ଜଗନ୍ନାଥପ୍ରସାଦ ଲୋକ ନାହାନ୍ତି କି, ଘର ନାହିଁ। ବେଛପରି। ତଥାପି ୮ଟି ଗାଁକୁ ସରକାରୀ ରେକର୍ଡରେ ରାଜସ୍ବ ମାନ୍ୟତା ମିଳିଛି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଅଧୀନ ୮ଟି ଗ୍ରାମକୁ ଏଭଳି ମାନ୍ୟତା ଦିଆଯାଇଛି। ଏଠାରେ ଜନବସତି ନଥିବା ବେଳେ ଗାଁଗୁଡ଼ିକୁ ମନରେଗା ଯୋଜନାରେ କିନ୍ତୁ ରାସ୍ତା ନିର୍ମାଣ ହେଉଛି।

Advertisment

ସୂଚନା ଅନୁସାରେ ଜଗନ୍ନାଥପ୍ରସାଦ ବ୍ଲକ୍‌ର ୨୫ ପଞ୍ଚାୟତ‌ରେ ରହିଛି ୧୪୮ଟି ରାଜସ୍ବ ଗ୍ରାମ। ତେବେ ପ୍ରତାପୁର ପଞ୍ଚାୟତର ବରପାଲ୍ଲୀ, ଝାଡ଼ଭୂମିର ଖଇରପୁଟି, ପଞ୍ଚଭୂତିର ପାନ୍ତିଆମା, ଗେରେଡ଼ାର କ୍ରିୟାଧର ଓ ତେନ୍ତୁଳିପଲ୍ଲୀ, ଜଗନ୍ନାଥପ୍ରସାଦ ପଞ୍ଚାୟତର କଉରାପଲ୍ଲୀ, ବାଇନାପଲ୍ଲୀ ଓ କନ୍ଧଗାଲିରୀ ଭଳି ୮ଟି ଗ୍ରାମ ବେଛପରି। ଆବହମାନ କାଳରୁ ସେଠାରେ କେହି ବି ରହୁନାହାନ୍ତି। ତଥାପି ଏହି ସବୁ ଗ୍ରାମକୁ କେଉଁ ଆଧାରରେ ରାଜସ୍ବ ଗ୍ରାମ ବୋଲି ଦର୍ଶାଯାଉଛି ଏହାକୁ ନେଇ ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ସୃ୍ଷ୍ଟି ହୋଇଛି। ପାନ୍ତିଆମା ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ରାଣୀଭୂମିରେ ଚାଲୁଛି। ଏପରିକି ପାନ୍ତିଆମା ଓ କନ୍ଧଗାଲିରୀ ଗ୍ରାମରେ ମନରେଗା ଯୋଜନାରେ ରାସ୍ତା ନିର୍ମାଣ ହୋଇଥିବା ଦର୍ଶାଯାଇଛି।

ଆକୁଲକୁମ୍ପା ଗ୍ରାମବାସୀ କହିଛନ୍ତି, ଘଞ୍ଚ ଜଙ୍ଗଲ ଭିତରେ ରହିଥିବା କନ୍ଧଗାଲିରୀ ଇଲାକାରେ ପାଖାପାଖି ୬୦ ବର୍ଷ ତଳେ ସେମାନଙ୍କ ଜନବସତି ଗଢ଼ି ଉଠିଥିଲା। ବାଘ ଆକ୍ରମଣରେ କିଛି ଲୋକ ପ୍ରାଣ ହରାଇବାରୁ ସେମାନେ ସେଠାରୁ ଘରଦ୍ବାର ଛାଡ଼ି ଚାଲିଆସି ନୂତନ ବସତି ସ୍ଥାପନ କରିଥିଲେ। ଯାହାର ନାମ ଆକୁଲକୁମ୍ପା ରଖାଯାଇଥିଲା। ଏହାମଧ୍ୟରେ ଆକୁଲକୁମ୍ପା ଗ୍ରାମକୁ ବିଧିବଦ୍ଧ ଭାବେ ରାଜସ୍ବ ଗ୍ରାମ ମାନ୍ୟତା ମିଳିସାରିଛି। କିନ୍ତୁ ଏହି ଗ୍ରାମର ବିକାଶ କରିବା ପରିବର୍ତ୍ତେ, ଜନବସତିଶୂନ୍ୟ କନ୍ଧଗାଲିରୀରେ ୫ ଲକ୍ଷ ଟଙ୍କାରେ ମନରେଗା ଯୋଜନାରେ ରାସ୍ତା ନିର୍ମାଣ କରାଯାଇ ଅନୁଦାନ ହଡ଼ପ ହୋଇଥିବା ଆଦିବାସୀମାନେ ଅଭିଯୋଗ କରିଛନ୍ତି। କନ୍ଧଗାଲିରୀ ଗାଁ ଏବେ ହାତୀଙ୍କ ବିଚରଣସ୍ଥଳ ପାଲଟିଛି। ସେହିପରି ଅନ୍ୟ ବେଛପରି ଗ୍ରାମ ଗୁଡ଼ିକରେ ବିକାଶମୂଳକ ଯୋଜନା ହାତକୁ ନିଆଯାଇ ଲକ୍ଷାଧିକ ଟଙ୍କା ଚଳୁ ହେଉଛି। ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ହେଲେ, ଅନେକ ଅନିୟମିତତା ସାମ୍ନାକୁ ଆସିବ ବୋଲି ଗ୍ରାମବାସୀ କହିଛନ୍ତି।