ସୋର: ସୋରରେ ଥିବା ଏକ ଋଣ ପ୍ରଦାନକାରୀ ସଂସ୍ଥାର କର୍ମଚାରୀ ଦର୍ଶାଇ ଯାଜପୁର ଅଞ୍ଚଳର ଜଣେ ବ୍ୟକ୍ତି ଭଦ୍ରକ ବାସୁଦେବପୁର ଥାନା ଜଗନ୍ନାଥପୁର ଗ୍ରାମର ଜଣେ ମହିଳାଙ୍କଠାରୁ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଯାଜପୁର ଅଞ୍ଚଳର ମନୋରଞ୍ଜନ ଦାସ ସୋର ପୌରପାଳିକା ଅନ୍ତର୍ଗତ ମହାବୀର ନଗରରେ ଥିବ‌ା ଏକ ଋଣ ପ୍ରଦାନକାରୀ ସଂସ୍ଥାର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ସେ ଋଣ କରାଇଦେବେ କହି ଭଦ୍ରକ ବାସୁଦେବପୁର ଥାନା ଜଗନ୍ନାଥପୁର ଅଞ୍ଚଳର ଲୋଚନ ମଳିକଙ୍କ ପତ୍ନୀ ସୁଭଦ୍ରା ମଳିକଙ୍କୁ ଗତ ୧୭ ତାରିଖ ଦିନ ଏକ ମହିଳା ଗ୍ରୁପ୍‌ ତିଆରିବାକୁ କହିଥିଲେ।

Advertisment

ମହିଳା ଜଣକ ଗ୍ରାମର ୬ ଜଣ ମହିଳାଙ୍କୁ ନେଇ ଏକ ଗ୍ରୁପ୍‌ କରିଥିଲେ। ତେବେ ମନୋରଞ୍ଜନ ଜମାଖାତା ଖୋଲାଯିବ କହି ମହିଳାମାନଙ୍କଠାରୁ ୧୨,୧୦୦ ଟଙ୍କା ଫୋନ୍‌ ପେ ମାଧ୍ୟମରେ ନେଇଥିଲେ। ହେଲେ ଏହା ପରେ ମନୋରଞ୍ଜନ ଆଉ ଫୋନ୍‌ ଉଠାଇ ନଥିଲେ। ଫଳରେ ମହିଳାମାନେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ତେଣୁ କିଛି ଉପାୟ ନପାଇ ଆଜି ସୁଭଦ୍ରା ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।