଆଗଲା। ତେବେ ଅନୁମୋଦିତ ଫସଲବୀମା ପରିମାଣ ସମାନ ରହିଥିବା ବେଳେ ଚାଷୀଙ୍କ ସଂଖ୍ୟାକୁ ମନଇଚ୍ଛା ବଢ଼ାଇ ଦିଆଯିବାରୁ ବୀମାରାଶି ବଣ୍ଟନକୁ ନେଇ ବିବାଦ ଉପୁଜିଥିଲା। ୨୦୨୨ରେ ଅଡିଟ୍‌ ବେଳେ ସମିତିରେ ପ୍ରଧାନମନ୍ତ୍ରୀ ଫସଲବୀମାରେ ଆର୍ଥିକ ହେର୍‌ଫେର ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ସମିତିରେ ବୀମାଭୁକ୍ତ ୫୬୫ ଜଣ ଚାଷୀଙ୍କ ପାଇଁ ୧ କୋଟି ୬୫ ଲକ୍ଷ ୯୩ ହଜାର ୫୬୬ ଟଙ୍କା ଆସିଥିବା ବେଳେ ସେହି ତାଲିକାରେ ଅଧିକ ୭୨ ଜଣଙ୍କ ନାଁ କେମିତି ଯୋଡ଼ା ହେଲା, ତାକୁ ନେଇ ପ୍ରଶ୍ନ କରିଛନ୍ତି ବୀମାଭୁକ୍ତ ଚାଷୀ।

ଗଡ଼ସଙ୍ଗ ଗ୍ରାମର ଭାରତ ସାମଲ, ଉମାକାନ୍ତ ସ୍ବାଇଁ ଓ ଗଙ୍ଗାଧର ମହାନ୍ତି, ପାର୍ଥ ଗ୍ରାମର ନାରାୟଣ ଚନ୍ଦ୍ର ବିଶ୍ବାଳ ଓ କୃଷ୍ଣଚନ୍ଦ୍ର ବିଶ୍ବାଳ, ରପେୟା ଗ୍ରାମର ଶଙ୍କର୍ଷଣ ଓଝା ଓ କୈଳାସ ଚନ୍ଦ୍ର ହାତୀ, ଅନ୍ତରା ଗ୍ରାମର କୈଳାସ ଚନ୍ଦ୍ର ରାଉତ, ମଦନମୋହନ ସାହାଣୀ ଓ ଶୁକଦେବ ମହାକୁଡ଼, ନୂଆ ଗ୍ରାମର ରତ୍ନାକର ପଣ୍ଡା ଓ ସୁବଳଚନ୍ଦ୍ର ସାହୁ, ମହତିପୁର ଗ୍ରାମର ସାବିତ୍ରୀ ପାତ୍ର, ନଛିପୁର ଗ୍ରାମର ପଦ୍ମଲୋଚନ ନାଥ, ବାରାପୁର ଗ୍ରାମର ଭାଗିରଥୀ ନାୟକ ପ୍ରମୁଖ ୧୫ ଜଣ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ଯୋଜନାରେ ୧୧ ଲକ୍ଷ ୨୨ ହଜାର ୪୨ ଟଙ୍କା ପାଇବାକୁ ଥିବାବେଳେ ସେମାନଙ୍କୁ ମାତ୍ର ୫ ଲକ୍ଷ ୨ ହଜାର ୩୨୭ ଟଙ୍କା ପ୍ରଦାନ କରାଯାଇଛି। ଅବଶିଷ୍ଟ ୬ ଲକ୍ଷ ୧୯ ହଜାର ୭୧୪ ଟଙ୍କାର ହିସାବ ମିଳୁନି। ଯେଉଁଠି ୧୫ ଜଣ ଚାଷୀଙ୍କ ବୀମାରାଶି ବାବଦରେ ୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ ହୋଇଛି, ସେଠାରେ ବୀମା ଅନ୍ତର୍ଭୁକ୍ତ ୫୬୫ ଜଣ ଚାଷୀଙ୍କୁ ଦିଆଯାଇଥିବା ବୀମାରାଶି ପରିମାଣର ତଦନ୍ତ କରିବାକୁ ଚାଷୀ ମହଲରେ ଦାବି ହୋଇଛି। ସମିତି କର୍ତ୍ତୃପକ୍ଷ ବଡ଼ଧରଣର ଜାଲିଆତି କରି ବୀମାରାଶି ବାବଦରେ ଲକ୍ଷାଧିକ ଟଙ୍କା ଚଳୁ କରିଥିବା ଚାଷୀ ଅଜୟ କୁମାର ନାଥ, ପୁପୁନ କୁମାର ନାଥ, ପୁରୁଷୋତ୍ତମ ନାୟକ, ନାରାୟଣ ବିଶ୍ବାଳ, ନଗେନ୍ଦ୍ର ସାହୁ ଓ ଅନ୍ୟମାନେ ଅଭିଯୋଗ କରିଛନ୍ତି। ରାଜ୍ୟ ସମବାୟ ସମିତି ସମୂହ ନିବନ୍ଧକ ଏହାର ତଦନ୍ତ ନିମନ୍ତେ ଚିଠି ନମ୍ବର ୨୧୨୪୮ରେ ବାଲେଶ୍ବର ସହକାରୀ ଉପନିବନ୍ଧକ (ଏଆରସିଏସ୍‌)ଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏଆରସିଏସ୍‌ ଲକ୍ଷ୍ମୀଧର ରାଉତଙ୍କୁ ଏ ସଂପର୍କରେ ପଚରାଯିବାରୁ ଖୁବଶୀଘ୍ର ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।